ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱସ୍ତି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍ (ସିମ୍‌ସ)ର ଇଣ୍ଡକ୍ସନ୍ ଡେ’।

“ସ୍ୱପ୍ନ ଦେଖ, ମାତ୍ର ସେ ସ୍ୱପ୍ନକୁ ନିଜ ଭିତରେ ସୀମିତ ରଖ ନାହିଁ।  ଏହାକୁ କିଭଳି ବାସ୍ତବତାରେ ପରିଣତ କରାଯିବ ସେହି ଦିଗରେ ଯତ୍ନବାନ ହେବା ଉଚିତ’’, ସ୍ୱସ୍ତି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍ (ସିମ୍‌ସ)ର ଇଣ୍ଡକ୍ସନ୍ ଡେ’ରେ ଏହା କହିଛନ୍ତି ସ୍ୱସ୍ତି ଗ୍ରୁପ୍ ଅଫ୍ ହୋଟେଲ୍ସର ସିଏମ୍‌ଡି ଜେ କେ ମହାନ୍ତି।

ସ୍ୱସ୍ତି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍ (ସିମ୍‌ସ) ପକ୍ଷରୁ ଭୁବନେଶ୍ୱରସ୍ଥିତ ସ୍ୱସ୍ତି ପ୍ରିମିୟମଠାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ସିମ୍‌ସ ୨୦୧୯ ବ୍ୟାଚର ଇଣ୍ଡକ୍ସନ୍ ଡେ’। ଏଥିରେ ବିଏଚ୍ଏମ୍, ଡିଏଚ୍ଏମ୍ ଏବଂ ଏମ୍ଏଚ୍ଏମ୍ ନୂତନ ବ୍ୟାଚର ପିଲାମାନଙ୍କୁ ସ୍ୱାଗତ କରାଯାଇଥିଲା।

“ଏସି ହୋଟେଲଗୁଡ଼ିକ ବାହାରୁ ସୁନ୍ଦର ଓ ଚମକିଲା ଭଳି ଦେଖାଯାଏ। କିନ୍ତୁ ଭିତରେ ତାର କାମ ଏତେ ସହଜ ଓ ସରଳ ନୁହେଁ। ଉଚ୍ଚ ସ୍ତରରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। ମୁଖ୍ୟତଃ ଓଡିଆ ମିଡିୟମ୍ ଛାତ୍ରଛାତ୍ରୀମାନେ ନିଜ ଭାଷା ଜ୍ଞାନକୁ ବଢ଼ାଇବା ଆବଶ୍ୟକ। ଇଂରାଜୀ ଓ ହିନ୍ଦୀ ଭାଷାରେ ଭଲରେ କହିବା ଦରକାର। ନିର୍ଭୁଲ ଭାବେ କହିପାରିଲେ ହିଁ ସେମାନେ ଆଗକୁ ବଢ଼ିପାରିବେ’’, କହିଛନ୍ତି ସ୍ୱସ୍ତି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍ (ସିମ୍‌ସ)ର ପ୍ରିନ୍ସିପାଲ୍ ଅସୀମା ପଣ୍ଡା।

ଆଇଏଚ୍ଏମ୍ ଭୁବନେଶ୍ୱରର ଅଧ୍ୟକ୍ଷା ସାରଦା ଘୋଷ କହିଥିଲେ, “ହୋଟେଲ ଇଣ୍ଡଷ୍ଟ୍ରି ଏବେ ଖୁବ୍ ଦ୍ରୁତଗତିରେ ବୃଦ୍ଧି ପାଉଛି। ଯଦି ପିଲାମାନେ ସଠିକ୍ ଭାବରେ ମନୋନିବେଶ କରି ପାଠ ପଢ଼ିବେ ତାହାଲେ ସେମାନେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ି ପାରିବେ।’’

ଏହି କାର୍ଯ୍ୟକ୍ରମରେ ହସ୍‌ପିଟାଲିଟି କନସଲ୍‌ଟାଣ୍ଟ ଏ. ତାଲୁକଦାର ଯୋଗ ଦେଇଥିଲେ। ସେ କହିଥିଲେ ଯେ ଏହା ଏକ କଠିନ ରାସ୍ତା। କିନ୍ତୁ  କଠିନ ପରିଶ୍ରମ ଦ୍ୱାରା ଏଥିରେ ସଫଳତା ମିଳିପାରିବ।

ଏହି ଅବସରରେ ହସ୍ପିଟାଲିଟି ଇଣ୍ଡଷ୍ଟ୍ରିର ଅନେକ ନାମୀଦାମୀ ବ୍ୟକ୍ତି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରରାମ ଦାସ ଯୋଗ ଦେଇଥିବା ବେଳେ ସ୍ୱସ୍ତି ଗ୍ରୁପ୍ ଡାଇରେକ୍ଟର୍ ଚିରଞ୍ଜିବ ମହାନ୍ତି ଏବଂ ଭିପି/ ସିଇଓ ପ୍ରିୟନାଥ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।

ରାଜ୍ୟ ତଥା ରାଜ୍ୟ ବାହାରୁ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ସିମ୍‌ସିରେ ନାମ ଲେଖାଇଛନ୍ତି। ସ୍ୱସ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍ (ସିମ୍‌ସି) ସ୍ୱସ୍ତି ଏଜୁକେସନାଲ୍ ଫାଉଣ୍ଡେସନର ମାନସ ସନ୍ତାନ ଭାବେ ପରିଚିତ। ସିମ୍‌ସ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ପଥପ୍ରଦର୍ଶକ ହେବେ। ଶେଷରେ ସିମ୍‌ସି ସେକ୍ରେଟାରୀ ଅଭିପ୍ସା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comment