ଓଡ଼ିଶାଲାଇଭ ବ୍ୟୁରୋ

ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ଦୁଇଟି ବଡ଼ ଅଘଟଣ ଭୁବନେଶ୍ଵର ବାସୀଙ୍କ ମନରୁ ନଲିଭୁଣୁ ପୁଣି ଓଭର ବ୍ରିଜକୁ ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ଶନିବାର ହାଇଟେକ୍‌ ଛକରେ ଥିବା ପୁରୀ ଫ୍ଲାଏଓଭର ଦବିଯାଇଛି। ଫଳରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଦବିବାର ବହୁ ସମୟ ପରେ ମରାମତି ନହେବାରୁ ଲୋକମାନେ ବାଧ୍ୟ ହୋଇ ରାଜରାସ୍ତକୁ ଓହ୍ଲାଇଥିଲେ। ଫଳରେ ଦୁଇ ଘଣ୍ଟା ଧରି ଯାତାୟତ ଠପ୍ ହୋଇଯାଇଥିଲା।

୧୩ ଅଗଷ୍ଟ ୨୦୧୮ରେ ନିର୍ମାଣ ହୋଇଥିଲା ପୁରୀ ବାଇପାସ୍‌ ଫ୍ଲାଏଓଭର। ଗୋଟିଏ ବର୍ଷ ପରେ ଓଭର ବ୍ରିଜର ଏଭଳି ଅବସ୍ଥାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଓଭର ବ୍ରିଜ ଦବିବାପରେ ଏହାକୁ ଦେଖିବାକୁ ସ୍ଥାନୀୟ ଲୋକ ସେଠାରେ ଭିଡ଼ ଜମାଇଥିଲେ। ଫଳରେ ଘଣ୍ଟା ଘଣ୍ଟା ଧରି ରୋଡ୍‌ ଜାମ ହୋଇଥିଲା। କଟକରୁ ଭୁବନେଶ୍ଵର ଆସୁଥିବା ଅନେକ ଗାଡ଼ି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଦବିବାର ବହୁ ସମୟ ପରେ ମଧ୍ୟ ମରାମତି ହୋଇ ନଥିବାରୁ ସ୍ଥାନୀୟ ଲୋକ ରାସ୍ତାକୁ ଓହ୍ଲାଇଥିଲେ।

ଅଧିକ ଭିଡ଼ ହେବାରୁ ଖବର ପାଇ ଡିସିପି ଅନୁପ ସାହୁ, ଶହୀଦନଗର ଥାନା ଅଧିକାରୀ ବିରଞ୍ଚି ପତି, ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ, ନଖରା ଟ୍ରାଫିକ ଥାନା ଅଧିକାରୀ ଆକାଶ ରଣା ଓ ଜୋନ ଏସିପି ଅନିଲ ମିଶ୍ର ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଲୋକଙ୍କୁ ବୁଝାସୁଝା କରିବା ସହ ୧୦ ଜଣିଆ ଓଡ୍ରାଫ ଟିମ୍‌କୁ ମୁତୟନ କରିଥିଲେ।

ତେବେ ଅନୁଧ୍ୟାନ ପରେ ଏନଏଚଆଇ ମୁଖ୍ୟ ପ୍ରବନ୍ଧକ ଆରପି ପଣ୍ଡା କହିଛନ୍ତି, “ଫ୍ଲାଏଭର ଦବିନାହିଁ ଏହାର ଆପ୍ରୋଚ ରୋଡ୍‌ ଦବିଛି। ଏହା ବିଶେଷ ଗୁରୁତର ନୁହେଁ। ବ୍ରିଜର ସ୍ଲାବ ଯେଉଁଠି ଶେଷ ହୋଇଛି ସେଠାରୁ ବାଲି ପିଲିଂ କରାଯାଇଛି। ରୋଡ୍‌ ସମାନ ବେଳେ କିଛି ତ୍ରୁଟି ହେତୁ ଏପରି ହୋଇଛି। ଆସନ୍ତା କାଲି ଏହାର ମରାମତି କରାଯିବ।”

Comment