ଓଡ଼ିଶାଲାଇଭ୍ ବ୍ୟୁରୋ

ଆଫ୍ରିକୀୟ ଦେଶ ବୁରୁଣ୍ଡିର ସଭ୍ୟତା ସହିତ ଯୋଡ଼ି ହେବାକୁ ଯାଉଛି କେନ୍ଦ୍ରାପଡା ଜିଲ୍ଲାର ଭଗବାନପୁର ଗାଁ। ଭଗବାନପୁର ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବାକୁ ଚାହୁଁଛନ୍ତି ଭାରତରେ ଅବସ୍ଥାପିତ ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲ୍ଲା ବୁଦିରଗାନ୍ୟା।

ବୁରୁଣ୍ଡି ସହିତ ଭଗବାନପୁରର କୃଷି , ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଓ ସାଂସ୍କୃତିକ ସମ୍ପର୍କ ଯୋଡ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଭାରତରେ ଅବସ୍ଥାପିତ ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲ୍ଲା ବୁଦିରଗାନ୍ୟା। କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକର ଭଗବାନପୁର ଗାଁ ପରିଦର୍ଶନରେ ଆସିଥିବା ବୁରୁଣ୍ଡି ରାଷ୍ଟ୍ରଦୂତ ଏହି ଗାଁର ସଭ୍ୟତା ଓ ସଂସ୍କୃତିକୁ ପ୍ରଶଂସା କରିଛନ୍ତି।

ଦୁଇଦିନ ତଳେ ଆଫ୍ରିକୀୟ ରାଷ୍ଟ୍ର ବୁରୁଣ୍ଡିର ରାଷ୍ଟ୍ରଦୂତ ଷ୍ଟେଲ୍ଲା ବୁଦିରଗାନ୍ୟା ଓଡ଼ିଶା ଆସିଥିଲେ। ତାଙ୍କ ସହିତ ତାଙ୍କର ପରାମର୍ଶ ଦାତା ଗାଇସ ଜନସନ ମଧ୍ୟ ଥିଲେ। ଭୁବନେଶ୍ଵରରେ ଥିବା ବେଳେ ହଠାତ ଭଗବାନପୁର ଗାଁର ଶିକ୍ଷାବିତ ସମୀର ସାମଲଙ୍କ ସହିତ ଭେଟ ହୋଇଥିଲା। ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ପରେ ଷ୍ଟେଲ୍ଲା ଓଡିଶାର ଏକ ଗ୍ରାମ୍ୟ ସଭ୍ୟତା ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହି ସୁଯୋଗ ହାତଛଡା କରିନଥିଲେ ସମୀର। ନିଜ ଗାଁ ଭଗବାନପୁରକୁ ଷ୍ଟେଲ୍ଲାଙ୍କୁ ଆମନ୍ତ୍ରଣ କରିଥିଲେ।

ଭୀଷଣ ବର୍ଷା ସତ୍ତ୍ୱେ ଷ୍ଟେଲ୍ଲା ତାଙ୍କ ସହଯୋଗୀଙ୍କ ସହିତ ସମୀରଙ୍କୁ ସାଥିରେ ନେଇ ଭଗବାନପୁର ଗାଁରେ ପହଞ୍ଚିଥିଲେ। ଗାଁର ରାଧାରମଣ ହାଇସ୍କୁଲରେ ଷ୍ଟେଲ୍ଲାଙ୍କୁ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ହିରଣ୍ମୟୀ ମହାନ୍ତି ଓ ଛାତ୍ରଛାତ୍ରୀମାନେ। ସ୍କୁଲ କମିଟିର ସଦସ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ବୁରୁଣ୍ଡି ରାଷ୍ଟ୍ରଦୂତ ଷ୍ଟେଲ୍ଲା ଗାଁର ଶିକ୍ଷା, ସଂସ୍କୃତି, କୁଟୀର ଶିଳ୍ପ, ମତ୍ସ୍ୟ ଚାଷ, ଗୋ ପାଳନ ଓ କୃଷି ଆଦି ସମ୍ପର୍କରେ ଜାଣିବାକୁ ଗାଁ ଠାକୁରାଣୀଙ୍କ ପୀଠରେ ଗ୍ରାମବାସୀମାନଙ୍କୁ ଭେଟିଥିଲେ। ଗାଁର ବିଭିନ୍ନ ସ୍ଥାନକୁ ନେଇ ଷ୍ଟେଲ୍ଲାଙ୍କୁ ବୁଲାଇଥିଲେ ଲୋକେ। ଭାରତୀୟ ଗାଁରେ ଏପରି ବିକାଶ ଦେଖି ଷ୍ଟେଲ୍ଲା ଖୁସୀ ବ୍ୟକ୍ତ କରିଥିଲେ। ଏହି ଗାଁରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଆଉ କିଛି ସୋପାନ ଯୋଡି ଆହୁରି ଅଧିକ ବିକାଶ କରିବାକୁ ଷ୍ଟେଲ୍ଲା ନିଜର ଇଛା ବ୍ୟକ୍ତ କରିଛନ୍ତି।

ଗାଁର ରାଧାରମଣ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ବଳିଷ୍ଠ କରିବାକୁ ଛାତ୍ରଛାତ୍ରୀମାନଙ୍କୁ କଥା ଦେଇଛନ୍ତି ଷ୍ଟେଲ୍ଲା। ଏହାଛଡା ବୁରୁଣ୍ଡିର ଏକ ବିକଶିତ ଗାଁର ଶିକ୍ଷା, ସଂସ୍କୃତି, କୁଟୀର ଶିଳ୍ପ, କୃଷି, ମତ୍ସ୍ୟ ଚାଷ, ପଶୁ ପାଳନ ସହିତ ଭଗବାନପୁର ଗାଁକୁ ଯୋଡ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବୁରୁଣ୍ଡି ରାଷ୍ଟ୍ରଦୂତ। ଏପରିକି ଯଦି ଭଗବାନପୁର ଗାଁର  କେହି ଉଦ୍ୟୋଗୀ ବୁରୁଣ୍ଡି ଯାଇ ସେଠାକାର ବିକାଶ ସମ୍ପର୍କରେ ଜାଣିବାକୁ ଚାହିଁବେ ସେ ସମସ୍ତ ବ୍ୟବସ୍ଥା କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Comment