ଓଡ଼ିଶାଲାଇଭ୍ ବ୍ୟୁରୋ

ଆସାମରେ ଚାଲିଥିବା ଜାତୀୟ ନାଗରିକ ପଞ୍ଜିକରଣ ବା ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି)ର ଚୂଡାନ୍ତ ତାଲିକା ପ୍ରକାଶନର ଆଜି ହେଉଛି ଶେଷ ତାରିଖ।  ଏନଆରସି ପ୍ରକାଶନର ଶେଷ ତାରିଖ ଜୁଲାଇ ୩୧ ଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାହାକୁ ଅଗଷ୍ଟ ୩୧କୁ ବୃଦ୍ଧି କରାଯାଇଥିଲା। ଆସାମରେ ରହୁଥିବା ଭାରତୀୟ ଓ ଅଣଭାରତୀୟଙ୍କ ପାଇଁ  ଅଗଷ୍ଟ ୩୧ ତାରିଖ ଏକ ଐତିହାସିକ ଦିନ ରୂପେ ପରିଗଣିତ ହେବାକୁ ଯାଉଛି।
ଆସାମରେ ଚାଲିଥିବା ଜାତୀୟ ନାଗରିକ ପଞ୍ଜୀକରଣ ବା ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି)ର ଚୂଡାନ୍ତ ତାଲିକା ପ୍ରକାଶନକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା।

କ’ଣ ଏହି  ଏନଆରସି ତାଲିକା?

ବେଆଇନ ଭାବେ ଆସାମରେ ପ୍ରବେଶ କରିଥିବା ବାଂଲାଦେଶୀଙ୍କ ବିରୋଧରେ ଜନ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା ଏହି ଏନଆରସି ପ୍ରକ୍ରିୟା। ଏହି ଜନ ଆନ୍ଦୋଳନ ୬ ବର୍ଷ ଧରି ଲାଗିରହିଥିଲା। ଦିନକୁ ଏହି ଆନ୍ଦୋଳନ ତୀବ୍ର ହେବାରୁ ୧୯୮୬ରେ ଆସାମ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

କେନ୍ଦ୍ର ସରକାର, ଆସାମ ଏବଂ ବିଭିନ୍ନ ସଂଗଠନ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷର ହୋଇଥିଲା। ଏଥିରେ ଆସାମ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଚୁକ୍ତିର  ଧାରା ୬ A ଅନୁଯାୟୀ  ଯଦି ଜଣେ  ୧୯୬୬ ଜାନୁଆରୀ ପହିଲା ପୂର୍ବରୁ ଆସାମରେ ରହି ଆସିଛନ୍ତି ତେବେ ସେ ଭାରତୀୟ ନାଗରିକ। ସେହିଭଳି ଯିଏ ୧୯୬୬ରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଆସାମରେ ରହିଛନ୍ତି, ତାଙ୍କୁ ୧୦ ବର୍ଷ ପରେ ଭାରତୀୟ ନାଗରିକତ୍ୱର ପରିଚୟ ମିଳିବା ନେଇ ବ୍ୟବସ୍ଥା ହୋଇଥିଲା।

ବେଆଇନ ନାଗରିକ

୧୯୭୧ରେ  ବଙ୍ଗଳା ଦେଶର ଜନ୍ମ ପରେ ଯେଉଁମାନେ ଭାରତରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ବେଆଇନ ଅନୁପ୍ରବେଶକାରୀ ବୋଲି କୁହାଯିବ।  ବଙ୍ଗଳା ଦେଶ ମୁକ୍ତି ସଂଗ୍ରାମରେ ବେଘର ହୋଇ ନେକ ବାଂଲାଦେଶୀ ଅବୈଧ ଭାବେ ଆସାମ ସୀମା ଦେଇ ଭାରତକୁ  ଅନୁପ୍ରବେଶ କରିଥିଲେ। ଏହି ବେଆଇନ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଏନଆରସି ତିଆରି  କରାଯାଇଛି।

ଅପଡେଟ ଦାବି

ଆସାମରେ ଏହା ପ୍ରଥମ ଏନଆରସି ଆଇନ ନୁହେଁ। ୧୯୫୧ରେ ପ୍ରଥମ  ଏନଆରସି ଆଇନ ଆସିଥିଲା। ପରେ ୨୦୦୫ରେ ତତ୍କାଳିନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଆସାମ ସରକାର ଓ ସମସ୍ତ ଛାତ୍ର ୟୁନିୟନ ସାମିଲ ହୋଇଥିଲେ। ଏହି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ଯେ, ଆସାମର ଏହି ଏନଆରସିକୁ ଅପଡେଟ କରାଯିବା ଦରକାର।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ବିଦେଶୀ ଚିହ୍ନଟ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ୨୦୦୯ରେ ପ୍ରଥମଥର ସୁପ୍ରିମକୋର୍ଟ ଏହି ମାମଲାରେ ନିଜେ  ହସ୍ତକ୍ଷେପ କରିଥିଲେ। ସବୁ ପକ୍ଷକୁ ଶୁଣିବା ପରେ ୨୦୧୪ରେ ଆସାମ ସରକାରଙ୍କୁ ଶୀଘ୍ର ଏହି ଏନଆରସି ପ୍ରକ୍ରିୟା ପୂରା କରିବାକୁ ସର୍ବୋଚ୍ଚ କୋର୍ଟ ଆଦେଶ ଦେଇଥିଲେ। ତା’ପର ଠାରୁ  ସୁପ୍ରିମକୋର୍ଟ ଏହି ସମ୍ବେଦନଶୀଳ ପ୍ରକ୍ରିୟା ଉପରେ ନିଜର ରଖନ୍ତି।

୪୦ ଲକ୍ଷ ଲୋକଙ୍କ ଭବିଷ୍ୟତ

ବିଦେଶୀ ଚିହ୍ନଟ ପ୍ରକ୍ରିୟା ଚାଲୁ ରହିଥିବା ବେଳେ, ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ସରକାରଙ୍କ ହାତରୁ କ୍ଷମତା ନେଇ ନାଗରିକତ୍ୱ ପରିଚୟ ଦେବାକୁ ସମସ୍ତ କ୍ଷମତା ସାଧାରଣ ଲୋକଙ୍କ ହାତକୁ ଟେକି ଦେଇଥିଲେ। ଯେତେବେଳେ ୨୦୧୭  ଡିସେମ୍ବର ୩୧ରେ ପ୍ରଥମ ଏନଆରସି ତାଲିକା ପ୍ରକାଶ ପାଇଲା ସେଥିରେ ପ୍ରାୟ ୩ କୋଟିରୁ ଅଧିକ ଲୋକ ନିଜକୁ ଆସାମ ନାଗରିକ ଭାବେ ଦାବି କରିଥିଲେ।

୩୦ ଜୁଲାଇ ୨୦୧୮ରେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାରେ ୪୦ ଲକ୍ଷ ଲୋକ ଏଥିରୁ ବାଦ ପଡିଥିଲେ। ଶେଷ ପର୍ଯ୍ୟାୟରେ ଚଳିତ ବର୍ଷ ଜୁନ ୨୬ରେ ପ୍ରକାଶ ପାଇଥିବା ଅତିରିକ୍ତ ଏନଆରସି ତାଲିକାରୁ ଆଉ  ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କୁ ତାଲିକାରୁ ବାଦ କରାଗଲା। ଏହି  ୪୧ ଲକ୍ଷ ଲୋକଙ୍କ ଭବିଷ୍ୟତ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର।

Comment