ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଏଥର ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିବେ ‘ମହିଳା ଶକ୍ତି’। ବିଜୁ ଜନତା ଦଳରୁ ୧୧ ଜଣ ମହିଳା ପ୍ରାର୍ଥୀ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଜେପିରୁ ଜଣେ ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏଥର ବିଧାନସଭାରେ ୧୨ ଜଣ ମହିଳା ପ୍ରାର୍ଥୀଙ୍କ ସ୍ୱର ଶୁଭିବ।

ଚଳିତ ନିର୍ବାଚନରେ ବିଜେଡି ୨୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ସେମାନଙ୍କ ଭିତରୁ ୧୧ ଜଣ ନିର୍ବାଚନ ଜିତିବାକୁ ସମର୍ଥ ହୋଇଛନ୍ତି। ସେହିପରି ବିଜେପିରୁ ମାତ୍ର ଜଣେ ପ୍ରାର୍ଥୀ ବିଧାନସଭାକୁ ଆସିଛନ୍ତି।

ଏମାନଙ୍କ ମଧ୍ୟରେ ଅଛନ୍ତି ମଞ୍ଜୁଳା ସ୍ୱାଇଁ। ସେ ଆସ୍କା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ବିଜେପିର ଦେବରାଜ ମହାନ୍ତିଙ୍କୁ ସେ ପରାଜିତ କରିଛନ୍ତି।

ସେହିପରି ଅତାବିରାରୁ ଦ୍ୱିତୀୟ ଥର ପାଇଁ ଜିତିଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ସେ ବିଜେପିର ମିଲନ ସେଠୀଙ୍କୁ ପରାଜିତ କରିଛନ୍ତି। ଯାଜପୁର ଜିଲ୍ଲା ବରୀରୁ ପ୍ରଥମ ଥର ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ସୁନନ୍ଦା ଦାସ ମଧ୍ୟ ଏଥର ଜିତିଛନ୍ତି।

ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ଚମ୍ପୁଆରୁ ମୀନାକ୍ଷୀ ମହନ୍ତ, ଚିକିଟିରୁ ଉଷା ଦେବୀ, ହିନ୍ଦୋଳରୁ ସୀମାରାଣୀ ନାୟକ ବିଜେଡି ଟିକେଟରୁ ନିର୍ବାଚନ ଜିତିଛନ୍ତି।

ବିଜେପିରୁ ଏକମାତ୍ର ମହିଳା ପ୍ରାର୍ଥୀ ଭାବେ କୁସୁମ ଟେଟେ ଜିତିଛନ୍ତି। ସେ ସୁନ୍ଦରଗଡ଼ ବିଧାନସଭା ଆସନରେ ବିଜେଡିରୁ ଯୋଗେଶ ସିଂହଙ୍କୁ ପରାଜିତ କରିଥିଲେ। ଯୋଗେଶ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ବେଳେ କୁସୁମ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।

କବିସୂର୍ଯ୍ୟନଗରରେ ଲତିକା ପ୍ରଧାନ, କରଞ୍ଜିଆରେ ବାସନ୍ତୀ ହେମ୍ବ୍ରମ, କୋଟପାଡ଼ରେ ପଦ୍ମିନୀ ଦିଆନ, ରାଇରଙ୍ଗପୁରରେ ବାସନ୍ତୀ ମାରାଣ୍ଡି ବିଜେଡି ଟିକେଟରେ ନିର୍ବାଚନ ଜିତିଛନ୍ତି।

Comment