ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ବିଶ୍ୱ ଦରବାର ଆଗରେ ଭାରତର ପ୍ରତିନିଧିତ୍ୱ କରିବେ ଦୌଡ଼ରାଣୀ ଦୂତିଚାନ୍ଦ। ଆସନ୍ତା ଜୁଲାଇ ୩ ରୁ  ୧୪ ତାରିଖ ପର୍ଯ୍ୟନ୍ତ ଇଟାଲୀର ନାପୋଲିରେ ଅନୁଷ୍ଠିତ ହେବାକୁ ଯାଉଛି ୩୦ତମ ୱାର୍ଲ୍ଡ ୟୁନିଭରସିଟି ଗେମ୍‌ସ। ଏହି ଆନ୍ତର୍ଜାତିକ କ୍ରୀଡା ସମାରୋହରେ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର ନେତୃତ୍ୱ ନେବେ ଭାରତୀୟ ଧାବିକା ଦୂତୀ ଚାନ୍ଦ। ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ଦୂତୀ ଚାନ୍ଦ ଭାରତୀୟ ବିଶ୍ୱବିଦ୍ୟାଳୟ ପାଇଁ ଫ୍ଲାଗ ବିଅରର ଭାବେ ନେତୃତ୍ୱ ନେବେ।

ଏଥିସହିତ କିଟ୍ ବିଶ୍ୱବିଦ୍ୟାଳୟର କ୍ରୀଡା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶଙ୍କୁ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର ଉପମୁଖ୍ୟ ଦାୟିତ୍ୱ ଦିଆଯାଇଛି। କିସ୍‌ର ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ରୁଦ୍ରକେଶ ଜେନା ଦଳର ଅଫିସିଆଲ୍ ପ୍ରତିନିଧି ମଣ୍ଡଳର ଦାୟିତ୍ୱ ନେବେ।

ସେହିପରି କିଟ୍ର ଆଥଲେଟିକ୍ସ ମୁଖ୍ୟ କୋଚ୍ ସଞ୍ଜୟ ଗଡନାୟକ ଭାରତୀୟ ବିଶ୍ୱବିଦ୍ୟାଳୟ ଆଥଲେଟସ୍ ଦଳର ନେତୃତ୍ୱ ନେବେ। ଏନେଇ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ବିଧାୟକ ଅଚ୍ୟୁତ ସାମନ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ଅବସରରେ ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, “ଓଡିଶାରୁ ଏକମାତ୍ର ଆଥଲେଟ୍ ଭାବେ ଦୂତୀ ଚାନ୍ଦ ୱାର୍ଲ୍ଡ ୟୁନିଭରସିଟି ଗେମ୍‌ସରେ ପ୍ରତିନିଧିତ୍ୱ କରୁଛନ୍ତି। ଏହା କିଟ୍‌ ସମେତ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।”

ସୂଚନାଯୋଗ୍ୟ, ୱାର୍ଲ୍ଡ ୟୁନିଭରସିଟି ଗେମ୍‌ସ ପାଇଁ ଗତ ଏପ୍ରିଲ୍ ୨ରୁ ୫ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଶିକ୍ଷଣ ଓ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ୫୧ ଜଣ କ୍ରୀଡାବିତ୍ ଓ ୧୦ ପ୍ରଶିକ୍ଷକ ଯୋଗ ଦେଇଥିଲେ। ତେବେ ସୋନେ ଶନିବାର ଇଟାଲୀ ଅଭିମୁଖେ ଯାତ୍ରା କରିବେ। ଏହି କ୍ରୀଡା ସମାରୋହରେ ସଫଳ ହେବା ପାଇଁ ପ୍ରତ୍ୟେକ କ୍ରୀଡାବିତ୍‌ଙ୍କୁ ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।

Comment