ଓଡ଼ିଶାଲାଇଭ୍‌ ବ୍ୟୁରୋ

bjp

ଭାରତର ସବୁଠାରୁ ଧନୀ ରାଜନୈତିକ ଦଳ ହେଉଛି ବିଜେପି। ବୁଧବାର ଆସୋସିଏସନ୍ ଅଫ୍ ଡେମୋକ୍ରେଟିକ୍ ରିଫର୍ମ୍ସ (ଏଡିଆର୍)ଦ୍ୱାରା ପ୍ରକାଶିତ ରିପୋର୍ଟରେ ବିଜେପି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ ଭାବେ ସ୍ଥାନ ପାଇଛି। ୨୦୧୬-୧୭ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଦେଶର ସାତଟି ଜାତୀୟ ରାଜନୈତିକ ଦଳ (ବିଜେପି, କଂଗ୍ରେସ, ଏନସିପି, ବିଏସପି, ସମାଜବାଦୀ ପାର୍ଟି, ସିପିଏମ୍, ତୃଣମୂଳ କଂଗ୍ରେସ)ମାନଙ୍କର ସମ୍ପତ୍ତି ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିଛି ଏଡିଆର୍।

ରିର୍ପୋଟ ମୂତାବିକ, ଶାସକ ବିଜେପି ଦଳର ମୋଟ ସମ୍ପତ୍ତି ଦେଶର ଅନ୍ୟ ସମସ୍ତ ଦଳର ସମ୍ପତ୍ତିଠାରୁ ଢେର୍ ଆଗରେ ରହିଛି। ୨୦୧୬-୧୭ରୁ ୨୦୧୭-୧୮ ଆର୍ଥିକ ବର୍ଷରେ ଦଳର ସମ୍ପତ୍ତି ୨୨.୨୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୬-୧୭ରେ ବିଜେପିର ସମ୍ପତ୍ତି ୧୨୧୩.୧୩ କୋଟି ଟଙ୍କା ରହିଥିଲାବେଳେ ୨୦୧୭-୧୮ରେ ଏହା ବୃଦ୍ଧି ପାଇ ୧୪୮୩.୩୫ କୋଟିରେ ପହଞ୍ଚିଛି।

ସେହିପରି, କଂଗ୍ରେସ ଓ ଏନସିପି ଦଳର ସଂପତ୍ତିର ପରିମାଣ ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ କଂଗ୍ରେସର ସମ୍ପତ୍ତି ୮୫୪.୭୫କୋଟି ଟଙ୍କା ରହିଥିବାବେଳେ ୨୦୧୭-୧୮ ବର୍ଷକୁ ଏହା ହ୍ରାସପାଇ ୭୨୪.୩୫ କୋଟିରେ ପହଞ୍ଚିଛି।  କଂଗ୍ରେସର ସଂପତ୍ତିର ମୋଟ ୧୫.୨୬ ପ୍ରତିଶତ ହ୍ରାସ ପାଇଛି ସେହିଭଳି ଏନସିପି ଦଳର ସଂପତ୍ତି ୧୧.୪୧ କୋଟିରୁ ହ୍ରାସ ପାଇ ୯.୫୪ କୋଟିରେ ପହଞ୍ଚିଛି।

ସେହିପରି ତୃଣମୂଳ କଂଗ୍ରେସ ପାଇଁ ଚଳିତ ନିର୍ବାଚନ ଭଲ ଯାଇନଥିବା ବେଳେ ଏହାର ପ୍ରଭାବ କିନ୍ତୁ ଟିଏମସିର ସଂପତ୍ତି ଉପରେ ପଡିନାହିଁ। ତୃଣମୂଳ କଂଗ୍ରେସର ସଂପତ୍ତି ୨୦୧୬-୧୭ ଆର୍ଥିକ ବର୍ଷରେ ୨୬.୨୫ କୋଟି ରହିଥିବାବେଳେ ୨୦୧୭-୧୮ ବର୍ଷକୁ ଏହା ବୃଦ୍ଧି ପାଇ ୨୯.୧୦ କୋଟିରେ ପହଞ୍ଚିଛି।

ଚଳିତବର୍ଷ ଏଡିଆର୍ ରିପୋର୍ଟ ଅନୁସାରେ ୨୦୧୬-୧୭ ଆର୍ଥିକବର୍ଷରେ ପ୍ରତ୍ୟେକ ଦଳର ସଂପତ୍ତି ହାରାହାରି ୪୬୫.୮୩ କୋଟି ରହିଥିଲା। ୨୦୧୭-୧୮ ଆର୍ଥିକ ବର୍ଷକୁ ଏହା ବୃଦ୍ଧି ପାଇ ହାରାହାରି ୪୯୩.୮୧ କୋଟିରେ ପହଞ୍ଚିଛି।

Comment