ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ମାନସମନ୍ଥନ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୃହ ମନ୍ତ୍ରୀ ହେବା ପରେ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଜେପି ନଡ୍ଡା କିମ୍ବା ଭୁପେନ୍ଦ୍ର ଯାଦବଙ୍କ ଭିତରୁ ଜଣକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇପାରେ।

ଗତ ଜାନୁଆରି ମାସରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଅମିତ ଶାହଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲା। କିନ୍ତୁ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଶାହଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା। ଶାହଙ୍କ ନେତୃତ୍ୱରେ ବିଜେପି ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। ଏନଡିଏ ୩୫୩ ସିଟ୍ ପାଇଛି। ଫଳରେ ଶାହ ମୋଦି ସରକାରରେ ଗୃହ ମନ୍ତ୍ରୀ ହୋଇଛନ୍ତି।

ଏଣୁ ବିଜେପି ସଙ୍ଗଠନରେ ଅଦଳ ବଦଳ କରିବାକୁ ଜୋରଦାର ଆଲୋଚନା ଚାଲିଛି। ଶନିବାର ଶାହ ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରାତିରେ ପାର୍ଟିର ମହାସଚିବଙ୍କ ସହ ଆଲୋଚନା କରିଥିଲେ। ବିଜେପିର ସାଙ୍ଗଠନିକ ସ୍ଥିତି ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ଯେଉଁ ରାଜ୍ୟରେ ସଭାପତିମାନଙ୍କ କାର୍ଯ୍ୟକାଳ ଶେଷ ହୋଇଛି ସେଠାରେ ଖୁବଶୀଘ୍ର ନିର୍ବାଚନ କରି ସଭାପତି ଚୟନ କରିବାକୁ ଆଲୋଚନା ହୋଇଥିଲା। ବିଭିନ୍ନ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ଶେଷ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ହେବ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଦୁଇ ଜଣ ପ୍ରମୁଖ ଦାବିଦାର ଅଛନ୍ତି। ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟସଭା ସାଂସଦ ଭୁପେନ୍ଦ୍ର ଯାଦବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ତେବେ ଜେପି ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ରେସ୍‌ରେ ଆଗରେ ରହିଛନ୍ତି।

୨୦୧୯ ନିର୍ବାଚନ ବେଳେ ଜେପି ନଡ୍ଡାଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ କରାଯାଇଥିଲା। ଫଳରେ ଏଥର ୟୁପିରେ ବିଜେପି ବଡ଼ ବିଜୟ ହାସଲ କରିଥିଲା। ଏହାସହ ନଡ୍ଡାଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ। ଏଣୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।

Comment