ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଭୁବନେଶ୍ୱରରୁ ତୁଷାର ସାମନ୍ତରାୟ) ଆଉ ମାତ୍ର ଦିନକ ପରେ ଭାଇ ଭଉଣୀଙ୍କ ପବିତ୍ର ବନ୍ଧନର ପର୍ବ ‘ରକ୍ଷା ବନ୍ଧନ’। ଏହାକୁ ଦୃଷ୍ଟିରେ ରଖି ବଜାରରେ ବର୍ତ୍ତମାନ ଭଳିକି ଭଳି ରାକ୍ଷୀ ଦେଖିବାକୁ ମିଳୁଛି। ସେହିପରି ଯୁବପିଢୀଙ୍କ ପସନ୍ଦ ଲାଗି ରାକ୍ଷୀ ନିର୍ମାତାମାନେ ବିଭିନ୍ନ ଢ଼ଙ୍ଗର ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଚଳିତ ‘ରାକ୍ଷୀ ବନ୍ଧନ’ରେ ବଜାରରେ କିଭଳି ରାକ୍ଷୀ ଯୁବପିଢୀଙ୍କୁ ଆକୃଷ୍ଟ କରିପାରିଛି।

ହ୍ୱାଟ୍ସଆପ୍ ରାକ୍ଷୀ

ଚଳିତ ରାକ୍ଷୀରେ ଯୁବପିଢୀଙ୍କୁ ବେଶ୍‌ ଆକୃଷ୍ଟ କରିପାରିଛି ହ୍ୱାଟ୍ସଆପ୍ ରାକ୍ଷୀ। ସୋସିଆଲ ମିଡିଆରେ ଯୁବପିଢୀଙ୍କ ପାଇଁ ମନପସନ୍ଦର ଚ୍ୟାଟିଙ୍ଗ ଆପ୍ ସାଜିଛି ହ୍ୱାଟ୍ସଆପ୍। ବର୍ତ୍ତମାନ ଏହାକୁ ରାକ୍ଷୀ ରୂପରେ ଲୋକଙ୍କ ପାଖକୁ ଆଣିଛନ୍ତି ରାକ୍ଷୀ ବ୍ୟବସାୟୀ। ଅବିକଳ ହ୍ୱାଟ୍ସଆପ୍‌ର ଲୋଗୋ ଭଳି ଦେଖାଯାଉଥିବା ଏହି ରାକ୍ଷୀର ବର୍ତ୍ତମାନ ବଜାରରେ ବେଶ୍ ଚାହିଦା ରହିଥିବା ଦେଖିବାକୁ ମିଳିଛି।

ପ୍ଲେଟ୍ ରାକ୍ଷୀ

ସେହିଭଳି ଏଥର ବଜାରରେ ନୂଆକରି ମିଳୁଛି ପ୍ଲେଟ୍ ରାକ୍ଷୀ। ରାକ୍ଷୀ ସହିତ ରାକ୍ଷୀବାନ୍ଧିବା ପାଇଁ ଆବଶ୍ୟକ ଅନ୍ୟ ସମସ୍ତ ସରଞ୍ଜାମ ରହିଛି ଏହି ପ୍ଲେଟ୍ ରାକ୍ଷୀରେ। ଦୀପ, ସଳିତା, ଥାଳି ସହ ଆସୁଛି ରାକ୍ଷୀ। ଘରୁ କୌଣସି ସରଞ୍ଜାମ ନଆଣି ଜଣେ ଏହା ସାହାଯ୍ୟରେ ତାଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧି ପାରିବେ। ଏହି ପ୍ଲେଟ୍‌ ରାକ୍ଷୀର ଚାହିଦା ଘରଠାରୁ ଦୂରରେ ଥିବା ଭାଇ-ଭଉଣୀମାନଙ୍କ ଭିତରେ ଅଧିକ ରହିଥିବା ଦେଖିବାକୁ ମିଳିଛି।

ଧାନ ରାକ୍ଷୀ

ଯୁବପିଢୀଙ୍କ ଭିତରେ ଏଥର ଆକର୍ଷଣର ରାକ୍ଷୀ ସାଜିଛି ଧାନରେ ତିଆରି ରାକ୍ଷୀ। ନୂଆ ନୂଆ ଡିଜାଇନର ଧାନ ରାକ୍ଷୀ ଏବେ ବଜାରରେ ଉପଲବ୍ଧ। ଓଡ଼ିଶା ଏକ ଚାଷୀପ୍ରଧାନ ରାଜ୍ୟ । ଏଠାରେ ଲୋକ ମୁଖ୍ୟତଃ ଧାନଅମଳ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ଲୋକଙ୍କ ମଧ୍ୟରେ ଧାନରାକ୍ଷୀକୁ ନେଇ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି।

ଗୁଜୁରାତି ଏବଂ ଅଳେଇଚ ରାକ୍ଷୀ

ଧାନ ରାକ୍ଷୀ ଭଳି ଏଥର ରାକ୍ଷୀ ବଜାରରେ ମିଳୁଛି ଗୁଜୁରାତି ଓ ଅଳେଇଚ ଆଦି ସାମଗ୍ରୀରେ ତିଆରି ରାକ୍ଷୀ। ଏସବୁ ଭିନ୍ନ ଧରଣର ରାକ୍ଷୀ ବର୍ତ୍ତମାନ ବଜାରରେ ବେଶ୍ ଚାହିଦା ରହିଥିବାର ଦେଖିବାକୁ ମିଳୁଛି। ଗୁଜୁରାତି ଓ ଅଳେଇଚ ତିଆରି ଏହି ରାକ୍ଷୀ ଦେଖିବାକୁ ଖୁବ୍‌ ସୁନ୍ଦର।

କାଠରେ ତିଆରି ରାକ୍ଷୀ

ବଜାରରେ ଏଥର ଲୋକପ୍ରିୟ ସାଜିଛି କାଠରେ ତିଆରି ରାକ୍ଷୀ। ସୂକ୍ଷ୍ମ କାରୁକାର୍ଯ୍ୟ ସହ କାଠରେ ତିଆରି ଏହି ରାକ୍ଷୀ ସବୁ ଲୋକଙ୍କ ପାଇଁ ବେଶ ମନପସନ୍ଦ ହୋଇପାରିଛି। କାଠରେ କୃଷ୍ଣରାଧା, ଗଣେଶ, ହନୁମାନ ଆଦି ତିଆରି କରି ଏହାକୁ ରାକ୍ଷୀର ଆକାର ଦିଆଯାଇଛି। ତେବେ ଏହାର ଦାମ ବହୁତ କମ୍ ଥିବାରୁ କାଠ ତିଆରି ରାକ୍ଷୀର ଚାହିଦା ସବୁଠାରୁ ଅଧିକ ରହିଛି।

ରକେଟ୍ ରାକ୍ଷୀ

ଚନ୍ଦ୍ରଯାନର ସଫଳ ପରୀକ୍ଷଣ ପରେ ଏହି ଉପାୟକୁ ଆପଣେଇଛନ୍ତି ରାକ୍ଷୀ ବ୍ୟବସାୟୀ। ଚନ୍ଦ୍ରଯାନ ଭଳି ରକେଟ ରାକ୍ଷୀ ତିଆରି କରି ବଜାରକୁ ଛାଡ଼ିଛନ୍ତି ରାକ୍ଷୀ ତିଆରି କମ୍ପାନି। ଚିକ୍‌ମିକ୍‌ ଲାଇଟ୍ ସହ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି ଏହି ରକେଟ୍ ରାକ୍ଷୀ। ମୁଖ୍ୟତଃ ଛୋଟ ପିଲାମାନଙ୍କ ମଧ୍ୟରେ ଏହି ରାକ୍ଷୀର ଚାହିଦା ଭଲ ରହିଥିବା ଦେଖିବାକୁ ମିଳିଛି।

କାର୍ଟୁନ୍ ରାକ୍ଷୀ

ବଜାରରେ ଏବର୍ଷ ମିଳୁଛି ଭଳିକି ଭଳି ରାକ୍ଷୀ। ମୁଖ୍ୟତଃ ଛୋଟ ପିଲାଙ୍କ ପାଇଁ ରାକ୍ଷୀ ବଜାରରେ ମିଳୁଛି କାର୍ଟୁନ୍ ରାକ୍ଷୀ। ଲୋକପ୍ରିୟ କାର୍ଟୁନ ପୋଗ୍ରାମଗୁଡିକ ଛୋଟପିଲାଙ୍କ ପାଇଁ ମଜାଦାର ହୋଇଥିବାବେଳେ। ବେନ୍‌ଟେନ୍ ରାକ୍ଷୀ, ଛୋଟାଭିମ୍ ରାକ୍ଷୀ, ମୋଟୁ ପତଲୁ ଆଦି କାର୍ଟୁନ ରାକ୍ଷୀ ଛୋଟପିଲାଙ୍କୁ ଆକୃଷ୍ଟ କରୁଛି।

Comment