ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବର୍ଷେ ଭିତରେ ମାମଲାର ବିଚାର କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ପୋକ୍ସ ଆଇନରେ ସଂଶୋଧନ ପରେ ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଦଣ୍ଡାଦେଶ ପ୍ରଥମ ବୋଲି କୁହାଯାଉଛି।

ଏହି ରାୟକୁ ପୀଡ଼ିତାଙ୍କ ବାପା ସ୍ୱାଗତ କରିଛନ୍ତି। ମୋ’ ଝିଅର ଅମର ଆତ୍ମାକୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି।

କ’ଣ ଥିଲା ପୂରା ଘଟଣା?

୨୦୧୮ ମସିହା ଜୁନ ମାସ ୧୫ ତାରିଖରେ ବେତନଟୀ ଥାନା ଅନ୍ତର୍ଗତ ଗରୁଡବସା ଗାଁ ଦାଣ୍ଡରେ ୮ ବର୍ଷର ନାବାଳିକା ଖେଳୁଥିଲେ। ସେହି ଗାଁର ଯାମିନି ମହାନ୍ତ ନ।ମକ ଜଣେ ଯୁବକ ନାବାଳିକାଙ୍କୁ ସାଇକେଲରେ ବୁଲାଇବାକୁ କହି ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିବା ସହ ପଥରରେ ଛେଚି ହତ୍ୟା କରିଥିଲା। ମୃତ ଦେହକୁ ସେହି ଜଙ୍ଗଲରେ ଫୋପାଡି ଦେଇ ଆସିଥିଲା ଅଭିଯୁକ୍ତ।

ପରିବାର ଲୋକେ ଝିଅକୁ ଖୋଜାଖୋଜି କରିଥିଲେ। ଶେଷରେ ଗାଁ ନିକଟ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା। ଏନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଏହି ନୃଶଂସ କାଣ୍ଡ ସେହି ଗାଁର ଯାମିନି କରିଥିବା ଜଣାପଡ଼ିବା ପରେ ଗ୍ରାମବାସୀମାନେ ଉତ୍ତେଜିତ ହୋଇ ଦୁଷ୍କର୍ମକାରୀ ଯୁବକକୁ ମାଡ଼ ମାରିଥିଲେ। ବେତନଟୀ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଯାମିନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୀଡ଼ିତା ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଦିଆଯାଇଥିଲା। ଏହି ସମ୍ବେଦନଶୀଳ ମାମଲାଟି ଅତିରିକ୍ତ ଦୌରାଜଜ ତଥା ପୋକ୍ସୋ କୋର୍ଟରେ ଶୁଣାଣି କରାଯାଇଥିଲା।

ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ୧ ବର୍ଷ ୨ ମାସ ୧୪ ଦିନ ପରେ ମାମଲାର ରାୟ ପ୍ରକାଶ କରିଛନ୍ତି। ଏହି ରାୟକୁ ମୟୂରଭଞ୍ଜ ଜିଲ୍ଲାର ବୁଦ୍ଧିଜିବୀଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ସ୍ଵାଗତ କରିଛନ୍ତି।

Comment