ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନ ଫଳାଫଳ, ଢ଼େର ଦିନ ଯାଏଁ ପ୍ରାର୍ଥୀଙ୍କୁ ଓ ଦଳକୁ ଘାରୁଥାଏ। ଏଥରର ବିଧାନସଭା ଫଳାଫଳ ବିଜେପିର ରାଜ୍ୟ ନେତୃତ୍ୱକୁ ଘାରିଛି କେବଳ ନୁହେଁ ସେମାନେ ଆଚମ୍ବିତ ବି ହୋଇଛନ୍ତି ଓ ଖୁସି ବି ଅଛନ୍ତି। ବିଜେପି ୨୦୧୪ ନିର୍ବାଚନରେ ୧୦ଟି ଆସନ ପାଇଥିବା ବେଳେ ଏଥର ୨୩ ଆସନ ପାଇଛି ଯାହାକି ଖୁସିର କଥା। ତେବେ ଦଳର ୧୨୦+ ଆସନ ଲକ୍ଷ୍ୟରୁ ୧୦୦ କଟି ମାତ୍ର ୨୦+ଆସନ ହାତକୁ ଆସିବା ରାଜ୍ୟ ନେତୃତ୍ୱ ପାଇଁ ଅପମାନର ବିଷୟ ହୋଇଛି।

ଗତ ନିର୍ବାଚନରେ ଜିତିଥିବା ଦଶ ଜଣ ବିଧାୟକଙ୍କ ଭିତରୁ ମାତ୍ର ଜଣେ ନିଜ ଆସନଟି କୌଣସି ପ୍ରକାର ବଞ୍ଚାଇ ପାରିଲେ। ପୁରୁଣା ଆସନ ହିସାବରେ ଦେବଗଡ଼ରେ ସୁବାସ ଚନ୍ଦ୍ର ପାଣିଗ୍ରାହୀ କେବଳ ଦଳ ପାଇଁ ମାନ ରଖିପାରିଛନ୍ତି। ସୁବାସ ପାଣିଗ୍ରାହୀ ନିଜକୁ ଭାଗ୍ୟବାନ ମନେ କରୁଥିବେ କାରଣ ନିତେଶ ଗଙ୍ଗଦେବଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯିବା ପରେ ସୁବାସଙ୍କୁ ଦେବଗଡ଼ରୁ ଲଢ଼ିବା ପାଇଁ କୁହାଗଲା।

ବିଜେପି ରାଜ୍ୟ ନେତା ମାନଙ୍କୁ ସବୁଠାରୁ ବଡ଼ ଧକ୍କା ପହଞ୍ଚିଛି ପାଟଣାଗଡ଼ ଆସନରେ କନକ ବର୍ଦ୍ଧନ ସିଂହଦେଓଙ୍କ ପରାଜୟ। ୫ ଥର ନିର୍ବାଚନ ଜିତିଥିବା କନକ ବର୍ଦ୍ଧନ ଜଣେ ନୂଆ ପ୍ରାର୍ଥୀ ସରୋଜ ମେହେରଙ୍କ ହାତରେ ହାରିବା ସବୁଠୁ ବଡ଼ ଅପମାନ। ସେହିଭଳି ପୃଥ୍ୱୀରାଜ ହରିଚନ୍ଦନଙ୍କ ପରାଜୟ। ଚିଲିକା ଆସନ ସବୁବେଳେ ବିଜେପିର ରହି ଆସିଥିଲା ଓ ଏହାକୁ ଏକ ନିରାପଦ ଆସନ ବୋଲି ଧରାଯାଇଥାଏ।। ବିଶ୍ୱ ଭୂଷଣଙ୍କ ଭାଇଙ୍କ ଯାଗାରେ ପୁଅଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯାଇଥିଲା। କିନ୍ତୁ ବେଗୁନିଆରୁ ଆସି ପ୍ରଶାନ୍ତ ଜଗଦେଵ ଏହି ଆସନକୁ ଛଡ଼ାଇନେଲେ। ଠିକ୍ ସେହି କଥା ଘଟିଛି କୁଚିଣ୍ଡା ଆସନରେ। ତିନିଥର ବିଜେପି ଏଠାରୁ ଜିତିଥିବା ସତ୍ତ୍ୱେ ଦଳର ରବି ନାୟକଙ୍କୁ ଜଣେ ନୂଆ ପ୍ରାର୍ଥୀ ବିଜେଡିର  କିଶୋର ନାୟକ ୩୫୦୦ ଭୋଟରେ ହରାଇଲେ।

ଅନ୍ୟ ଦୁଇଟି ଅପମାନଜନକ ପରାଜୟ ହେଉଛି ପ୍ରଦୀପ ପୁରୋହିତ ଓ ରାଧାରାଣୀ ପଣ୍ଡାଙ୍କର। ଏ ଦିହେଁ ପଞ୍ଚଦଶ ବିଧାନସଭାର ପ୍ରମୁଖ ସଦସ୍ୟ ଥିଲେ। ପୂର୍ବତନ ମନ୍ତ୍ରୀ ବିଜୟ ସିଂହ ବରିହା ଓ ପୂର୍ବ ବାଚସ୍ପତି କିଶୋର ମହାନ୍ତିଙ୍କ ହାତରେ ଏ ଦୁଇ ଜଣ ହାରିଛନ୍ତି।

ରେମୁଣା ଆସନରୁ ଗତଥର ଜିତିଥିବା ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ବିଜେଡିର ସୁଧାଂଶୁ ଶେଖର ପରିଡ଼ା ହରାଇବା ମଧ୍ୟ ବିଜେପିକୁ  ଏକ ବଡ଼ ଧକ୍କା। ସେହିଭଳି ଖରିଆର ଆସନକୁ ବି ବିଜେପି ରଖିପାରିଲା ନାହିଁ। ପୂର୍ବ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ ଗତଥର ଏଠାରୁ ବିଜେପି ଟିକେଟରେ ଜିତିଥିଲେ କିନ୍ତୁ ଏଥର ତାଙ୍କୁ ଟିକେଟ ଦିଆ ଯାଇନଥିଲା। ସେ ବିଜେଡିରେ ଯୋଗ ଦେଇ ଏଠାରୁ ଲଢ଼ିଥିଲେ ହେଁ କଂଗ୍ରେସର ଅଧିରାଜ ମୋହନ ପାଣିଗ୍ରାହୀ ଖରିଆର ଆସନକୁ ମାରିନେଲେ।

Comment