ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଣିଷ ସମାଜରେ ଅନେକ ସମ୍ପର୍କ ସହ ବଞ୍ଚିଥାଏ। ତେବେ ସବୁ ସମ୍ପର୍କଠୁ ଅଧିକ ସୁନ୍ଦର କୁହାଯାଇଥାଏ ପତି ପତ୍ନୀଙ୍କର ସମ୍ପର୍କ। କାରଣ ଦୁଇଟି ଅଜଣା ମନ ଅଜଣା ହୃଦୟ ପରସ୍ପରକୁ ଜୀବନ ସାରା ଲାଗି ଆପଣାର କରିଥାନ୍ତି। ଯେଉଁଠି କେବଳ ପରସ୍ପର ପ୍ରତି ଭଲପାଇବା ଆଉ ସମ୍ମାନ ଥାଏ।

ସଂସାରରେ ଏମିତି କୌଣସି କପଲ ନଥିବେ ଯେଉଁମାନଙ୍କ ମଧ୍ୟରେ ମତାନ୍ତର,ଝଗଡ଼ା ହୋଇନଥାଏ। ସମ୍ପର୍କରେ ଝଗଡ଼ା ଏକ ସାଧାରଣ କଥା ଆମେ କହିଥାଉ। କିନ୍ତୁ ଏହି ଝଗଡ଼ା ଅନେକ ସମୟରେ ଏକ ମଧୁର ସମ୍ପର୍କକୁ ଭାଙ୍ଗିବାରେ ସେତୁ ହୋଇଥାଏ।

ଯେହେତୁ ଦୁଇଜଣ ବ୍ୟକ୍ତିଙ୍କର ବିଚାରଧାରା, ଭାବନା,ପସନ୍ଦ,ନାପସନ୍ଦ ଅଲଗା ହୋଇଥାଏ ତେଣୁ ସେମାନଙ୍କ ମଧ୍ୟରେ ଝଗଡ଼ା ଅବା ମନମାଳିନ୍ୟ ହୋଇଥାଏ। କିନ୍ତୁ ସେହି ଝଗଡ଼ା ସମୟରେ ଆମେ ଯଦି କିଛିଦିଗ ପ୍ରତି ଧ୍ୟାନ ଦେବା ତେବେ ସମ୍ପର୍କକୁ ଆମେ ମଜଭୁତ କରିବା ସହ ଦୀର୍ଘସ୍ଥାୟୀ କରିପାରିବା।

ନିଜକୁ ଶାନ୍ତ ରଖନ୍ତୁ

ଯେତେବେଳେ ଝଗଡ଼ା ହେଉଛି ସେତେବେଳେ ଭୂଲ କାହାର ବି ଥାଉ ଆପଣ ଶାନ୍ତ ହୋଇଯାଆନ୍ତୁ। କାରଣ ରାଗ ସମୟରେ ସମସ୍ତେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥାନ୍ତି। କଣ କୁହନ୍ତି କଣ କରନ୍ତି ଜଣାପଡ଼ିନଥାଏ। ତେଣୁ ଯେତେବେଳେ ଝଗଡ଼ା ହେଉଛି ସେତେବେଳେ ଆପଣ ନିଜକୁ ଶାନ୍ତ ରଖନ୍ତୁ, ଦେଖିବେ ଝଗଡ଼ା କିଛି ସମୟ ପରେ ଆପେ ଆପେ ବନ୍ଦ ହୋଇଯିବ।

ମନେରଖନ୍ତୁ ଆପଣଙ୍କ ସାଥୀ ଆପଣଙ୍କ ଲାଗି କେତେ ଗୁରୁତ୍ୱ ରଖେ

ଭଲାପାଇବାରେ ସବୁଠୁ ବଡ଼ ସୁନ୍ଦରତା ହେଉଛି ଯଦି ଆପଣ ଆପଣଙ୍କ ସାଥୀ ଉପରେ ରାଗିଛନ୍ତି ତଥାପି ତାଙ୍କୁ ଭଲପାଉଛନ୍ତି। ଏଭଳି ସେତେବେଳେ ହୋଇପାରିବ ଯେତେବେଳେ ଜଣେ ମଣିଷ ତା ସାଥୀକୁ ନିଜଠୁ ଅଧିକ ଭଲ ପାଉଥିବ। ତେଣୁ ଯେତେବେଳେ ଝଗଡ଼ା ହେଉଛି ସେତେବେଳେ ଏହା ଭାବନ୍ତୁ ସେ ଆପଣଙ୍କ ଜୀବନରେ କେତେ ଗୁରୁତ୍ୱ ରଖେ। ଯଦି ଉଭୟ ଏହି କଥାକୁ ଧ୍ୟାନରେ ରଖିବେ ତେବେ ଦେଖିବେ ଝଗଡ଼ା କେତେବେଳେ ବନ୍ଦ ହୋଇଯିବ ତାହା ଆପଣ ନିଜେ ବି ଜାଣିପାରିବେ ନାହିଁ।

ପ୍ରସଙ୍ଗରୁ ଓହରନ୍ତୁ ନାହିଁ

ଅନେକ ସମୟରେ ଦେଖାଦେଇଥାଏ ଯେଉଁ ପ୍ରସଙ୍ଗ କିମ୍ବା କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ ତାହା ସେମାନେ ପରବର୍ତ୍ତୀ ସମୟରେ ଛାଡ଼ିଦିଅନ୍ତି। ଏହା କରିବା ଦ୍ୱାରା ସମସ୍ୟାର ସମାଧାନ ଅଳ୍ପ ସମୟ ପାଇଁ ହୋଇଯାଇଥାଏ କିନ୍ତୁ ସବୁଦିନ ପାଇଁ ନୁହଁ। ତେଣୁ ଯେଉଁ କଥାକୁ ନେଇ ଝଗଡ଼ା ହେଉଛି ତାହାର ସମାଧାନ କରନ୍ତୁ। ଯେପରି ସେ ପ୍ରସଙ୍ଗ ଆଉ ଆପଣଙ୍କ ସମ୍ପର୍କରେ କେବେ ନ ଆସେ।

ରାଗକୁ ଅନେକ ଦିନ ଯାଏଁ ଧରନ୍ତୁ ନାହିଁ

ଅନେକ ସମୟରେ କପଲଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ ଆଉ ତାପରେ ମାନିବାକୁ ଅନେକ ଦିନ ନେଇଥାନ୍ତି ଅନେକ ଲୋକ। କିନ୍ତୁ ଏପରି କରିବା କୌଣସି ସମ୍ପର୍କ ଲାଗି ଜମାରୁ ବି ଭଲ ନୁହଁ। ଝଗଡ଼ା ହେଉଛି ଠିକ୍‌ ଅଛି କିନ୍ତୁ ସେହି ଝଗଡ଼ା,ରାଗ, ଅଭିମାନକୁ ସେଇଠି ହିଁ ଭୁଲିଯାଆନ୍ତୁ, କଥାକୁ ଧରନ୍ତୁ ନାହିଁ।

ପୁରୁଣା କଥାକୁ ଦୋହରାନ୍ତୁ ନାହିଁ

ସମ୍ପର୍କ ଅଛି ମାନେ ମନମାଳିନ୍ୟ ଅଛି, ଝଗଡ଼ା ଅଛି। କିନ୍ତୁ ହଁ ଯେଉଁ କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହେଉଛି ସେ କଥାକୁ ଆଉ କେବେ ଉଠାନ୍ତୁ ନାହିଁ। କାରଣ ଯାହା ସାମ୍ନାରେ ଆପଣ ପୁରୁଣା କଥା ଉଠାଉଛନ୍ତି ସେ ହେଉଛନ୍ତି ଆପଣଙ୍କ ଜୀବନ ସାଥୀ। ଯାହାକୁ ଆପଣ ସବୁଠୁ ଅଧିକ ଭଲ ପାଆନ୍ତି, ଯେ ଆପଣଙ୍କ ସହ ଜୀବନର ସବୁ ସମୟରେ ଆପଣଙ୍କ ସହ ଛିଡା ହେବ। ତେଣୁ ପୁରୁଣା କଥାକୁ ଉଠାନୁନାହିଁ। କାରଣ ଏଠି କେହି କାହା ସହ କିଛି ଚ୍ୟାଲେଞ୍ଜ କରୁନି ଯେ ଜିତିବା ହାରିବାର ପ୍ରଶ୍ନ ଉଠୁଛି।

ନିଜ ସମ୍ପର୍କ ନିଜ ହାତରେ

ଉପରେ ଆମେ ଆପଣଙ୍କୁ ଯେତିକି କଥା କହିଲୁ ଯଦି ଆମେ ସମସ୍ତେ ଆମ ବାସ୍ତବ ଜୀବନରେ ସେ ସବୁ କଥାକୁ ପାଳନ କରିବା ତେବେ କୌଣସି ସମ୍ପର୍କରେ ମନମାଳିନ୍ୟ ରହିବନି। ଏହାଛଡ଼ା ସମ୍ପର୍କକୁ କେମିତି ସୁନ୍ଦର କରିହେବ ସେ ଦାୟିତ୍ୱ ଆମର। ପ୍ରତିଟି ମଣିଷ ଏଥିପ୍ରତି ଯତ୍ନବାନ ହେବା ଦରକାର। ଯେତେବେଳେ ରାଗ ଆସୁଛି ସେ ମଣିଷ ସହ ବିତାଇଥିବା ଭଲ ମୂହୁର୍ତ୍ତକୁ ମନେ ପକାନ୍ତୁ। ଦେଖିବେ ରାଗ କିଛିଟା କମ୍‌ ହୋଇଯିବ।

Comment