ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ଭରତ ଫାଇନାନ୍ସ କମ୍ପାନି କର୍ମଚାରିଙ୍କଠାରୁ ଲୁଟ୍ ମାମଲାରେ ସଦର ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ଏମାନଙ୍କ ପାଖରୁ ୨୦ ହଜାର ଟଙ୍କା ଜବତ କରିଥିବା ବେଳେ ଆଉ ଜଣେ ଅଭିଯିକ୍ତ ଫେରାର ଥିବା ସଦର ଥାନା ପକ୍ଷରୁ ସୂଚନା ମିଳିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ପଢେଇକେରା ଗାଁର ବିପିନ ନାୟକ(୨୮), ଜନକ ହରିଜନ(୨୩) ଏବଂ ରବିନ୍ଦ୍ର ଟାକରି(୨୧)।

ଗତ ଜୁଲାଇ ୨୩ ତାରିଖରେ ଭରତ ଫାଇନାନ୍ସର କର୍ମଚାରି ଅମ୍ରିତ ରାୟ ଆସୁଥିବା ବେଳେ ଜୟପୁର ବଡ ଜିଉନାଠାରେ ୪ ଜଣ ଯୁବକ ଅଟକାଇଥିଲେ। ଏହାପରେ ତାଙ୍କୁ ମାଡ଼ ମାରି ତାଙ୍କ ପାଖରୁ ୧ ଲକ୍ଷ ୨୯ ହଜାର ୯୯୩ ଟଙ୍କା ଲୁଟ୍ କରି ନେଇଥିଲେ।

ଏନେଇ ଅମ୍ରିତ ଜୟପୁର ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୨୨/୧୯ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ମଙ୍ଗଳବାର ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେହିପରି ଅନ୍ୟ ଜଣେ ଫେରାର ଥିବା ଜୟପୁର ସଦର ଥାନା ଅଧିକାରୀ ଶିବ ଶଙ୍କର ସାହୁ ସୂଚନା ଦେଇଛନ୍ତି।

Comment