ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର: “ନାଗରିକତା ସଂଶୋଧନ ଆଇନ (ସିଏଏ) ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବରଂ ପ୍ରଦାନ ପାଇଁ ଉଦ୍ଦିଷ୍ଟ। ସାରା ଦେଶରେ ଏନଆରସି ଲାଗୁ କରିବାର କୌଣସି ନିଷ୍ପତ୍ତି ସରକାର ନେଇ ନାହାନ୍ତି”, କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ।

ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ରାମଦାସ ଅଠାୱଲେ। ଏହି ସାମ୍ଵାଦିକ ସମ୍ମଳନୀରେ ସେ ସିଏଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ସହ ସରକାରଙ୍କ ଉଦ୍ୟମ ବିଷୟରେ ଅବଗତ କରାଇଥିଲେ।

ଏନେଇ ସେ କହିଥିଲେ “ସିଏଏ ନାଗରିକମାନଙ୍କ ସ୍ୱାର୍ଥ ପାଇଁ ହୋଇଛି। ହେଲେ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ଲୋକମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବା ଯୋଗୁଁ ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି। ଏନଆରସି କେବଳ ଆସାମ ପାଇଁ ଉଦ୍ଦିଷ୍ଟ, ଏଥିନେଇ କୌଣସି ଦ୍ୱିମତ ନାହିଁ।“

ସିଏଏ ଦ୍ୱାରା ମୁସଲମାନଙ୍କର କୌଣସି କ୍ଷତି ହେବ ନାହିଁ। ଯଦି କୌଣସି କ୍ଷତି ହୁଏ, ତା’ହେଲେ ସେ ମୁସଲମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିବେ। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ କେବଳ ରାଜନୀତି କରୁଛନ୍ତି। କେନ୍ଦ୍ର ସରକାର ସର୍ବଦା ମୁସଲିମ ସମ୍ପ୍ରଦାୟଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସିଛନ୍ତି ବୋଲି ଅଠାୱଲେ ପ୍ରକାଶ କରିଥିଲେ। ।

ଅଯୋଧ୍ୟା ରାୟ ସମ୍ପର୍କରେ ମତପ୍ରକାଶ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, “ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଦେଶ ସକାରାତ୍ମକ ଭାବେ ସ୍ୱୀକାର କରିଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟ ଗଠନ କରିବା ଲାଗି ସଂସଦରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଟ୍ରଷ୍ଟରେ ଜଣେ ମହିଳା ଓ ଅନ୍ୟ ଜଣେ ଦଳିତଙ୍କୁ ସାମିଲ କରାଯିବା ସ୍ୱାଗତଯୋଗ୍ୟ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ ଅଯୋଧ୍ୟାରେ ମୁସଲମାନଙ୍କୁ ୫ ଏକର ଜମି ମସଜିଦ ନିର୍ମାଣ ପାଇଁ ଦିଆଯିବ।“

ସେ ଆହୁରି କହିଥିଲେ ଯେ, ୨୦୨୨ରେ ଦେଶ ସ୍ୱାଧୀନତାର ୧୫୦ ବର୍ଷ ପୂର୍ତ୍ତି ହେଉଥିବାରୁ ସମସ୍ତଙ୍କୁ ଆବାସ ଯୋଗାଇବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଅଧିକ ସଂଖ୍ୟକ ପଛୁଆବର୍ଗଙ୍କୁ ଆବାସ ଯୋଜନାରେ ସାମିଲ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସବର୍ଣ୍ଣଙ୍କ କଲ୍ୟାଣ ପାଇଁ ମଧ୍ୟ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଆର୍ଥିକ ଦୁର୍ବଳ ଶ୍ରେଣୀର ସାଧାରଣ ବର୍ଗଙ୍କ ପାଇଁ ମଧ୍ୟ ୧୦% ସଂରକ୍ଷଣ ଘୋଷଣା କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ଅଠାୱଲେ ସୂଚନା ଦେଇଥିଲେ।

Comment