ଓଡ଼ିଶାଲାଇଭ ବ୍ୟୁରୋ

  •  ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ଜିଲ୍ଳାପାଳ
  •  ୭ବର୍ଷ ମଧ୍ୟରେ ଆସିପାରିଲାନି ତଦନ୍ତ ରିପୋର୍ଟ
  •  ଘର ନ ଥିବାରୁ ଅନ୍ୟ ବାରଣ୍ଡାରେ ବୃଦ୍ଧ ଦମ୍ପତିଙ୍କ ଜୀବନ

୭ ବର୍ଷ ତଳେ ନିଆଁ ଲାଗି ଘର ଜଳିଯାଇଥିଲା। ଯେଉଁ ଭଙ୍ଗା ଦଦରା ଘର ଖଣ୍ଡେ ଥିଲା ତାହା ବର୍ଷାରେ ଭାଙ୍ଗିଗଲା। ଘର ଖଣ୍ଡିକ ପାଇଁ ତତ୍କାଳୀନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗାଁର ବୃଦ୍ଧ ଦୁର୍ଯ୍ୟୋଧନ ଭତ୍ରା। ଜିଲ୍ଳାପାଳ ନନ୍ଦାହାଣ୍ଡି ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଏଯାଏଁ ତଦନ୍ତ ରିପୋର୍ଟ ଆସିନି। ଏହାରି ଭିତରେ ୭ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ବୃଦ୍ଧଙ୍କୁ ଘର ଖଣ୍ଡେ ମିଳିଲାନି। ଘର ନ ଥିବାରୁ ବୃଦ୍ଧ ଦମ୍ପତି ଅନ୍ୟ ବାରଣ୍ଡାରେ ଜୀବନ କାଟୁଛନ୍ତି।

୨୦୧୨ ମସିହାରେ ନିଆଁ ଲାଗି ଦୁର୍ଯ୍ୟୋଧନଙ୍କ ଘର ପୋଡ଼ି ଯାଇଥିଲା। ସେତେବେଳେ ଘର ପୋଡ଼ି ସହାୟତା କିଛିବି ମିଳିନଥିଲା। ଭଙ୍ଗା ଘରେ ଦୁର୍ଯ୍ୟୋଧନ ତାଙ୍କ ସ୍ତ୍ରୀ ସହିତ ଆଶ୍ରୟ ନେଇଥିଲେ। ବର୍ଷ।ରେ ସେହି ଘର ଖଣ୍ଡିକ ମଧ୍ୟ ଭାଙ୍ଗି ଯାଇଥିଲା। ସେମାନଙ୍କ ପାଇଁ ରହିବାକୁ ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ଅନ୍ୟ ଘର ବାରଣ୍ଡାରେ ରହି ଆସୁଛନ୍ତି।

‘‘ଘର ଖଣ୍ଡିକ ପାଇଁ ତହସିଲଦାରଠାରୁ ଜିଲ୍ଳାପାଳଙ୍କ ପର୍ଯ୍ୟନ୍ତ ସେ ସମସ୍ତଙ୍କ ଦ୍ୱାରସ୍ତ ହୋଇଛି। ହେଲେ କାହାର କୃପା ଦୃଷ୍ଟି ଆଜିଯାଏଁ ଆମ ଉପରେ ପଡ଼ିଲାନି। ସେଥିଲାଗି ଏମିତି ଜୀବନ କାଟିବାକୁ ପଡ଼ୁଛି’’, କହିଛନ୍ତି ଦୁର୍ଯ୍ୟୋଧନ।

ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ୨୦୧୨ ମସିହା ଅକ୍ଟୋବର ୩୦ ତାରିଖରେ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଘର ପାଇଁ ଜଣାଇଥିଲେ। ଦରଖାସ୍ତ ସଂଖ୍ୟା ୨୧୮୦ ରହିଥିଲା । ଜିଲ୍ଳାପାଳ ନନ୍ଦାହାଣ୍ଡି ତହସିଲଦାରଙ୍କୁ ଏହି ଘଟଣାର ତଦନ୍ତ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଫଳଶୂନ।

ଘରଖଣ୍ଡେ ତିଆରି କରିବାକୁ ତାଙ୍କର ସମ୍ବଳ ନାହିଁ। ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡେ ବି ମିଳିପାରିଲା ନାହିଁ। ଗୋଟିଏ ପଟେ ଆର୍ଥିକ ସମ୍ବଳ ନଥିଲା ବେଳେ ବୋଝ ଉପରେ ଲଳିତା ବିଡ଼ା ସାଜିଛି ଦୃଷ୍ଟିହୀନତା। ଗୋଟିଏ ଆଖିକୁ ଦେଖାଯାଉନଥିଲା ବେଳେ  ଅନ୍ୟ ଏକ ଆଖି ବୟସାଧିକ କାରଣରୁ ଦୃଷ୍ଟି ବାଧିତ ରହିଛି ।

‘‘ଯଦି ପ୍ରଶାସନର କିଛି ସହାୟତା ମିଳେ ତାହେଲେ ଆମ ବାର୍ଦ୍ଧକ୍ୟ ଜୀବନ ସୁଖରେ କଟିପାରନ୍ତା କହିଛନ୍ତି‘‘,  ଦୁର୍ଯ୍ୟୋଧନ।

Comment