ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଏକ୍‌ଜିଟ୍‌ ପୋଲ ଆକଳନ ପରେ ଉଠିଲା ପ୍ରଶ୍ନ – କିଏ ଗଢ଼ିବ ସରକାର?

ଏକ୍‌ଜିଟ୍ ପୋଲକୁ ନେଇ ରାଜନୀତିକ କରିଡରରେ କମ୍ପନ। ୨୦୧୯ ନିର୍ବାଚନରେ କିଏ ସରକାର ଗଢ଼ିବ ଏବଂ କିଏ ବିରୋଧୀ ଆସନରେ ବସି ତାକୁ ନେଇ ବିଭିନ୍ନ ସଂସ୍ଥା ଏବଂ ନ୍ୟୁଜ ଚ୍ୟାନେଲ ପକ୍ଷରୁ କରାଯାଇଥିଲା ଏକ୍‌ଜିଟ୍‌ ପୋଲ୍।

ଏହି ସର୍ଭେରେ ଯାହା ଆକଳନ କରାଯାଇଛି ସେଥିରୁ ବିଜେଡି ସରକାର ଗଠନ କରିବ ବୋଲି ଜଣାପଡୁଛି। କିନ୍ତୁ ବିଜେପି ଏବଂ କଂଗ୍ରେସ ମଧ୍ୟ ଅଧିକ ଆସନ ପାଇବା ନେଇ ଦାବି କରୁଛନ୍ତି। ଏସବୁ ଭିତରେ ସମସ୍ତେ ମେ’ ୨୩ର ଫଳାଫଳକୁ ଅପେକ୍ଷା କରିଛନ୍ତି। କିଏ ଜିତିବ ଏବଂ କିଏ ହାରିବ ସେନେଇ ସ୍ପଷ୍ଟ ଚିତ୍ର ମେ’ ୨୩ ଅପରାହ୍ଣରେ ହିଁ ଆସିବ।

ଏକ୍‌ଜିଟି ପୋଲରେ ପୂର୍ବାନୁମାନ କରାଯାଇଛି ଯେ ଓଡ଼ିଶାର ମୋଟ ୨୧ଟି ଲୋକସଭା ଆସନ ଫିଫ୍ଟି ଫିଫ୍ଟି ହେବାକୁ ଯାଉଛି। ଅର୍ଥାତ୍ ବିଜେଡି ଏବଂ ବିଜେପି ଭିତରେ ଆସନ ସମାନ ସମାନ ରହିପାରେ ବୋଲି କୁହାଯାଉଛି। ଆଉ କେତେକ ସଂସ୍ଥା ବିଜେପି ଅଧିକ ଏବଂ ବିଜେଡି କମ୍ ଆସନ ପାଇପାରେ ବୋଲି ଆକଳନ କରିଛନ୍ତି। ଏଡାକୁ ନେଇ ବିଜେପି ଶିବିରରେ ଉତ୍ସାହ ଭରି ରହିଥିବା ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।

କିନ୍ତୁ ବିଜେଡି ଏହି ଏକ୍‌ଜିଟ୍ ପୋଲର ଆକଳନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ବିଜେଡିର ଦାବି ଯେ ଆମେ ଲୋକସଭାରେ ୧୫ ଏବଂ ବିଧାନସଭାରେ ୧୦୫ ଆସନ ପାଇବୁ। ସେହିପରି ବିଜେପିର ଦାବି ହେଉଛି ୭୦ରୁ ଅଧିକ ବିଧାନସଭା ଆସନ ଏବଂ ୧୫ରୁ ଅଧିକ ଲୋକସଭା ଆସନ ପାଇବୁ।

କଂଗ୍ରେସ କିନ୍ତୁ ଏକ୍‌ଜିଟ୍‌ ପୋଲ୍ ରିପୋର୍ଟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ। ଏକ୍‌ଜିଟ ପୋଲର ଆକଳନ ତୁଳନାରେ କଂଗ୍ରେସ ଭଲ କରିବ ବୋଲି ଦଳ ଦାବି କରିଛି। ଏଭଳିସ୍ଥିତିରେ ଏକ୍‌ଜାଟ୍‌ ପୋଲ୍ କ’ଣ ହେଉଛି ସେନେଇ ମେ’ ୨୩କୁ ସମସ୍ତେ ଅପେକ୍ଷା କରିଛନ୍ତି।

୨୦୧୪ରେ କ’ଣ ଥିଲା ଚିତ୍ର?

୨୦୧୪ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିଥିଲା ବିଜେପି। ସାରା ଦେଶରେ ମୋଦିଙ୍କ ଲହର କାମ କରିଥିଲା। ହେଲେ ଓଡ଼ିଶାରେ ଏହି ଲହର କାମ କରି ନଥିଲା। ମୋଦି ଲହରରେ ବିଜେପି ଓଡ଼ିଶାକୁ ଅଧିକ ଲୋକସଭା ଏବଂ ବିଧାନସଭା ସିଟ୍ ପାଇବ ବୋଲି ଆକଳନ କରିଥିଲେ ମଧ୍ୟ ତାହା ଭୁଲ୍ ପ୍ରମାଣିତ ହୋଇଥିଲା।

ମୋଟ ୨୧ଟି ଲୋକସଭା ଆସନରୁ ବିଜେଡି ୨୦ଟି ହାତେଇଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ରହିଥିଲା। କଂଗ୍ରେସ ଲୋକସଭା ଆସନରେ ଖାତା ଖୋଲିବାକୁ ସମର୍ଥ ହୋଇ ନଥିଲା।

ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୧୧୭ ଆସନ ପାଇଥିଲା। ୫୦ରୁ ଅଧିକ ଆସନ ପାଇବ ବୋଲି ଦାବି କରୁଥିବା ବିଜେପିକୁ ମାତ୍ର ୧୦ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କଂଗ୍ରେସ ୨୬ଟି ଆସନ ପାଇଥିଲା।

ଏଥର ତିନି ଦଳର ଭାଗ୍ୟ କ’ଣ ହେବ ତା’ ଉପରେ ରହିଛି ନଜର।

କ’ଣ ହେବ ୨୩ରେ ଚିତ୍ର?

ବିଜେପି ଏଥର ଓଡ଼ିଶାରେ ମୋଦି ବ୍ରାଣ୍ଡକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ନବୀନ ବ୍ରାଣ୍ଡକୁ ଅସ୍ତ୍ର କରି ଭୋଟରଙ୍କ ପାଖକୁ ଯାଇଥିଲା। ବିଜେପି ଏବଂ ବିଜେଡି ଭିତରେ ଘମାଘୋଟ ଲଢ଼େଇ ହୋଇଥିଲା। ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ବାରମ୍ବାର ଓଡ଼ିଶାଗସ୍ତରେ ଆସି ରାଜନୀତି ଶିବିରକୁ କରିଥିଲେ ହଲ୍‌ଚଲ୍‌। ଏପଟେ ନବୀନ ହାଇଟେକ ବସରେ ବସିୁ ଏ ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ମଣ୍ଡଳୀକୁ ବୁଲି ପ୍ରଚାର କରିଥିଲେ। ଗୋଟିଏପଟେ ମୋଦି ଏବଂ ଶାହ ଏବଂ ଅନ୍ୟପଟେ ନବୀନଙ୍କ ପ୍ରଚାରରେ ନିର୍ବାଚନ ମଇଦାନ ସରଗରମ ହୋଇଥିଲା।

ଏହି ଘମାଘୋଟ ନିର୍ବାଚନ ଫାଇଟରେ କିଏ ଜିତିବ ଏବଂ କିଏ ହାରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ପଞ୍ଚାୟତ ନିର୍ବାଚନ ପରେ ବଦଳିଥିଲା ଗଣିତ

୨୦୦୦ରୁ ୨୦୧୭ ଯାଏଁ ଯେତେ ନିର୍ବାଚନ ହୋଇଥିଲା ବିଜେଡି କୌଣସି ନିର୍ବାଚନରେ ପରାଜୟ ଦେଖି ନଥିଲା। ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଜୋରଦାର ଝଟକା ଖାଇଥିଲା। ସବୁଠି ବିଜେଡିକୁ ବିଜେପି କଡ଼ା ଟକ୍କର ଦେଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ବିଜେପି କଂଗ୍ରେସକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନରେ ରହିଥିଲା।

ବିଜେପିର ସଫଳତା ପରେ କେନ୍ଦ୍ରର ବିଜେପି ନେତାମାନେ ଉତ୍ସାହିତ ହୋଇଯାଇଥିଲେ। ଅମିତ ଶାହ ଆସି ଓଡ଼ିଶାରେ ମିଶନ ୧୨୦ର ଟାର୍ଗେଟ ଦେଇଥିଲେ। କିନ୍ତୁ ଏକ୍‌ଜିଟ୍‌ ପୋଲର ଆକଳନ ଯାହା କହୁଛି ବିଜେପିର ବିଧାନସଭା ଆସନ ବଢ଼ିପାରେ କିନ୍ତୁ ମିଶନ ୧୨୦ ସଫଳ ହେବନି।

ଏପଟେ ଯଦି ବିଜେପିର ଆସନ ସଂଖ୍ୟା ବଢ଼ୁଛି ତାହାଲେ ବିଜେଡିର ଆସନ ସଂଖ୍ୟା କମିବାର ସମ୍ଭାବନା ରହିଛି। ତେବେ କିଏ କେତେ ଆସନ ପାଉଛି ତାହା ମେ’ ୨୩ରେ ହିଁ ଜଣାପଡ଼ିବ।

Comment