ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ ଯୁବ ଭୋଟରଙ୍କ ଉପରେ ଆଖି ପକାଇଛନ୍ତି ନବୀନ।

୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ସବୁ ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି। ବିଜେପି ଏବଂ କଂଗ୍ରେସର ଜାତୀୟ ସ୍ତରର ନେତା ଘନ ଘନ ଓଡ଼ିଶା ଗସ୍ତ କରି ରାଜନୀତି ପାଣିପାଗକୁ ଗରମ କରିଥିବା ବେଳେ ବିଜେଡିର ଏକା ନବୀନ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ତେବେ ୨୦୧୯ ନିର୍ବାଚନ ପାଇଁ ନବୀନ ତାଙ୍କ ଷ୍ଟ୍ରାଟେଜି ବଦଳାଇଛନ୍ତି। ସବୁ ବର୍ଗର ଭୋଟରଙ୍କୁ ଖୁସି କରିବା ପରେ ନବୀନ ଏବେ ଯୁବ ଭୋଟରଙ୍କ ଉପରେ ନଜର ପକାଇଛନ୍ତି। ବିଭିନ୍ନ ଜୋନରେ ଯୁବ ସମାବେଶ ଆୟୋଜନ କରି ଯୁବ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି।

ଜାନୁଆରି ୨୪ରେ ପ୍ରଥମ ଯୁବ ସମାବେଶ ଆୟୋଜନ ହୋଇଥିଲା ବଲାଙ୍ଗିରରେ। ରାଜେନ୍ଦ୍ର କଲେଜ ପଡ଼ିଆଠାରେ ବିଶାଳ ଯୁବ ସମାବେଶକୁ ସମ୍ବୋଧିତ କରିଥିଲେ ନବୀନ। ଫେବ୍ରୁଆରି ୧ରେ ସମ୍ବଲପୁର, ୫ ତାରିଖରେ କୋରାପୁଟର ଜୟପୁର, ୧୦ ତାରିଖରେ କନ୍ଧମାଳରେ ଯୁବ ସମାବେଶ ଆୟୋଜନ କରି ନବୀନ ତାଙ୍କ ଜୟଯାତ୍ରା ଆରମ୍ଭ କରିଛନ୍ତି।

୧୩ ତାରିଖରେ ବାଲେଶ୍ୱର ଏବଂ ୧୭ ତାରିଖରେ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ବିଶାଳ ଯୁବ ସମାବେଶକୁ ସମ୍ବୋଧିତ କରି ନବୀନ ପୁଣି ମନ୍ତ୍ର ଫୁଙ୍କିବେ। ଏହିସବୁ ସମାବେଶରେ ଯୁବ ପ୍ରତିଭାମାନଙ୍କୁ ପୁରସ୍କୃତ କରି ନବୀନ ମାଷ୍ଟର ଷ୍ଟ୍ରୋକ ମାରୁଛନ୍ତି।

ବିରୋଧୀ କଂଗ୍ରେସ ଏବଂ ବିଜେପି ବେକାରୀ ପ୍ରସଙ୍ଗ ଉଠାଇ ନବୀନଙ୍କୁ ଟାର୍ଗେଟ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ବିରୋଧୀ ଠିକଣା ଢଙ୍ଗରେ କାଉଣ୍ଟର କରିବାରେ ସମର୍ଥ ହେଉ ନଥିବାରୁ ନବୀନ ଯୁବକମାନଙ୍କୁ ଏକାଠି କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।

୧୮ରୁ ୩୫ – ଯୁବକଙ୍କ ଉପରେ ଆଖି!

ଯୁବ ଭୋଟରଙ୍କ ଉପରେ ସବୁ ଦଳ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ନବୀନ ବିରୋଧୀ କଂଗ୍ରେସ ଏବଂ ବିଜେପିକୁ ପଛରେ ପକାଇ ଏକ୍ଷେତ୍ରରେ ଦୁଇ ପାଦ ଆଗରେ ରହିଛନ୍ତି। ଯୁବ ଭୋଟରଙ୍କୁ କିପରି ନିଜ ଆଡ଼କୁ ଆକୃଷ୍ଟ କରିହେବ ସେନେଇ ବିରୋଧୀ ଦଳ କିଛି ପଦକ୍ଷେପ ନେବା ପୂର୍ବରୁ ନବୀନ ‘ବିଜୁ ଯୁବ ବାହିନୀ’ ନାଁରେ ସ୍ୱେଚ୍ଛାସେବୀ ସଙ୍ଗଠନ ଗଢ଼ି ବିରୋଧୀଙ୍କୁ ତାଜୁବ୍ କରିଥିଲେ।

ଏହି ସଙ୍ଗଠନକୁ କେବଳ ରାଜ୍ୟ ସ୍ତରରେ ସୀମିତ ରଖି ନଥିଲେ ନବୀନ। ପ୍ରତି ପଞ୍ଚାୟତର ଯୁବକମାନଙ୍କୁ ଏହି ସଙ୍ଗଠନ ସହ ଯୋଡ଼ିଥିଲେ। ପ୍ରତି ପଞ୍ଚାୟତ ଏବଂ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ  ଗଠନ ହୋଇଥିଲା ବିଜୁ ଯୁବ ବାହିନୀ। ପ୍ରତି ସଙ୍ଗଠନରେ ୫୦ରୁ ଅଧିକ ସଦସ୍ୟଙ୍କୁ ସାମିଲ୍ କରାଯାଇଥିଲା। ଏହି ସଙ୍ଗଠନର ଦାୟିତ୍ୱ ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗକୁ ଦିଆଯାଇଥିଲା।

୧୮ରୁ ୩୫ ବର୍ଷର ଯୁବକମାନଙ୍କୁ ଏହି ସଙ୍ଗଠନରେ ସାମିଲ କରାଯାଇ ଗାଁ ଗାଁରେ ସଚେତନତାମୂଳକ କାମ କରାଯାଇଥିଲା। ଏହାକୁ ଅଧିକ ପ୍ରଭାବିତ କରିବା ପାଇଁ ବିଜୁ ଯୁବ ବାହିନୀ ଅଧିନରେ ‘ମୁଁ ହିରୋ ମୁଁ ଓଡ଼ିଶା’ କ୍ୟାମ୍ପେନ ଶୁଭାରମ୍ଭ କରିଥିଲେ ରାଜ୍ୟ ସରକାର।

ତୃଣମୂଳ ସ୍ତରର ପ୍ରତିଭାଙ୍କୁ ଖୋଜି ପୁରସ୍କୃତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଆଉ ଏହା ସଫଳ ମଧ୍ୟ ହୋଇଛି।

ବିଜୁ ଯୁବ ବାହିନୀ ଗଠନ ପଛରେ ଭିନ୍ନ କାରଣ ରହିଥିବା ରାଜନୀତି ପର୍ଯ୍ୟବେକ୍ଷକ ମତ ଦିଅନ୍ତି। ୨୦୧୯ ନିର୍ବାଚନରେ ଯେଉଁମାନେ ନୂଆ ଭୋଟର ଆସୁଛନ୍ତି ଏବଂ ପୂର୍ବ ନିର୍ବାଚନରେ ଯେଉଁମାନେ ପ୍ରଥମ ଥର ଲାଗି ଭୋଟ ଦେଇଥିଲେ ସେମାନଙ୍କୁ ଏକଜୁଟ କରି ବିଜେଡି ସପକ୍ଷରେ ଏକ ରାଜନୀତିକ ହାୱା ସୃଷ୍ଟି କରିବା ଏହି ବାହିନୀ ଗଠନର ମୁଖ୍ୟ ଲକ୍ଷ୍ୟ ବୋଲି ଚର୍ଚ୍ଚା ହେଉଛି।

ବିଜୁ ଯୁବ ବାହିନୀ ଗଠନ ପୂର୍ବରୁ ବିଜେଡି ଯୁବ ସମ୍ପର୍କ ଅଭିଯାନ ଆରମ୍ଭ କରିଥିଲା। ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଗରେ ରଖି କୋରାପୁଟ, ନବରଙ୍ଗପୁରରେ ସମାବେଶ କରିଥିଲା ବିଜେଡି। କିନ୍ତୁ ଏହା ବିଶେଷ ଫଳପ୍ରଦ ହୋଇ ନଥିଲା। ଶେଷରେ ପ୍ରତି ପଞ୍ଚାୟତରେ ବିଜୁ ଯୁବ ବାହିନୀ ଗଠନ କରିଥିଲେ ନବୀନ।

ସବୁଠୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ଭୋଟରଙ୍କୁ ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। ୨୦୧୪ରେ ଯୁବ ଭୋଟରଙ୍କ ଭୋଟ ପାଇ ମୋଦି ପ୍ରଧାନମନ୍ତ୍ରୀ ହୋଇଥିବାରୁ ୨୦୧୯ ପାଇଁ ମଧ୍ୟ ମୋଦି ନୂଆ ଭୋଟରଙ୍କ ଉପରେ ଫୋକସ୍ କରିଛନ୍ତି। ଏଥିପାଇଁ ସେ ‘ୟଙ୍ଗ ଇଣ୍ଡିଆ’ ସ୍ଲୋଗାନ ଦେଉଛନ୍ତି। ୨୦୧୯ରେ ଆସିବାକୁ ଥିବା ୧.୩୩ ମିଲିୟନ ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୋଦି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଏହାକୁ କାଉଣ୍ଟର କରିବା ପାଇଁ ନବୀନ ବିଭିନ୍ନ ସ୍ଥାନରେ ଯୁବ ସମାବେଶ କରି ଯୁବ ଭୋଟରଙ୍କ ଉପରେ ଆଖି ପକାଇଛନ୍ତି।

Comment