ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜରେ ଅନେକ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀ ଅଛନ୍ତି, ଯେଉଁମାନେ ବ୍ୟୟବହୁଳ ଅସ୍ତ୍ରୋପଚାର ପାଇଁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ସେମାନଙ୍କ ପାଇଁ ସେମାନଙ୍କ ପରିବାର ଲୋକେ ବି ଚିନ୍ତାରେ। ସେମାନଙ୍କ ମୁହଁରେ ହସ ଫୁଟାଇବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଆଗେଇ ଆସିଛି।

ଆସନ୍ତା ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀମାନଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ ହେବ। ଏହି ଶିବିରରେ ରୋଗୀମାନଙ୍କୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ପାଇଁ ପଠାଯିବ। ଏହି ଅସ୍ତ୍ରୋପଚାର କଟକ ଜିଲ୍ଲାର ବାଲିକୁଦାଠାରେ ଥିବା ଶଶୀଭୂଷଣ ମେମୋରିଆଲ ହସ୍ପିଟାଲରେ କରାଯିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ସହମତି ଦେଇଛନ୍ତି।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗରୁ ଚିହ୍ନଟ ହୋଇଥିବା ୪୯ ଜଣ ଗ୍ରହଣ ଖଣ୍ଡିଆ ରୋଗୀ ଅଛନ୍ତି। ଆଗରୁ ଅସ୍ତ୍ରୋପଚାର କରାଯାଇଥିବା ୯୧ ଜଣ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହାଛଡା ନୂତନ ରୋଗୀମାନଙ୍କୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ଯୋଗ୍ୟ ରୋଗୀମାନଙ୍କୁ ଶଶୀଭୂଷଣ ମେମୋରିଆଲ ହସ୍‌ପିଟାଲକୁ ପଠାଯିବ। ଏହି ଅସ୍ତ୍ରୋପଚାରର ସମସ୍ତ ଖର୍ଚ୍ଚ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବହନ କରିବ ବୋଲି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉର୍ମିଳା ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ, ଶଶୀଭୂଷଣ ମେମୋରିଆଲ ହସ୍ପିଟାଲ ଓ ଜିଲ୍ଲା ସ୍ୱାଭିମାନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ କରାଯିବ।

Comment