ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ୩୭୦ ହଟିବା ପରେ ଇମ୍ରାନ ସରକାରଙ୍କ ଛନକା।

ଜମ୍ମୁ କଶ୍ମୀରରୁ ଭାରତ ସରକାର ୩୭୦ ଉଛେଦ କରିବା ପରେ ଭାରତ-ପାକିସ୍ତାନ ସମ୍ପର୍କ ନୂଆ ମୋଡ଼ ନେଇଛି। ପାକିସ୍ତାନ ଭାରତ ସହିତ ବାଣିଜ୍ୟିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଏହାସହ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସକୁ ଉଠାଇ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍।

ପାକିସ୍ତାନର ଏହି କଡ଼ା ଆଭିମୁଖ୍ୟ ପରେ ଭାରତ କି ପଦକ୍ଷେପ ନେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ମାତ୍ର ବର୍ଷକ ତଳେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନ ଖାନ୍‌ଙ୍କ ନଜର ଭାରତ ପ୍ରତି କେମିତି ଥିଲା ଜାଣନ୍ତୁ ଏହି ରିପୋର୍ଟରୁ।

ଇମ୍ରାନ କହିଥିଲେ ବନ୍ଧୁତା ବଢ଼ିବ

ପାକିସ୍ତାନ ନିର୍ବାଚନ ଶେଷ ହେବା ପରେ ଇମ୍ରାନ୍ ଖାନ୍‌ଙ୍କ ତହରିକ୍‌-ଇନସାଫ୍‌ (ପିଟିଆଇ) ସଂଖ୍ୟା ଗରିଷ୍ଠତା ପାଇଥିଲା। ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ୨୦୧୮ ଜୁଲାଇ ୨୬ରେ ଗଣମାଧ୍ୟମରେ ବିବୃତି ଦେଇ ଇମ୍ରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଥିଲେ।

ଇମ୍ରାନ ସେତେବେଳେ କହିଥିଲେ, ‘‘କାଶ୍ମୀର ସମସ୍ୟା ଦୁଇଦେଶର ସମ୍ପର୍କ ମଧ୍ୟରେ ବଡ଼ ପ୍ରତିବନ୍ଧକ ହୋଇ ରହିଥିବା ସତ୍ତ୍ୱେ ଆମକୁ ସମ୍ପର୍କକୁ ଆଗେଇ ନେବାକୁ ହେବ। ଭାରତ ଗୋଟିଏ ପାଦ ଆଗକୁ ଆସିଲେ ଆମେ ଦୁଇପାଦ ଆଗେଇବାକୁ ପ୍ରସ୍ତୁତ ଅଛୁ। ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେଲେ ବେପାର ବାଣିଜ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ପାକିସ୍ତାନରେ ଆର୍ଥିକ ପ୍ରଗତି ଆସିପାରିବ।”

ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସତ, ହେଲେ ଭାରତ-ପାକିସ୍ତାନ ସମ୍ପର୍କରେ ସେମିତି କିଛି ସୁଧାର ଆସି ପାରିଲାନି। ଆତଙ୍କବାଦ ସମସ୍ୟାକୁ ନେଇ ସବୁବେଳେ ଦୁଇ ଦେଶ ମୁହାଁମୁହିଁ ଅବସ୍ଥାରେ ରହିଲେ।

ମୋଦି ଜଣାଇଲେ ଶୁଭେଛା

୨୦୧୮ ଅଗଷ୍ଟ ୧୮ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ ଖାନ୍। ଇମ୍ରାନ ଖାନ୍‌ଙ୍କ ଦଳ ସଂଖ୍ୟା ଗରିଷ୍ଠତା ପାଇବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଯଦି ବର୍ଷକର ରିପୋର୍ଟ ଦେଖିବା ତାହାଲେ ସମ୍ପର୍କରେ ସେମିତି କିଛି ଆଖି ଦୃଶିଆ ଉନ୍ନତି ଆସି ନଥିବା ଜଣାପଡୁଛି।

ପୁଲୱାମା ସବୁ ବିଗାଡ଼ି ଦେଲା

ଇମ୍ରାନ୍ ଖାନ୍ ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ବି ସୀମାନ୍ତରେ ଅଶାନ୍ତି ଲାଗି ରହୁଥିଲା ଏବଂ ଭାରତୀୟ ସୀମାରେ ଅନୁପ୍ରବେଶକାରୀ ପ୍ରବେଶ କରୁଥିଲେ। ଭାରତ ଏହାର ଜବାବ ଦେଇ ଆସୁଥିଲା। କିନ୍ତୁ ୨୦୧୯ ଫେବ୍ରୁଆରିରେ ସବୁ ସୀମା ଟପି ଯାଇଥିଲା ପାକିସ୍ତାନ।

ଇମ୍ରାନଙ୍କ ଅମଳରେ ସମ୍ପର୍କରେ ସୁଧାର ଆସିବ ବୋଲି ଯାହା କୁହାଯାଉଥିଲା ସେଥିରେ ଭଟ୍ଟା ପକାଇଦେଲା ପୁଲୱାମା ଆକ୍ରମଣ।

ଭାରତରେ ସାଧାରଣ ନିର୍ବାଚନର ଠିକ୍‌ ଦୁଇ ମାସ ପୂର୍ବରୁ କଶ୍ମୀରର ପୁଲୱାମାରେ ବଡ଼ ଧରଣର ଆତଙ୍କବାଦୀ ହମ୍‌ଲା ହୋଇଥିଲା। ପ୍ରାୟ ୪୬ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପଛରେ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ହାତ ଥିବା ଜଣାପଡ଼ିବା ପରେ ଭାରତି କଡ଼ା ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ନେଇଥିଲା।

ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍‌ କରିଥିଲେ। ଏହାପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭିଡିଓ ଜାରି କରି ଏହାକୁ ଖଣ୍ଡନ କରିଥିଲେ।

ଇମ୍ରାନଙ୍କୁ ଭେଟିଲେନି ମୋଦି

ପୁଲୱାମା ଆକ୍ରମଣ ପରେ ବିସ୍‌କେକ୍‌ଠାରେ ହୋଇଥିଲା ଏସ୍‌ସିଓ ସମ୍ମିଳନୀ। ପ୍ରାୟ ୧୦ରୁ ଅଧିକ ଦେଶର ରାଷ୍ଟ୍ରମୁଖ୍ୟମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନିଟି ଆସନ ପରେ ବସିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ହେଲେ ଦୁହିଁଙ୍କ ଭିତରେ କୌଣସି କଥାବାର୍ତ୍ତା ହୋଇ ନଥିଲା।

କିର୍ଗିଜସ୍ତାନ ପକ୍ଷରୁ ଡିନର ପାର୍ଟି ଆୟୋଜନ କରାଯାଇଥିଲା। ଡିନର ପାର୍ଟିରେ ମୋଦି ଏବଂ ଇମ୍ରାନଙ୍କ ଭିତରେ ଭେଟ ହୋଇଥାନ୍ତା। ହେଲେ ଦୁଇ ପ୍ରଧାନମନ୍ତ୍ରୀ ଡିନର ପାର୍ଟିକୁ ଯାଇ ନଥିଲେ।

ମୋଦିଙ୍କୁ ଇମ୍ରାନ ଦେଲେ ଶୁଭେଛା

ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କ ଦଳ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ନିର୍ବାଚନ ଫଳ ବାହାରିବା ଦିନ ଟିଭି ପରଦାରେ ମୋଦିଙ୍କ ହସ ହସ ଫଟୋ ପ୍ରଦର୍ଶିତ ହେଉଥିଲା। ବିଜେପି ବିଜୟ ଉତ୍ସବ ପାଳୁଥିଲା। ହେଲେ ଏହି ସମୟରେ ପାକିସ୍ତାନରୁ ଆସିଥିଲଶ ଟୁଇଟ୍‌। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ମୋଦିଙ୍କୁ ଶୁଭେଛା ଜଣାଇଥିଲେ।

ମୋଦିଙ୍କ ଦ୍ୱିତୀୟ ପାଳିରେ ଭାରତ-ପାକିସ୍ତାନ ନୂଆ ଆରମ୍ଭ କରିବେ ବୋଲି ଇମ୍ରାନ କହିଥିଲେ। କିନ୍ତୁ ମୋଦିଙ୍କ ଦ୍ୱିତୀୟ ପାଳି ସରକାର ଜମ୍ମୁ କଶ୍ମୀରରୁ ୩୭୦ ହଟାଇ ଦେଇଛି। ଫଳରେ ଇମ୍ରାନ ଏବେ ଚିନ୍ତାରେ ପଡ଼ିଛନ୍ତି। କଶ୍ମୀର ପ୍ରସଙ୍ଗକୁ ନେଇ ଯେଉଁ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ରାଜନୀତି କରୁଥିଲା ସେ ବାଟ ବନ୍ଦ କରି ଦେଇଛନ୍ତି ମୋଦି। ପୁଲୱାମା ଆତଙ୍କୀ ହମ୍‌ଲାର ଏହା ବଡ଼ ଜବାବ ବୋଲି ଚର୍ଚ୍ଚା ହେଉଛି।

ଇମ୍ରାନ କ’ଣ କରିବେ?

ଜମ୍ମୁ କଶ୍ମୀରରୁ ୩୭୦ ହଟିବା ପରେ ସବୁଠୁ ବଡ଼ କ୍ଷତି ପାକିସ୍ତାନ ସହିବ ବୋଲି କୁହାଯାଉଛି। ଏପଟେ ୩୭୦ ହଟାଇବା ପାଇଁ ଭାରତୀୟ ସଂସଦରେ ବିଲ୍‌ ପାସ୍‌ ହେଉଥିବା ବେଳେ ପାକିସ୍ତାନରେ ଦେଖିବାକୁ ମିଳିଥିଲା କମ୍ପନ। ଇମ୍ରାନ ଖାନ୍‌ ଡାକିଥିଲେ ମିଳିତ ଅଧିବେଶନ। ଏହି ଅଧିବେଶନ ଶାସକ ବିରୋଧୀ କଥା କଟାକଟି ହୋଇଥିଲେ। ଶେଷରେ ଇମ୍ରାନ ଭାରତକୁ ପରୋକ୍ଷରେ ଧମକ ଦେଇଥିଲେ। ୩୭୦ ପାଇଁ ଆଗାମୀ ଦିନରେ ପୁଲୱାମା ଭଳି ଆକ୍ରମଣ ହୋଇପାରେ ବୋଲି କହିଥିଲେ। ଆଜି ସମ୍ପର୍କ ଛିନ୍ନ କରିଛନ୍ତି ଇମ୍ରାନ।

ସବୁଠୁ ବଡ଼ କଥା ହେଉଛି ଜମ୍ମୁ କଶ୍ମୀରରୁ ୩୭୦ ଉଛେଦ ହେବା ପରେ ଇମ୍ରାନ ସରକାର ଚାପରେ ରହିଛନ୍ତି। ପାକିସ୍ତାନର ନକ୍ସା ବଦଳାଇବା ପାଇଁ ଇମ୍ରାନଙ୍କ ଉପରେ ଭୋଟର ଯେଉଁ ଆସ୍ଥା ପ୍ରକଟ କରିଥିଲେ ତାହା ଏବେ ଧୂଳିସାତ ହୋଇଯାଉଛି। କଶ୍ମୀର ପ୍ରସଙ୍ଗକୁ ନେଇ ଇମ୍ରାନ ସରକାର ଆଉ କ’ଣ ପଦକ୍ଷେପ ନେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

ମୋଦିଙ୍କ ଶପଥ ଉତ୍ସବକୁ ଆସିନଥିଲେ ନବାଜ

ପାକିସ୍ତାନ ସହ ସମ୍ପର୍କ ସୁଧାରିବା ପାଇଁ ମୋଦି ପ୍ରତମ ପାଳିରୁ ହିଁ ଉଦ୍ୟମ ଆରମ୍ଭ କରିଥିଲେ। ମୋଦି ତାଙ୍କ ଶପଥ ଉତ୍ସବକୁ ସାର୍କ ଦେଶ ସମୂହର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିଥିଲେ। ପ୍ରାୟ ସବୁ ରାଷ୍ଟ୍ରର ପ୍ରତିନିଧି ଆସିଥିଲେ ମଧ୍ୟ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଆସି ନଥିଲେ।

ଏହାପରେ ୨୦୧୫ରେ ମଧ୍ୟ ମୋଦି ଲାହୋର ଗସ୍ତ କରିଥିଲେ। ନୱାଜ ସରିଫ୍‌ଙ୍କ  ଜନ୍ମଦିନ ଉତ୍ସବରେ ସାମିଲ ହୋଇଥିଲେ ମୋଦି। ହେଲେ ଦୁଇ ଦେଶ ଭିତରେ ଭଲ ସମ୍ପର୍କ ସ୍ଥାପନ ହୋଇପାରି ନଥିଲା।

Comment