ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ନବୀନଙ୍କ ପରେ କିଏ ବିଜେଡିର ନେତୃତ୍ୱ ନେବ ତାହାକୁ ନେଇ ରାଜନୈତିକ କରିଡରରେ ଚର୍ଚ୍ଚା

ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ବଢ଼ିଛି। ନବୀନଙ୍କ ପରେ କିଏ ବିଜେଡିର ନେତୃତ୍ୱ ନେବ ତାହା ଆଜିର ଦିନରେ ବଡ଼ ପ୍ରଶ୍ନ ହୋଇଥିବା ବେଳେ ନବୀନ ଏନେଇ ଗଣମାଧ୍ୟମରେ ମତ ରଖିଛନ୍ତି।

ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ବିଜେଡିର ଉତ୍ତରାଧିକାରୀ ବିଜେଡିରୁ ଆସିବେ ବୋଲି ନବୀନ କହିଛନ୍ତି। ବିଜେଡିର ଉତ୍ତରାଧିକାରୀ ସାଢ଼େ ୪ କୋଟି ଓଡ଼ିଆ ନିର୍ଣ୍ଣୟ କରିବେ ବୋଲି  ନିର୍ବାଚନ ପୂର୍ବରୁ କହିଥିବା ନବୀନ ନିର୍ବାଚନ ପରେ ବିଜେଡିରୁ ଉତ୍ତରାଧିକାରୀ କାହିଁକି ଆସିବେ କହିଲେ ତାକୁ ନେଇ ତର୍ଜମା ଚାଲିଛି। ତେବେ ବିଜେଡିରୁ କିଏ ଉତ୍ତରାଧିକାରୀ ହେବେ ତାହା ସ୍ପଷ୍ଟ କରି ନାହାନ୍ତି ନବୀନ।

କିଏ ହେବେ ଉତ୍ତରାଧିକାରୀ?

ନବୀନଙ୍କ ପରେ ବିଜେଡିର ନେତୃତ୍ୱ କିଏ ନେବେ ତାହା ଗତ କିଛି ବର୍ଷ ହେଲା ରାଜନୀତିରେ ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି। ନବୀନଙ୍କ ପରେ ବିଜେଡିର ମଙ୍ଗ ବିଜୁ ପରିବାରର ସଦସ୍ୟ ସମ୍ଭାଳିବେ ବୋଲି ଚର୍ଚ୍ଚା ହୋଇ ଆସୁଛି। ହେଲେ ସେ କିଏ ତାହା ଏଯାଏଁ ନବୀନ କିମ୍ବା ବିଜେଡିର କୌଣସି ନେତା ସ୍ପଷ୍ଟ କରି ନାହାନ୍ତି।

ବିଜେଡିର ନେତୃତ୍ୱ ନେବା ପାଇଁ ନବୀନଙ୍କ ଭଉଣୀ ଗୀତା ମେହଟ୍ଟା ଏବଂ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ନାଁ ଚର୍ଚ୍ଚା ହୋଇ ଆସୁଥିଲା। କିନ୍ତୁ ଗୀତା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଥିବା ବେଳେ ୨୦୧୫ରେ କଟକ ଆନନ୍ଦ ଭବନକୁ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରିବା ବେଳେ ଅରୁଣ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ହେଲେ ଏହି ଚର୍ଚ୍ଚା ଏଯାଏଁ ଥମିନି।

୨୦୧୯ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ବିଜୁ ଜନତା ଦଳ ଯେତେବେଳେ ସଜବାଜ ହେଉଥିଲା ସେତେବେଳେ ମଧ୍ୟ ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ହୋଇଥିଲା ଏବଂ ଅରୁଣଙ୍କ ନାଁ ଉଠିଥିଲା। ବିଜେଡିର କିଛି ଆଗଧାଡ଼ିର ନେତା ଅରୁଣ ପଟ୍ଟନାୟକ ଫ୍ୟାନ୍ କ୍ଲବ ନାଁରେ ସୋସିଆଲ ମିଡିଆରେ ଏକ ଗ୍ରୁପ୍ ଗଠନ କରିବାକୁ ପଛାଇ ନଥିଲେ।

ନିର୍ବାଚନ ବେଳେ ହଠାତ୍ ଅରୁଣ ପଟ୍ଟନାୟକ ଫ୍ୟାନ କ୍ଲବ କାହିଁକି ଗଠନ ହେଲା ତାକୁ ନେଇ ମଧ୍ୟ ରାଜନୀତି ପଣ୍ଡିତ କାରଣ ଖୋଜିଲେ। ଯୋଗକୁ ନବୀନ ଏଥର ନିର୍ବାଚନରେ ଦୁଇଟି ଜାଗାରୁ ପ୍ରାର୍ଥୀ ହୋଇଥିଲେ ଏବଂ ପରେ ବିଜୟୀ ହୋଇଥିଲେ। ୧୯ ବର୍ଷ ପରେ ନବୀନ ଦୁଇଟି ଜାଗାରୁ ପ୍ରାର୍ଥୀ ହୋଇଥିବାରୁ ବିଜେଡିର ଉତ୍ତରାଧିକାରୀ ପାଇଁ ବାଟ ଫିଟିଲା ବୋଲି ଚର୍ଚ୍ଚା ହେଲା। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ନବୀନଙ୍କ ସାକ୍ଷାତକାର।

ଉତ୍ତରାଧିକାରୀଙ୍କ ପାଇଁ ନବୀନ ଛାଡ଼ିବେ ଗୋଟିଏ ଆସନ

ନବୀନ ଏଥର ନିର୍ବାଚନରେ ବିଜେପୁର ଏବଂ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିଲେ। ଦୁଇଟି ଆସନରୁ ସେ ନିର୍ବାଚନ ଜିତିଛନ୍ତି। ହେଲେ ନିୟମ କହୁଛି ସେ ଗୋଟିଏ ଛାଡ଼ିବେ ଏବଂ ଗୋଟିଏ ରଖିବେ। ଚର୍ଚ୍ଚା ହେଉଛି ଯେ ନବୀନ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି। ୨୦୦୦ ମସିହାରୁ ସେ ହିଞ୍ଜିଳିରୁ ନିର୍ବାଚନ ଜିତି ଆସୁଛନ୍ତି। ହିଞ୍ଜିଳି ହେଉଛି ନବୀନ ଓ ବିଜେଡି ପାଇଁ ସୁରକ୍ଷିତ ଆସନ। ଏଣୁ ନବୀନ ହିଞ୍ଜିଳି ଛାଡ଼ିବେ ଏବଂ ଏହି ଆସନରୁ ଯିଏ ଆସିବେ ସେ ହେବେ ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ବୋଲି ଚର୍ଚ୍ଚା ହେଉଛି।

ଯିଏ ବି ଉତ୍ତରାଧିକାରୀ ଆସିବେ ସେ ପ୍ରଥମେ ବିଧିବଦ୍ଧ ଭାବେ ବିଜେଡିରେ ମିଶିବେ ଏବଂ ପାର୍ଟି ଟିକେଟରୁ ନିର୍ବାଚନ ଲଢ଼ିବେ। ନବୀନଙ୍କ ପରେ ସେ ବିଜୁ ଜନତା ଦଳର ଦାୟିତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି।

ମୂଳ ବିଜେଡି ନେତା କାହିଁକି ହେବେନି ଉତ୍ତରାଧିକାରୀ?

ବିଜେଡିରେ ନେତାଙ୍କର ଅଭାବ ନାହିଁ। କିଛି ନେତା ବିଜେଡି ଗଠନରୁ ଥିବା ବେଳେ ଆଉ କିଛି ନେତା ଅନ୍ୟ ଦଳରୁ ମଧ୍ୟ ଆସୁଛନ୍ତି। ଫଳରେ ବିଜେଡିର ପଲ୍ଲା ଭାରି ହେଉଛି। ନବୀନ ସାକ୍ଷାତକାରରେ ‘ବିଜେଡିର ଉତ୍ତରାଧିକାରୀ ବିଜେଡିରୁ’ କହିବା ପରେ ବିଜେଡି ଶିବିର ହଲଚଲ ହୋଇଯାଇଛି। କିଏ ନବୀନଙ୍କର ଏତେ ବିଶ୍ୱସ୍ତ ଯେ ସେ ତାଙ୍କ ଉତ୍ତରାଧିକାରୀ ହେବ ତାକୁ ନେଇ ଭାଳେଣି ପଡ଼ିଛି।

ହେଲେ ରାଜନୀତି ପଣ୍ଡିତ କିନ୍ତୁ ଏହାକୁ ଗ୍ରହଣ କରୁ ନାହାନ୍ତି। ସେମାନଙ୍କ ମତରେ ବିଜେଡି ନେତାଙ୍କ ଭିତରୁ କେହି ଉତ୍ତରାଧିକାରୀ ହେବା ସମ୍ଭବ ନୁହେଁ। କାରଣ ଯିଏ ବି ନେତା ହେବ ସେ ଦଳକୁ ସୁରୁଖୁରୁରେ ଚଲାଇ ପାରୁଥିବା ଦରକାର ଏବଂ ନେତା, କର୍ମୀ ଓ ଭୋଟରଙ୍କର ପ୍ରିୟଭାଜନ ହୋଇପାରୁଥିବା ଦରକାର। ଏଣୁ ଅନ୍ୟ ରାଜ୍ୟରେ ଥିବା ଆଞ୍ଚଳିକ ଦଳ ଭଳି ନବୀନ ମଧ୍ୟ ନିଜ ପରିବାରର ଜଣକୁ ଉତ୍ତରାଧିକାରୀ ଆସନରେ ବସାଇବାକୁ ଚିନ୍ତା କରୁଥିବା କୁହାଯାଉଛି।

ବିହାରରେ ଲାଲୁ ଯାଦବଙ୍କ ପରେ ତାଙ୍କ ଦୁଇ ତେଜ ପ୍ରତାପ ଏବଂ ତେଜସ୍ୱୀ ଯାଦବ ଦଳର ନେତୃତ୍ୱ ନେଉଥିବା ବେଳେ ଉତ୍ତରପ୍ରଦେଶରେ ମୁଲାୟମ ସିଂହ ଯାଦବଙ୍କ ପରେ ଅଖିଳେଶ ଦଳର ମଙ୍ଗ ସମ୍ଭାଳିଛନ୍ତି। ସେହିପରି ତାମିଲନାଡୁରେ କରୁଣାନିଧିଙ୍କ ଦେହାନ୍ତ ପରେ ଷ୍ଟାଲିନ ମଙ୍ଗ ଧରିଥିବା ବେଳେ ଆନ୍ଧ୍ରରେ ରାଜଶେଖର ରେଡ୍ଡିଙ୍କ ପୁଅ ଓ୍ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡି ମଧ୍ୟ ଭୋଟରଙ୍କ ପ୍ରିୟ ଭାଜନ ହୋଇଛନ୍ତି। ଏଣୁ ନବୀନ ମଧ୍ୟ ନିଜ ପରିବାରରୁ ଉତ୍ତରାଧିକାରୀ ବାଛି ପାରନ୍ତି ବୋଲି ଆଲୋଚନା ହେଉଛି।

Comment