ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା: ଭୟଙ୍କର ଜଳ ସଙ୍କଟ ଆଡ଼କୁ ଗତି କରୁଛି କେନ୍ଦ୍ରାପଡ଼ା ଜିଲ୍ଲା। ଭାରତର ୨୫୫ଟି ଜିଲ୍ଲା ଜଳ ସଙ୍କଟ ତାଲିକାରେ ରହିଥିବା ବେଳେ ଓଡିଶାରେ ଏକମାତ୍ର ଜିଲ୍ଲା କେନ୍ଦ୍ରାପଡ଼ାର ନାମ ଏଥିରେ ରହିଛି। ଆଗାମୀ ଦିନରେ ଜଳ ସଙ୍କଟ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କେନ୍ଦ୍ରାପଡ଼ାରେ ‘ଜଳ ଶକ୍ତି ଅଭିଯାନ’ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଜଳ ସଙ୍କଟ ମୁକାବିଲାକୁ କେମିତି ମୁକାବିଲା କରାଯିବ ସେନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ୪ଟି ବ୍ଲକରେ ଭୂତଳ ଜଳ ଲୁଣି ହୋଇଥିବା ବେଳେ ଅନ୍ୟ ୫ଟି ବ୍ଲକର ଅନେକ ସ୍ଥାନରେ ୧୦୦୦ଫୁଟ ତଳକୁ ଖସିବାକୁ ବସିଲାଣି ଜଳ ସ୍ତର। ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ୨୫୫ଟି ଜିଲ୍ଲାରେ ଜଳ  ସଙ୍କଟ ଦେଖାଦେଇଛି। ଏହି ତାଲିକାରେ ଓଡିଶାର କେବଳ କେନ୍ଦ୍ରାପଡା ଜିଲ୍ଲାର ନାମ ରହିଛି। ଏହି ତାଲିକାକୁ ନେଇ ଛାନିଆ ହୋଇଛନ୍ତି ରାଜ୍ୟ ସରକାର।

ଜଳ ସଂକଟର ମୁକାବିଲା କରିବାକୁ ରାଜ୍ୟ ଜଳ ସମ୍ପଦ ବିଭାଗ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚି ସଚେତନତା ଆରମ୍ଭ କରିଛି। ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପରିଷଦ ସଦସ୍ୟ , ସରପଞ୍ଚ, ସମିତି ସଦସ୍ୟଙ୍କୁ ଏକାଠି କରି ଏହି ସଙ୍କଟର ମୁକାବିଲା କରିବା ପାଇଁ ଆଲୋଚନା କରାଯାଇଛି।

ଗାଁ ଗାଁରେ ବଡ଼ବଡ଼ ପୋଖରୀ ଖନନ କରାଯାଇ ବର୍ଷା ଜଳକୁ ସଞ୍ଚୟ କରିବା, କ୍ରିକ୍ ଇରିଗେସନ କରିବା, କେନାଲରେ ଜମି ରହିଥିବା ଦଳକୁ ସଫା କରାଯାଇ ସେଠାରେ ଚେକ୍ ଡ୍ୟାମ୍ ନିର୍ମାଣ କରିବା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।

ପାନୀୟ ଜଳର ସୁପରିଚାଳନା ପାଇଁ ସରକାର ବୋରିଂ ଉପରେ ଅଧିକ ଗୁରୁତ୍ୱ ନଦେଇ ବର୍ଷା ଜଳକୁ ସଂରକ୍ଷଣ କରିବା ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି। ଏହି ବର୍ଷା ଜଳରୁ ବର୍ଷସାରା କିପରି ଲୋକେ ବିଶୁଦ୍ଧ ପାନୀୟଜଳ ପାଇପାରିବେ ସେ ସମ୍ପର୍କରେ ସରକାରୀ ସବସିଡରେ ବ୍ୟକ୍ତିଗତ ପ୍ରକଳ୍ପ ନିର୍ମାଣ କରାଯିବ। ସାରା ଜିଲ୍ଲାରେ ଏହି ପ୍ରକଳ୍ପ ନିର୍ମାଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

‘‘ପୃଥିବୀରେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏବେ ଋତୁଚକ୍ର ପ୍ରଭାବିତ ହେବାରେ ଲଗିଛି। ବର୍ଷାର ପରିମାଣ କେବଳ ୫୦ ଦିନରୁ ୬୦ ଦିନ ଭିତରେ ସୀମିତ ରହୁଛି। ଫଳରେ ବର୍ଷରେ ୩୧୦ରୁ ୩୧୫ ଦିନ ଅନାବୃଷ୍ଟି ଅବସ୍ଥା ସୃଷ୍ଟି ହେଉଛି। କମ୍ ଦିନରେ ଅଧିକ ବର୍ଷା ଜଳକୁ କୌଣସି ଡ୍ୟାମ୍ ମାଧ୍ୟମରେ ରଖିବା ଆଉ ଏକ ବିପଦର କାରଣ। ତେଣୁ ଏହାର ବିକଳ୍ପ ପାଇଁ ସରକାର ଏହି ଯୋଜନା ହାତକୁ ନେବାକୁ ଚାହୁଁଛନ୍ତି’’, କହିଛନ୍ତି ଜଳ ସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା।

କେନ୍ଦ୍ରାପଡା ଜିଲ୍ଲା ପ୍ରତି ମାଡ଼ି ଆସୁଥିବା ବିପଦକୁ କିପରି ସାମ୍ନା କରାଯିବ ସେନେଇ ସଚେତନ କରିବାର ଆବଶ୍ୟକତା ରହିଛି। ଜିଲ୍ଲାରେ ରହିଥିବା ୨୭୭ଟି ଭୂତଳ ପାନୀୟ ଜଳ ପ୍ରକଳ୍ପ ବଦଳରେ ନଦୀଜଳକୁ ପାନୀୟଜଳ ଭାବେ ଉପଯୋଗୀ କରିବା ପାଇଁ ଜିଲ୍ଲାର ପରିବେଶବିତ୍‌ମାନେ ଦାବି କରିଛନ୍ତିା

Comment