ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏକା ମାଡ଼ରେ ୩୫ ଜଣ ବିଜେଡି ନେତାଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ବରିଷ୍ଠ ନେତାମାନଙ୍କୁ କିଛି କିଛି ନିଗମରେ ଅବସ୍ଥାପିତ କରାଯାଇଥିବା ବେଳେ ଯେଉଁ ୧୧ ଜଣଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଛି ସେଥିରେ ବିଶେଷକରି ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ସମସ୍ତେ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବରେ କାମ କରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ତେବେ ଉପଦେଷ୍ଟା ନିଯୁକ୍ତି ପୂର୍ବରୁ ଏମାନେ କ’ଣ କାମ କରିବେ ଓ ଏମାନଙ୍କ ଦାୟିତ୍ୱ କ’ଣ ହେବ ସେ ନେଇ କୌଣସି ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହୋଇ ନାହିଁ ବୋଲି ଅଭିଯୋଗ ହୋଇଛି।

ଏହି ଏଗାର ଜଣିଆ ଉପଦେଷ୍ଟା ନିଯୁକ୍ତି ସହ ବିଭିନ୍ନ ନିଗମ ଅଧ୍ୟକ୍ଷ ଓ ସେହି ରକମର ପଦବୀରେ ନିଯୁକ୍ତ ହୋଇଥିବା ନେତାଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। କ୍ଷମତା ଅଳିନ୍ଦରେ ଆଲୋଚନା ହେଉଛି ଯେ ଏତେ ସଂଖ୍ୟକ ନେତାଙ୍କୁ ଥଇଥାନ କରିବା ପାଇଁ ଯେଉଁ ପଦକ୍ଷେପ ସରକାର ନେଇଛନ୍ତି ତାହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ।

ଦୁଇଟି ଉଦାହରଣ ନିଆଯାଇପାରେ। କୃଷି ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପାଇଁ ଦୁଇ ଜଣ ଉପଦେଷ୍ଟା ନିଯୁକ୍ତି ପାଇଛନ୍ତି। ହେଲେ ଏମାନେ କାହାକୁ ଉପଦେଶ ଦେବେ ଓ ଉପଦେଶର ରୂପରେଖ କଣ ହେବ ସେ ସମ୍ପର୍କରେ କାହାର କିଛି ଧାରଣା ନାହିଁ। ସେହିଭଳି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଉପଦେଷ୍ଟା ନିଯୁକ୍ତ କରାଯାଇଛି। ମିଶନ ଶକ୍ତି ତାହା ଭିତରୁ ଗୋଟିଏ। ତେବେ ଏହି ଉପଦେଷ୍ଟାଙ୍କ କାମ କ’ଣ ହେବ ସେ କଥା ସ୍ଥିର ହୋଇନାହିଁ। ସବୁଠାରୁ ବଡ଼ କଥା ହେଲା ଦଳ ଓ ସରକାର ଭିତରେ କେହି ଜାଣି ପାରୁନାହାନ୍ତି ଏତେ ସଂଖ୍ୟକ ଉପଦେଷ୍ଟା କିଭଳି ଓ କାହିଁକି ନିଯୁକ୍ତ ହେଲେ?

ଏହି ସବୁ ଥଇଥାନକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଏହି  ନିଯୁକ୍ତିକୁ ସରକାରୀ ଅର୍ଥର ଅପଚୟ ବୋଲି କହିଛନ୍ତି। ସାଧାରଣ ଟିକସ ଦାତାଙ୍କ ଅର୍ଥ ସରକାର ଲୁଟୁଛନ୍ତି ଓ ଏହା ରାଜ୍ୟର ଋଣ ଭାରକୁ ଆହୁରି ବଢାଇବ ବୋଲି ବାହିନୀପତି ଅଭିଯୋଗ କରିଛନ୍ତି। ଦଳ ଭିତରେ ବିଦ୍ରୋହ ସୃଷ୍ଟି ହେବାର ଭୟ ଥିବାରୁ ମୁଖ୍ୟମନ୍ତ୍ରୀ ଏହି ନେତାମାନଙ୍କୁ ଥଇଥାନ କରିଛନ୍ତି ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ଅପରପକ୍ଷରେ ଏହି ସବୁ ନିଯୁକ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିବା ବ୍ୟତୀତ ଦଳର ଅସନ୍ତୁଷ୍ଟ ନେତାମାନଙ୍କୁ ଚୁପ୍ କରିବା ପାଇଁ ଏଭଳି କରାଯାଇଛି ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଏହା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ହରିଚନ୍ଦନ କହିଛନ୍ତି।

ଏଣେ ଦଳର ବହୁ ବରିଷ୍ଠ ନେତା ଯେଉଁମାନେ ଲୋକସଭା ଓ ବିଧାନସଭା ନିର୍ବାଚନ ହାରିଯାଇଥିଲେ ଯଥା ମହେଶ୍ୱର ମହାନ୍ତି, ସଂଜୟ ଦାସବର୍ମା ଓ ଦେବାଶିଷ ସାମନ୍ତରାୟଙ୍କୁ ଏପର୍ଯ୍ୟନ୍ତ କୌଣସି ପଦ ଦିଆଯାଇ ନାହିଁ। ଏମାନଙ୍କୁ  ଥଇଥାନ କରିବା ପାଇଁ ସୁଯୋଗ ବି ଏକରକମ ସଙ୍କୁଚିତ ହୋଇଯାଇଛି ବୋଲି ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି। ରାଜନୀତି ମହଲରେ ଆଲୋଚନା ହେଉଛି ଏ ତିନି ଜଣଙ୍କ ମଧ୍ୟରୁ ଜଣକୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ କରା ଯାଇପାରେ।

Comment