ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରକୁ ସୌନ୍ଦଯ୍ୟପୂର୍ଣ୍ଣ କରିବା କୁ ୧୯୮୧ରେ ତୁଳସୀପୁର ମହାନଦୀ କୂଳରେ ହରିଣପାର୍କ ପରିକଳ୍ପନା କରାଯାଇଥିଲା। ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବିସନ୍ତ କୁମାର ବିଶ୍ୱାଳ ପାର୍କ ପ୍ରତିଷ୍ଠା କରିଥିଲେ। ୧୯୮୧ ମସିହାରେ ଏହି ହରିଣ ପାର୍କ ପ୍ରତିଷ୍ଠା ପରେ ନନ୍ଦନକାନନରୁ ଏଠାକୁ ଆସିଥିଲେ ୮୫ଟି ହିରଣ। ପରବର୍ତ୍ତୀ ପର୍ଯ୍ୟାୟରେ ହରିଣପାର୍କ ସହରର ମୁଖ୍ୟ ଆକର୍ଷଣ ପାଲଟିଥିଲା।

ଏଭିତରେ ୩୭ବର୍ଷ ବିତିଗଲାଣି। ଏଭିତରେ ହରିଣଙ୍କ ସଂଖ୍ୟା ମଧ୍ୟ ଢେର ବଢିଯାଇଛି। ବର୍ତ୍ତମାନ ପାର୍କରେ ମୋଟ୍ ୧୭୯ ହରିଣ ରହିଛନ୍ତି। ତନ୍ମଧ୍ୟରେ ୬୯ଟି ମାଈ, ୩୩ଟି ଅଣ୍ଡିରା, ୩୨ଟି ବଡ ଛୁଆ, ୨୯ଟି ସାନ ଛୁଆ ଓ ୧୬ଟି ଶାବକ ରହିଛନ୍ତି। ତେବେ ଏତେ ସଂଖ୍ୟକ ହରିଣଙ୍କ ରହଣି ନେଇ ବହୁ ସମୟରେ ସମସ୍ୟା ଦେଖାଯାଏ। ତେବେ ଏହାକୁ ନେଇ କେନ୍ଦ୍ର ଚିଡିଆଖାନା କର୍ତ୍ତୃପକ୍ଷଙ୍କ ପ୍ରତିନିଧି ସତର୍କଘଣ୍ଟି ଦେଇସାରିଥିଲେ ମଧ୍ୟ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇପାରୁନି। ହରିଣ ପାର୍କର କ୍ଷମତା ଅନୁଯାୟୀ ଅତିବେଶୀରେ ୧୫ଟି ହରିଣ ରହିପାରିବେ। କିନ୍ତୁ କ୍ଷମତାର ୧୨ଗୁଣ ଅଧିକ ହରିଣ ରହିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ହରିଣଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଆବଶ୍ୟକ ମୁତାବକ ଜାଗା ନେଇ ସିଏମ୍‌ସି ଦ୍ୱନ୍ଦ୍ୱରେ ପଡିଛି। କାରଣ ସିଏମ୍‌ସି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଦୁଇଟି ଭିନ୍ନ ଭିନ୍ନ ଜାଗା ଚିହ୍ନଟ କରାଯାଇସାରିଛି। ପ୍ରଥମଟି ବାରଙ୍ଗ ପାଖରେ ଚିହ୍ନଟ କରାଯାଇଥିଲା। କିନ୍ତୁ ତାହା ନଦୀ ପଠା ଥିବାରୁ ପାର୍କ ତିଆରି ପାଇଁ ଗ୍ରୀନ୍ ଟ୍ରିବ୍ୟୁନାଲର ଅନୁମତି ମିଳିବା କଷ୍ଟକର ହୋଇପଡିଥିଲା।

ପରବର୍ତ୍ତୀ ପର୍ଯ୍ୟାୟରେ ସିଏମ୍‌ସି ତରଫରୁ ନରାଜଠାରେ ୫୭ଏକର ଜମି ଚିହ୍ନଟ କରାଯାଇଥିଲା। କିନ୍ତୁ ଏ ଯାବତ୍ ପ୍ରସ୍ତାବିତ ଜାଗାକୁ ସିଏମ୍‌ସି ଅଧିନକୁ ଆଣିବାକୁ କର୍ତ୍ତୃପକ୍ଷ ଢିଲା ମାରୁଛନ୍ତି। ପ୍ରସ୍ତାବିତ ଜାଗା ରାଜସ୍ୱ ବିଭାଗ ଅଧିନ ରହିଛି। ବିଭାଗ ଠାରୁ ଜାଗା ଆଣିବା ନେଇ ପ୍ରଥମିକ ପର୍ଯ୍ୟାୟରେ ପ୍ରସ୍ତାବ ଦିଆଯାଇଥିବା ବେଳେ ପରେ ଏହାର କୌଣସି ଫଲୋଅପ୍‌ ରଖାଯାଇନଥିଲା। ପରିଶେଷରେ ଏହି ଜାଗାକୁ ବି ନେଇ ବିବାଦ ସୃଷ୍ଟି ହୋଇଥିଲା।

ଡମପଡା ତହସିଲ ଅନ୍ତର୍ଗତ ବାଆଁରା ମୌଜାର ଖାତା ନଂ-୭୮୦ , ପ୍ଲ ଟ ନଂ-୧୩୫ରୁ ୩୧.୬୫ ଏକର ଏବଂ ଖାତା ନଂ-୭୭୯ ଓ ପ୍ଲଟ ନଂ-୬୦ରୁ ୭.୪୫ ଏକର ଏପରି ମୋଟ ୩୯.୧୦ ଏକରରେ ଏହି ପାର୍କ ନିର୍ମାଣ ହେବାକୁ ଯାଉଛି। ରାଜସ୍ୱ ବିଭାଗ ଡିଅର ପାର୍କ ପାଇଁ ଏହି ଜମି ଯୋଗାଇ ଦେବାକୁ ରାଜି ହେବା ପରେ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ନିକଟରେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଗତବର୍ଷ ଡିସେମ୍ବର ମାସରୁ ଜାଗା ଫାଇନାଲ୍ ହୋଇସାରିଥିଲେ ସୁଦ୍ଧା ଏବେ ଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରସ୍ତାବିତ ସ୍ଥାନ ଡିଅର ପାର୍କ ପାଇଁ ପର୍ଯ୍ୟାପ୍ତ ଥିବା ବେଳେ ମହାନଦୀ ଅବବାହିକାରେ ଥିବା ଏହି ଜମିରେ ହରିଣମାନେ ମୁକ୍ତ ବିଚରଣ କରିପାରିବେ ବୋଲି ଅଭିଜ୍ଞ ପ୍ରାଣୀ ବିଜ୍ଞାନୀମାନେ ପ୍ରକାଶ କରିଛନ୍ତି।

ପ୍ରସ୍ତାବିତ ଅଞ୍ଚଳକୁ ସବୁଜ ବନାନୀରେ ପରିଣତ କରାଯାଇପାରିଲେ ହରିଣ କଂଚା ପତ୍ର ଖାଇପାରିବେ ବୋଲି ମତ ପ୍ରକାଶ ପାଇଛି। ସେହିପରି ଏକ ପ୍ରାକୃତିକ ପରିବେଶରେ ଚଳପ୍ରଚଳ ସହ ହରିଣଙ୍କ ବଂଶ ବିସ୍ତାର ପାଇଁ ଏହି ସ୍ଥାନ ଅପୂର୍ବ ସୁଯୋଗ ସୃଷ୍ଟି କରିପାରିବ ନିଶ୍ଚିତ।

୨୦୧୪ ମସିହା ନଭେମ୍ବର ୨୯ତାରିଖରେ କେନ୍ଦ୍ର ଚିଡିଆଖାନା ପ୍ରତିନିଧି କଟକ ଗସ୍ତରେ ଆସି ହରିଣ ପାର୍କ ବୁଲି ଦେଖିଥିଲେ। ସେତେବେଳେ ଜାଗାର ପରିମାଣ ଓ ହରିଣଙ୍କ ସଂଖ୍ୟାକୁ ଦୃଷ୍ଟି ଦେଇ ସିଏମ୍‌ସିକୁ ନୂଆ ଜାଗାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଗତବର୍ଷ ମାର୍ଚ୍ଚରେ ମଧ୍ୟ ଟାଟା ଷ୍ଟିଲ୍ ଜିଓଲୋଜିକାଲ୍ ପାର୍କ ନିର୍ଦ୍ଦେଶକ ବିପୁଲ ଚକ୍ରବର୍ତ୍ତୀ କେନ୍ଦ୍ର ଚିଡିଆଖାନା ପ୍ରତିନିଧି ଭାବେ ଗତବର୍ଷ ହରିଣ ପାର୍କ ପରିଦର୍ଶନରେ ଆସିଥିଲେ। ହରିଣ ପାର୍କର କ୍ଷମତା ଅନୁଯାୟୀ ଅତିବେଶୀରେ ୧୫ଟି ହରିଣ ରହିପାରିବେ। କିନ୍ତୁ ରହୁଛନ୍ତି ପ୍ରାୟ ୧୮୫ ହରିଣ।

ଅଣ୍ଡିରା ଓ ମାଇକୁ ଅଲଗା କରିଦଆଯିବା ପରେ ପ୍ରଜନନ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ଏବେ ବି ସଙ୍କଟ ଟଳିନାହିଁ। ବର୍ତ୍ତମାନ ପରିସ୍ଥିତିରେ ଯଦି ଅର୍ଦ୍ଧାଧିକ ହରିଣଙ୍କୁ ସ୍ଥାନାନ୍ତର କରାନଯାଏ ତେବେ ହରିଣମାନଙ୍କର ସ୍ଥିତି ସଙ୍କଟାପନ୍ନ ହୋଇଯିବ ଚେତାବନୀ ଦେଇଥିଲେ ସୁଦ୍ଧା ଏବେଯାଏଁ ପ୍ରଶାସନ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ।

Comment