ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ-୨୦୧୯ ରୁ ବାହାର ହେଲେ ୱେଷ୍ଟଇଣ୍ଡିଜ୍‌ର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ। ବହୁ ଦିନ ଧରି ନିଜ ଆଣ୍ଠୁ ଯନ୍ତ୍ରଣାରେ ପୀଡ଼ିତ ଥିବା ରସେଲ ଶେଷରେ ବିଶ୍ୱକପରୁ ବିଦା ହୋଇଛନ୍ତି। ତାଙ୍କ ବଦଳରେ ୱେଷ୍ଟଇଣ୍ଡିଜ୍‌ର ୧୫ ଜଣିଆ ଟିମ୍‌ରେ ସାମିଲ ହୋଇଛନ୍ତି ସୁନିଲ ଅମ୍ବ୍ରିସ୍‌।

ଚଳିତ ବିଶ୍ୱକପରେ ଆଣ୍ଠୁ ଯନ୍ତ୍ରଣା ସତ୍ତ୍ୱେ ରସେଲ ଏପର୍ଯ୍ୟନ୍ତ ୪ ଟି ମ୍ୟାଚ୍‌ ଖେଳିସାରିଛନ୍ତି। ତେବେ ପାକିସ୍ତାନ ବିପକ୍ଷ ଶେଷ ମ୍ୟାଚ୍‌ରେ ଆଣ୍ଡୁ ଯନ୍ତ୍ରଣା ସାଙ୍ଘାତିକ ହେବାରୁ ଉଭୟ ବ୍ୟାଟିଂ ଓ ବୋଲିଂ କରିବାକୁ ସକ୍ଷମ ହୋଇପାରିନଥିଲେ। ଚଳିତ ବିଶ୍ୱକପରେ ରସେଲ ୩ଟି ଇନିଂସରେ ବ୍ୟାଟିଂ କରି ୩୬ ରନ୍‌ ସଂଗ୍ରହ କରିଥିବା ବେଳେ ୪ଟି ମ୍ୟାଚ୍‌ରେ ବୋଲିଂ କରି ୫ ୱିକେଟ୍ ସଂଗ୍ରହ କରିଛନ୍ତି।

ଆନ୍ଦ୍ରେ ରସେଲଙ୍କ ବଦଳରେ ୱେଷ୍ଟଇଣ୍ଡିଜ୍‌ ଟିମ୍‌ରେ ସାମିଲ ହୋଇଛନ୍ତି ସୁନିଲ ଅମ୍ବ୍ରିସ୍‌। ୨୦୧୭ ମସିହାରେ ଅମ୍ବ୍ରିସ୍‌ ଇଂଲଣ୍ଡ ବିପକ୍ଷରେ ନିଜ ଦିନିକିଆ କ୍ରିକେଟ୍‌ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ସେ ମାତ୍ର ୬ଟି ଦିନିକିଆ  ମ୍ୟାଚ୍‌ ଖେଳିଛନ୍ତି। ଗତ ବର୍ଷ ଆର୍ୟଲାଣ୍ଡ ବିପକ୍ଷରେ ସର୍ବାଧିକ ୧୪୮ ରନ୍‌ ସଂଗ୍ରହ କରି ଲୋକଲୋଚନକୁ ଆସିଥିଲେ।

Comment