ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପୁରୀରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୨୦୦ ବିଶେଷ ବସ୍ ଚାଳନାର ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଆରଡିସି ବୈଠକରେ ଭକ୍ତମାନଙ୍କ ସୁରକ୍ଷିତ ଯାତ୍ରା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଅଧିକ ଗହଳିକୁ ଏଡ଼ାଇବା ପାଇଁ ୨୦୦ ବସ୍ ଅଧିକ ଚାଲିବ। ସମସ୍ତ ବସଗୁଡ଼ିକ ପରସ୍ପର ଭିତରେ ସମନ୍ୱୟ ରକ୍ଷା କରିବା ଉପରେ ବେଶୀ ଗୁରୁତ୍ୱ ଦିଆଯାଇଛି। ଏହି ବସଗୁଡ଼ିକ କଟକ ବାଦମବାଡ଼ି, ଭୁବନେଶ୍ୱର, ବରମୁଣ୍ଡା, ମାଳତିପାଟପୁର ଓ ତାଳବଣିଆରୁ ଚାଲିବ। ବସ୍ ଷ୍ଟାଣ୍ଡରେ ଭିଡ଼ କମାଇବାକୁ ଟ୍ରାଫିକ ବ୍ୟବସ୍ଥା କରାଯିବ। ଏଥିପାଇଁ ୮ ଜଣ ପରିବହନ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ଆରଡିସି ଅନିଲ ସାମଲ।

ଏହାସହ ପ୍ରତି ବସଷ୍ଟାଣ୍ଡ ପାଖରେ ପ୍ରାଥମିକ ଚିକିତ୍ସା ଏବଂ ପାନୀୟ ଜଳ ବ୍ୟବସ୍ଥା କରାଯିବ। ତାଳବଣିଆଠାରୁ ଦିବ୍ୟଙ୍ଗମାନଙ୍କ ପାଇଁ ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି।

ଏହି ଆରଡିସି ବୈଠକରେ ପୁରୀ ଏସପି ଉମା ଶଙ୍କର ଦାସ ଓ ଭୁବନେଶ୍ୱର ଏବଂ କଟକର ପ୍ରାଇଭେଟ୍ ବସ୍ ମାଲିକମାନେ ଉପସ୍ଥିତ ଥିଲେ।

Comment