ଓଡ଼ିଶାଲାଇଭ୍ ବ୍ୟୁରୋ

୩୦ହଜାର ଲିଟର ଅପମିଶ୍ରିତ ତେଲ ଜବତ

କଟକ: ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବମ୍ଫକୁଦଠାରେ ଚାଲିଥିବା ଏକ ନକଲି ଖାଇବା ତେଲ କାରଖାନା ଉପରେ ଚଢଉ କରିଛି ସଦର ଥାନା ପୋଲିସ। ନକଲି ଖାଇବା ତେଲ ପ୍ରସ୍ତୁତ ସାମଗ୍ରୀ ଓ ମେସିନ୍ ଜବତ କରିଛି ପୋଲିସ୍। କାରଖାନାରୁ ବଜାରକୁ ଯିବାକୁ ପ୍ରସ୍ତୁତ ହୋଇସାରିଥିବା ପ୍ରଚୁର ପରିମାଣର ଅପମିଶ୍ରିତ ତେଲ ବି ମିଳିଛି।

ବମ୍ଫକୁଦଠାରେ ପାଖାପାଖି ୧୨  ବର୍ଷ ଧରି ଏହି ନକଲି ତେଲ କାରଖାନା ଚାଲୁଥିଲା। କଲିକତା ଓ ହଳଦିଆରୁ ଅପମିଶ୍ରିତ ତୈଳ ଏଠାକୁ ଆସି ବିଭିନ୍ନ ନାମୀଦାମୀ କମ୍ପାନି ବ୍ରାଣ୍ଡରେ ପ୍ୟାକ୍ କରାଯାଇ ପଠାଯାଉଥିଲା। ତେବେ ଅସଲି ବ୍ରାଣ୍ଡେଡ୍ ତେଲ କମ୍ପାନିମାନଙ୍କର ବ୍ୟବସାୟ ପ୍ରଭାବିତ ହେବାରୁ ସେମାନେ ଏ ବିଷୟରେ ଖୋଳତାଡ଼ କରି ପୋଲିସକୁ ସୂଚନା ଦେଇଥିଲେ।

ଏହି ସୂଚନା ଆଧାରରେ ସଦର ଥାନା ପୋଲିସ କାରଖାନାରେ ଆଜି ଚଢ଼ଉ କରିଥିଲା। ସେଠାରେ ଥିବା ଏକ ବଡ଼ ମେସିନ ସହାୟତାରେ ପ୍ରାୟ ୫ହଜାର ଲିଟର ନକଲି ତେଲ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା। ଚଢ଼ଉ ସମୟରେ ସେଠାରେ ମହଜୁଦ ଥିବା ପ୍ରାୟ ୨୦ ହଜାର ଟିଣ (୩୦ ହଜାର ଲିଟର) ଅପମିଶ୍ରିତ ତେଲ, ବହୁ ପରିମାଣର କାଗଜ ପେଟି, ନକଲି ଲୋଗୋ, ଜରି ପ୍ୟାକେଟ୍, ଖାଲି ଟିଣ ଓ ତେଲ ତିଆରିରେ ବ୍ୟବହାର ପାଇଁ ରହିଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା।

ପୋଲିସ କାରଖାନାର ମାଲିକ ଜଗୁ ସାହୁକୁ ଅଟକ ରଖି ପଚରାଉଚରା କରିବା ସହିତ ପ୍ୟାକେଜିଂ ୟୁନିଟ ଓ କାରଖାନାକୁ ସିଲ୍ କରିଛି। ଏହି ତେଲ କଟକ ମାଲଗୋଦାମ ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ପଟ୍ଟାମୁଣ୍ଡାଇ, ପାରାଦୀପ ଆଦି ସ୍ଥାନକୁ ବିକ୍ରୟ ପାଇଁ ପଠାଯାଉଥିଲା।

ଏହି ନକଲି ତେଲର ମୂଲ୍ୟ ବଜାର ଦର ଅପେକ୍ଷା  କମ ରହୁଥିବାରୁ ବିକ୍ରି ଭଲ ହେଉଥିଲା। ଉଭୟ କାରଖାନା ମାଲିକ ଓ ବ୍ୟବସାୟୀଙ୍କର ଭଲ ରୋଜଗାର ହେଉଥିଲା। ତେବେ ଜାତୀୟ ରାଜପଥ ପାର୍ଶ୍ୱରେ ଏତେ ବର୍ଷ ଧରି ଏଭଳି ଏକ ନକଲି କାରବାର କରୁଥିବା କାରଖାନା ଚାଲୁ ରହିବା ଓ କେହି ଏ ସଂପର୍କରେ ସୁରାକ ନପଇବା ଘଟଣା ବିସ୍ମୟ ସୃଷ୍ଟି କରିଛି।

ଏହା ପଛରେ ଏକ ବଡ଼ ରାକେଟ୍ ଥିବା ପୋଲିସ ସନ୍ଦେହ କରୁଛି। ପୂର୍ବରୁ କଟକ ସହରର ଖାନନଗର ଓ ଜଗତପୁର ଅଞ୍ଚଳରୁ ନକଲି ତେଲ କାରଖାନା ଠାବ ହୋଇଥିଲା।

Comment