ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

୧୩ ବିଧାୟକଙ୍କ ସମେତ ମେଣ୍ଟ ସରକାରରୁ ଇସ୍ତଫା ଦେଲେ ସବୁ ମନ୍ତ୍ରୀ।

ଉଠୁଛି ପଡୁଛି କର୍ଣ୍ଣାଟକ ରାଜନୀତି। ଗତ ଦୁଇ ଦିନ ତଳେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୧ ବିଧାୟକ ଇସ୍ତଫା ଦେବା ପରେ ଆଜି ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଫଳରେ କୁମାରସ୍ୱାମୀଙ୍କ ସରକାର ସଙ୍କଟରେ ପଡ଼ିଛି।

ହେଲେ ସରକାର ପ୍ରତି କୌଣସି ସଙ୍କଟ ନଥିବା କୁମାରସ୍ୱାମୀ କହିଛନ୍ତି। ପୁଣି ଥରେ ମନ୍ତ୍ରିମଣ୍ଡଳ ଗଠନ ହେବ ବୋଲି କହିଛନ୍ତି କୁମାରସ୍ୱାମୀ।

କଂଗ୍ରେସ ପାଇଁ ଚାଲେଞ୍ଜ

ସାରା ଦେଶରେ କଂଗ୍ରେସ ସଙ୍କଟରେ ପଡ଼ିଥିବା ବେଳେ ୧୩ ମାସ ତଳେ କେବଳ କର୍ଣ୍ଣାଟକରେ ଜେଡିଏସ୍‌ ସହ ମିଶି କଂଗ୍ରେସ ସରକାର ଗଠନ କରିଥିଲା। ବିଜେପି ପୂର୍ଣ୍ଣ ବହୁମତ ପାଇଥିଲେ ମଧ୍ୟ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଗଠନ କରିଥିଲେ। ମାତ୍ର ୧୩ ମାସ ପରେ ମେଣ୍ଟ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। ଏଣୁ ମେଣ୍ଟ ସରକାରକୁ କେମିତି ସୁରକ୍ଷା ଦେବ ତାହା କଂଗ୍ରେସ ପାଇଁ ଚାଲେଞ୍ଜ ହୋଇଛି।

୨୦୧୯ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। ଏହି ପରାଜୟ ପାଇଁ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏଣୁ କଂଗ୍ରେସ କର୍ଣ୍ଣାଟକରେ କେମିତି ସରକାରକୁ କେମିତି ସୁରକ୍ଷା ଦେଉଛି ତା’ ଉପରେ ରହିଛି ନଜର।

କୁମାରସ୍ୱାମୀ ଦେଇପାରନ୍ତି ଇସ୍ତଫା

ରବିବାର ସନ୍ଧ୍ୟାରେ ଏକ ହୋଟେଲରେ ବୈଠକ ବସିଥିଲା। ଏହି ବୈଠକରେ ବରିଷ୍ଠ ନେତା ଏଚ୍‌ଡି ଦେବେଗୌଡା, ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ସମେତ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ। ମେଣ୍ଟ ସରକାର କର୍ଣ୍ଣାଟକରେ କେମିତି ରହିବ ତାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ତେବେ କୁହାଯାଉଛି ଯେ ସରକାର ବଞ୍ଚାଇବା ପାଇଁ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ବର୍ତ୍ତମାନ ସୁଦ୍ଧା କଂଗ୍ରେସର ୧୦ ଏବଂ ଜେଡିଏସ୍‌ର ୩ ବିଧାୟକ ଇସ୍ତଫା ଦେଇଛନ୍ତି।

ଶନିବାର ଦିନ କଂଗ୍ରେସ-ଜେଡିଏସ୍‌ର ୧୩ ବିଧାୟକ ବାଚସ୍ପତିଙ୍କୁ ଇସ୍ତଫା ଦେଇଛନ୍ତି। ହେଲେ ବାଚସ୍ପତି ଇସ୍ତଫାପତ୍ର ଗ୍ରହଣ କରି ନାହାନ୍ତି। ମଙ୍ଗଳବାର ଏ ସମ୍ପର୍କରେ ଆଲୋଚନା ହେବ। ଯଦି ୧୩ ବିଧାୟକଙ୍କ ଇସ୍ତଫା ଗୃହୀତ ହୁଏ ତାହାଲେ କୁମାରସ୍ୱାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯିବ।

Comment