ଓଡ଼ିଶାଲାଇଭ ବ୍ୟୁରୋ

ଟି-୨୦ ଓ ଦିନିକିଆ ସିରିଜ ପରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଦିନିକିଆ ଓ ଟି-୨୦ର ସଫଳତା ପରେ ଭାରତୀୟ ଦଳ ଟେଷ୍ଟ ସିରିଜ ମଧ୍ୟ ହାତେଇବା ଲକ୍ଷ୍ୟରେ ରହିବ। ସେହିପରି ଓ୍ଵେଷ୍ଟଇଣ୍ଡିଜ ମଧ୍ୟ ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ସିରିଜ ଜିତିବାକୁ ପ୍ରୟାସ କରିବ।

ଭାରତ ବିଶ୍ଵ ଟେଷ୍ଟ ଚାମ୍ପିୟନ୍‌ସିପ ପାଇଁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ତା’ର ଟେଷ୍ଟ ମ୍ୟାଚ ଆରମ୍ଭ କରିବ। ଆଗାମୀ ଦୁଇଟି ସିରିଜ ଜିତି ଭାରତ ୧୨୦ ପଏଣ୍ଟ ହାସଲ କରି ଟେଷ୍ଟ ଚାମ୍ପିୟନ୍‌ସିପରେ ତା’ର ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ। ଦଳ ଚଳିତ ବର୍ଷ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଢେର ଗୁଣରେ ଶକ୍ତିଶାଳୀ ରହିଛି।

ପୂର୍ବରୁ ଓ୍ଵେଷ୍ଟଇଣ୍ଡିଜ ନିଜ ମାଟିରେ ଭାରତ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାର କରିଛି। ହେଲେ ପୂର୍ବ ସେ ଓ୍ଵେଷ୍ଟଇଣ୍ଡିଜ ଦଳ ବର୍ତ୍ତମାନ ଆଉ ନାହିଁ। ଗତଥର ମଧ୍ୟ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଭାରତ ବିଜୟୀ ହୋଇଥିଲା। ଏଥର ମଧ୍ୟ ସେହିପରି ଫଳାଫଳ ଦୋହରାଇ ପାରେ ଭାରତୀୟ ଦଳ।

ଭାରତର ବ୍ୟାଟିଂ ବେଶ୍‌ ମଜବୁତ ରହିଛି। ଓପନର ଭାବେ ମୟଙ୍କ ଅଗ୍ରଓ୍ଵାଲ, କେଏଲ ରାହୁଲ ଖେଳିବା ନିଶ୍ଚିତ। ସେହିପରି ଚେତେଶ୍ଵର ପୂଜାରା ଓ ବିରାଟ କୋହଲିଙ୍କ ସହ ଆଜିଙ୍କ୍ୟ ରାହାଣେ ମିଡିଲ ଅର୍ଡର ବ୍ୟାଟିଂ ସମ୍ଭାଳିବେ। ଷଷ୍ଠ ସ୍ଥାନ ପାଇଁ ହନୁମା ବିହାରୀ ଓ ରୋହିତ ଶର୍ମାଙ୍କ ମଧ୍ୟରେ ମୁକାବିଲା ହେବ।

ସେହିପରି କିମାର ରୋଚ୍‌, ସାନନ୍‌ ଗାବ୍ରିଏଲ ଓ ଅଧିନାୟକ ଜାସନ ହୋଲ୍ଡରଙ୍କୁ ନେଇ ଗଠିତ ଓ୍ଵେଷ୍ଟଇଣ୍ଡିଜର ଶକ୍ତିଶାଳୀ ପେସ୍‌ ବିଭାଗକୁ ଦୁର୍ବଳ ଭାବିବା ଭୁଲ୍‌ ହେବ। ପିଚରେ ଗତି ସହ ବାଉନ୍ସ ମଧ୍ୟ ରହିବ ଏହାର ଫାଇଦା ଉଠାଇ ପାରନ୍ତି ଓ୍ଵେଷ୍ଟଇଣ୍ଡିଜ ପେସ ବୋଲର।

Comment