ଓଡ଼ିଶାଲାଇଭ୍ ବ୍ୟୁରୋ

ବାରିପଦାର ରଥଯାତ୍ରା ଯେମିତି ନିଆରା, ଶ୍ରଦ୍ଧାଳଡ଼ୁ ବି ସେମିତି ନିଆରା। ବର୍ଷକରେ ଥରେ କେବଳ ବାହୁଡ଼ା ଯାତ୍ରାରେ ବାରିପଦାରେ ଏହି ଶ୍ରଦ୍ଧାଲଡ଼ୁ ଲୋକମାନଙ୍କ ଉପରେ ଫିଙ୍ଗା ଯାଇଥାଏ।

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ଏହି ବାହୁଡା ଯାତ୍ରାରେ କିଛିଟା ସ୍ୱତନ୍ତ୍ରତା ଆଉ କିଛିଟା ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଦେଶର ବିଭିନ୍ନ କ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା ଗୋଟିଏ ଦିନରେ ପାଳିତ ହେଉଥିବା ବେଳେ ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ପୀଠରେ ଏହା ଭିନ୍ନ ଭିନ୍ନ ଢଙ୍ଗରେ ୪ଦିନ ବ୍ୟାପି ପାଳିତ ହୋଇଥାଏ।

ମୟୂରଭଞ୍ଜର ତତ୍କାଳିନ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ସମୟରେ ଆରମ୍ଭ କରାଯାଇଥିବା ଏହି ପାରମ୍ପରିକ ଯାତ୍ରାକୁ ତିନିଦିନ ବ୍ୟାପି ଚାଲିବାର କାର୍ଯ୍ୟକ୍ରମ ରଖାଯାଇଛି। ଶୁକ୍ରବାରଠାରୁ ଆରମ୍ଭ କରାଯାଇଥିବା ଏହି ରଥଟଣା କାର୍ଯ୍ୟକ୍ରମର ଆଜି ହେଉଛି ଶେଷ ପର୍ବ।

ଅଧରାସ୍ତାରେ ଥିବା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବାରିପଦା ବଡ଼ଦାଣ୍ଡର ଶୋଭାମଣ୍ଡନ କରିଥିଲା। ପାଗ ଅନକୂଳ ଥିବାରୁ ଲକ୍ଷାଧିକ ଭକ୍ତମାନଙ୍କ ଭକ୍ତି ଆଉ ଆବେଗ ବାରିପଦାର ବଡ଼ଦାଣ୍ଡକୁ ଜନସମୁଦ୍ରରେ ପରିଣତ କରିଥିଲା।

ଆବାଳ ବୃଦ୍ଧବନିତା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଜଗନ୍ନାଥଙ୍କ ପ୍ରେମରେ ମତୁଆଲା ହୋଇପଡ଼ିଥିଲେ। ତେବେ ଆଜିର ପବିତ୍ର ଗୁଣ୍ଡିଚା ଶେଷ ପର୍ବର ପ୍ରମୁଖ ଆକର୍ଷଣ ଥିଲା ଶ୍ରଦ୍ଧାଲଡ଼ୁ।

ଏହି ସମୟର ଦୃଶ୍ୟ କି ଅପୂର୍ବ। ଗୁଡ ଆଉ ବେସନରେ ପ୍ରସ୍ତୁତ ଏହି ସ୍ଵତନ୍ତ୍ର ଲଡୁ କେବଳ ରଥ ସମୟରେ ବାରିପଦାରେ ହିଁ ମିଳିଥାଏ। ସତେଯେମିତି ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ପାଇଁ ଏହି ଲଡୁ ସଂଗରେ ଧରି ଆସିଥାନ୍ତି। ମହାପ୍ରସାଦ ରୂପି ଏହି ଲଡୁଟିଏ ପାଇବାକୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ କି ଆଗ୍ରହ।

ରଥ ଟାଣି ଟାଣି ଭକ୍ତମାନେ କାଳେ ଥକି ପଡିଥିବେ, ସେଥିପାଇଁ  ରଥଟଣା ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରୁ ଭକ୍ତମାନଙ୍କ ପାଇଁ ଫିଙ୍ଗା ଯାଇଥିଲା ଅମୃତ ସମାନ ସୁଆଦିଆ ଶ୍ରଦ୍ଧାଲଡୁ। ଗୁଡ଼-ବେସନରେ ପ୍ରସ୍ତୁତ ଏହି ସ୍ଵତନ୍ତ୍ର ଲଡୁ କେବଳ ବାରିପଦାର ନିଆରା।

ଭକ୍ତମାନେ ସତେ ଯେମିତି ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି ମହାପ୍ରଭୁଙ୍କ ଶ୍ରଦ୍ଧାଲଡୁର ସ୍ଵାଦ ଚାଖିବାକୁ। ଏହି ମହାନ ପାରମ୍ପରିକ ଯାତ୍ରା ସହିତ ମିନାବଜାରର ଭିଡ଼ ଏବଂ ରଙ୍ଗବେରଙ୍ଗ ଜନସମାବେଶ ଏହି ପାରମ୍ପରିକ ଯାତ୍ରାକୁ ବେଶ ଆକୃଷ୍ଟ କରିଥିଲା। ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଯେତିକି ଧ୍ୟାନ ଦିଆଯାଇଥିଲା, ସହରର ପରିମଳ ବ୍ୟବସ୍ଥା ପ୍ରତି ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Comment