ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଏବେ ଆପଣଙ୍କୁ ଦେବାକୁ ହେବ ମୋଟା ଅଙ୍କର ଫାଇନ୍ଜାଣନ୍ତୁ ଦୁଇ ଚକିଆ  ଚାରି ଚକିଆ ଯାନ ପାଇଁ ନୂଆ ଟ୍ରାଫିକ୍ ନିୟମରେ ’ଣ  ରହିଛି?

ନୂଆ ଟ୍ରାଫିକ ନିୟମ ଅନୁସାରେ ଏଣିକି ଦୁଇ ଚକିଆ ଯାନରେ ଯାତ୍ରା କରୁଥିଲେ ଗାଡ଼ି ଚାଳକ ଏବଂ ତାଙ୍କ ସହ ଥିବା ଯାତ୍ରୀ ଉଭୟ ହେଲମେଟ ପିନ୍ଧିବେ। ନହେଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। ଭାରତ ସରକାରଙ୍କ ଦ୍ୱାରା ମୋଟର ଯାନ ଆଇନ ସଂଶୋଧନ କରାଯାଇ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ କରାଯାଇଛି। ଏହି ନୂଆ ଆଇନରେ  ଛୋଟ ବଡ଼ ସବୁ ପ୍ରକାର ଟ୍ରାଫିକ୍ ଉଲ୍ଲଂଘନ ପାଇଁ ରହିଛି ଫାଇନ୍ ବ୍ୟବସ୍ଥା।

ଏବେ ଲାଗିବ ଡବଲ୍ ହେଲମେଟ୍ଡବଲ୍ ସିଟ୍ବେଲ୍ଟମୋବାଇଲ୍ରେ ଗପିଲେ  ହଜାର

ଦୁଇ ଚକିଆ ଚଳାଉଥିବା ଲୋକଙ୍କୁ ହେଲମେଟ୍ ପିନ୍ଧାଇବା ପାଇଁ ପୋଲିସ୍ ନାକେଦମ୍ ହେଲାଣି। ପୂର୍ବ ନିୟମ ଅନୁଯାୟୀ ଓଡ଼ିଶାରେ କେବଳ ଚାଳକ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା। ଏବେ ଆସିଥିବା ନୂଆ ନିୟମ ଅନୁଯାୟୀ ଦୁଇ ଚକିଆ ଯାନରେ ଦୁଇଜଣ ଯାତ୍ରା କରିପାରିବେ ଓ ଉଭୟଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ।

ହେଲମେଟ୍ ନ ପିନ୍ଧିଲେ ଆଗରୁ ଫାଇନ୍ ଥିଲା ୫୦୦ ଟଙ୍କା। ଏବେ ଖିଲାପକାରୀ ଗଣିବେ ୧ ହଜାର ଟଙ୍କା।

ଚାରିଚକିଆ ଯାନରେ ଆଗରୁ କେବଳ ଗାଡ଼ି ଚାଳକ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ଥିଲା। କିନ୍ତୁ ଏବେ ନୂଆ ନିୟମ ଅନୁଯାୟୀ ଚାଳକ ଓ ବାମ ପଟେ ବସିଥିବା ଯାତ୍ରୀଙ୍କୁ ମଧ୍ୟ ସିଟ୍‌ ବେଲଟ୍ ପିନ୍ଧିବାକୁ ପଡ଼ିବ। ଏଥିରେ ଖିଲାପି କଲେ ଯଦି ଆପଣ ଧରାପଡ଼ନ୍ତି ପ୍ରଥମ ଦଣ୍ଡ ୧ ହଜାର।

ସେହିପରି ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର କରିବା ମନା। ଏହାଫଳରେ ଅନେକ ସମୟରେ ଘଟୁଛି ଛୋଟ ବଡ଼ ଦୁର୍ଘଟଣା। ଏହି ଭୁଲ ପାଇଁ ଏବେ ଯଦି ଆପଣ ଧରାପଡ଼ନ୍ତି ପ୍ରଥମ ଦଣ୍ଡ ୫ ହଜାର। ସେହିପରି ବାରମ୍ବାର ଏହି ଭୁଲ୍ କଲେ ତେଣିକି ପ୍ରତିଥର ମାତ୍ର ୧୦ ହଜାର ଟଙ୍କା ଜୋରିମନା ପଡ଼ିବ।

ଦୁଇ ଚକିଆ ଯାନ ହେଉ କି ଚାରିଚକିଆ ପିଲାଙ୍କୁ ଗାଡ଼ିରେ ବସାଇ ନେବା ଏକ ସାଧାରଣ ଘଟଣା। କିନ୍ତୁ ମୋଟର ଯାନର ନୂଆ ନିୟମ ଅନୁଯାୟୀ ଯଦି କୌଣସି ଅଭିଭାବକ ୧୪ ବର୍ଷରୁ କମ୍ ବୟସର ପିଲାଙ୍କୁ ବିନା ସୁରକ୍ଷା ବ୍ୟବସ୍ଥାରେ ଗାଡ଼ିରେ ନେଉଥାନ୍ତି ତେବେ ଟ୍ରାଫିକ୍ ପୋଲିସ୍ ସେ କ୍ଷେତ୍ରରେ ୧ହଜାର ଟଙ୍କା ଆଦାୟ କରିବ।

ଓଲଟା ପଟେ ଗାଡ଼ି ଚଳାଇଲେ ବାନ୍ଧିବ ପୋଲିସ୍ଫୁଟ୍ପାଥିଆ ଗାଡ଼ିବାଲାଙ୍କ ଉପରେ କଡ଼ାନଜର

ପିଲାବେଳେ ବାପ ମା’ ଆଉ ଗୁରୁଜନ କେତେଥର କହିଥିବେ ରାସ୍ତାର ବାମ ପଟେ ଚାଲିବା ଉଚିତ୍। ଏମିତିକି ପାଠ ବହିରେ ମଧ୍ୟ ଏହି ସର୍ବନିମ୍ନ ଟ୍ରାଫିକ୍ ଶୃଙ୍ଖଳା ବିଷୟରେ ପଢ଼ାଯାଏ। କିନ୍ତୁ ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ବା ଯେକୌଣସି ସ୍ଥାନରେ ରାସ୍ତାର ଓଲଟାପଟେ ମଟର ସାଇକେଲରୁ ଆରମ୍ଭ କରି ଟ୍ରକ୍ ପର୍ଯ୍ୟନ୍ତ ଗଡ଼ୁଥିବା ଦେଖିବାକୁ ମିଳୁଛି।

ନୂଆ ଟ୍ରାଫିକ୍ ନିୟମ ଅନୁଯାୟୀ ଏବେ ଏଭଳି ହିରୋଗିରି ପାଇଁ ଗଣିବାକୁ ପଡ଼ିବ ୫ ହଜାର ଟଙ୍କା। ଯଦି ଏହି ଭୁଲ କେହି ବାରମ୍ବାର କରେ ତେବେ ପ୍ରତିଥର ଏଣିକି ଦେବାକୁ ପଡ଼ିବ ୧୦ ହଜାର ଟଙ୍କାର ଫାଇନ୍।

ରାଜଧାନୀ ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ଫୁଟପାଥ୍ ଉପରେ ଗାଡ଼ି ଚଳାଇବା ଦେଖିବାକୁ ମିଳୁଛି। ରାସ୍ତାରେ କଟିଂ ନଥିବା ସ୍ଥାନରେ ସର୍ଟକଟ୍ ମାରିବାକୁ ଯାଇ ଅନେକ ଦୁଇଚିକଆ ଯାନ ଚାଳକ ଫୁଟପାଥ୍ ଉପରେ ଏବଂ ଟ୍ରାଫିକ୍‌ର ବିପରୀତ ଦିଗରେ ଗାଡ଼ି ଚଳାଇ ଯାଉଛନ୍ତି। ଏପରିକି କେତେକ ସ୍ଥାନରେ ଫୁଟପାଥ୍ ଉପରେ ଚାରିଚକିଆ ଯାନ ମଧ୍ୟ ଚଢ଼ୁଥିବା ଦେଖିବାକୁ ମିଳେ। ଏବେ ଏହି ଫୁଟପାଥିଆ ଗାଡ଼ିବାଲାଙ୍କୁ ଧରିବ ପୋଲିସ୍। ସେମାନଙ୍କୁ ଗଣିବାକୁ ହେବ ୫ ହଜାର ଟଙ୍କାର ଫାଇନ୍।

ବେପରୁଆ ଗାଡ଼ି ଚାଳକଙ୍କୁ ଟ୍ରାଫିକ୍ ଛାଟ

ବେପରୁଆ ଭାବେ ବା ବିପଦଜନକ ଭାବେ ଗାଡ଼ି ଚଳାଉଥିବା ଲୋକଙ୍କୁ ଏବେ ଟ୍ରାଫିକ୍ ପୋଲିସ୍ ବାନ୍ଧିପାରିବ। କେବଳ ସେତିକି ନୁହେଁ ସେମାନଙ୍କଠାରୁ ୫ ହଜାର ଟଙ୍କାର ଫାଇନ୍ ଆଦାୟ କରିପାରିବ। ଯଦି ଜଣେ ଲୋକ ବାରମ୍ବାର ଏଭଳି ଭୁଲ କରୁଥାଏ ତେବେ ଦ୍ୱିତୀୟ ଦଫାରୁ ପ୍ରତିଥର ଟ୍ରାଫିକ୍ ପୋଲିସ୍ ୧୦ ହଜାର ଟଙ୍କା ଆଦାୟ କରିପାରିବ।

ସେଭଳି ଗାଡ଼ି ରେସିଂ କରୁଥିଲେ ଧରିବ ପୋଲିସ୍। ଏହି ଅପରାଧ ପାଇଁ ପ୍ରଥମ ଥର ହେଲେ ୫ ହଜାର ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଭୁଲ ପାଇଁ ୧୦ ହଜାର ଟଙ୍କା ଜୋରିମନା ଲାଗିବ।

ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ମଧ୍ୟ ଦଣ୍ଡ। ଏଥିପାଇଁ ହାଲୁକା ମୋଟର ଯାନ କ୍ଷେତ୍ରରେ ଲାଗିବ ୪ ହଜାର ଟଙ୍କା ଫାଇନ୍। ସେହିପରି ମଧ୍ୟମ ଓ ଭାରିଯାନ ଦ୍ରୁତ ଗତିରେ ଚଳାଇ ଧରାପଡ଼ିଲେ ଗଣିବେ ୪ ହଜାର ଟଙ୍କା।

ନିଶା ସେବନ କରି ଗାଡ଼ି ଚଳାଇଲେ ଏବେ ଗଣିବାକୁ ହେବ ୧୦ ହଜାର ଟଙ୍କା। ସେତିକିରେ ମଦୁଆ ଚାଳକଙ୍କ ଦଣ୍ଡ ସରୁନାହିଁ। ଯଦି ବାରମ୍ବାର ଏହି ଅଭିଯୋଗରେ କେହି ଧରାପଡ଼ନ୍ତି ତେଣିକି ଦେବାକୁ ହେବ ପ୍ରତିଥର ପାଇଁ ୧୫ ହଜାର ଟଙ୍କାର ଜୋରିମନା।

କୌଣସି ମୋଟରଯାନର ସାଇଲେନ୍ସରକୁ ବିକୃତ କରି ହିରୋଗିରି ଦେଖାଇଲେ ଏବେ ଲାଗିବ ଫାଇନ୍। ପ୍ରଥମ ଥର ପାଇଁ ଧରା ହେଲେ ୧ ହଜାର ଟଙ୍କା ଓ ଦ୍ୱିତୀୟ ବା ପରବର୍ତ୍ତୀ ଭୁଲ ପାଇଁ ପଡ଼ିବ ୨ ହଜାର ଟଙ୍କା।

ବିନା ଲାଇସେନ୍ସବାଲା ସାବଧାନ

ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଇବା ଏକ ଅପରାଧ। କିନ୍ତୁ ଏହା ଜାଣି ମଧ୍ୟ ଅନେକ ଲୋକ ଗାଡ଼ି ଚଳାଉଛନ୍ତି। ଏପରିକି ୧୮ ବର୍ଷ ବୟସରୁ କମ୍ ପୁଅ/ଝିଅମାନେ ମଧ୍ୟ ଗାଡ଼ି ଚଳାଇବା ଦେଖିବାକୁ ମିଳୁଛି। ଏମାନଙ୍କ ପାଇଁ ଅନେକ ସମୟରେ ସଡ଼କ ବିପଦଜନକ ହୋଇପଡ଼ୁଛି।

ଏବେ ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ଚାଳକଙ୍କୁ ପ୍ରତିଥର ଗଣିବାକୁ ହେବ ୫ ହଜାର ଟଙ୍କାର ଜୋରିମନା। ସେହିପରି ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଥିବା ବେଳେ ଗାଡ଼ି ଚଳାଇ ଧରା ହେଲେ ପ୍ରତିଥର ଦେବାକୁ ହେବ ୧୦ ହଜାର ଟଙ୍କା ତଣ୍ଡ।

କିଶୋର ବୟସରେ ଗାଡ଼ି ଚଳାଇଲେ ଧରିବ ପୋଲିସ୍। ଅର୍ଥାତ୍ ୧୮ ବର୍ଷରୁ କମ୍ ବୟସର କେହି ଗାଡ଼ି ଚଳାଉଥିଲେ ଏବେ ଦଣ୍ଡ ପରିମାଣ ୨୫ ହଜାର ଟଙ୍କା। ଏହି ଟଙ୍କା ସମ୍ପୃକ୍ତ ଖିଲାପକାରୀଙ୍କ ଅଭିଭାବକଙ୍କଠାରୁ ଆଦାୟ କରାଯାଇପାରିବ। ତେଣୁ  ବାପା ମା’, ମାମୁ ଏବଂ କକା ଯେଉଁମାନେ ପିଲାଙ୍କ ହାତକୁ ଅନାୟାସରେ ଗାଡ଼ି ଚାବି ବଢ଼ାଇ ଦେଉଛନ୍ତି ଏବେ ସାବଧାନ ହୋଇଯାଆନ୍ତୁ।

ଆମ୍ବୁଲାନ୍ସକୁ ବାଟ  ଛାଡ଼ିଲେ ୧୦ ହଜାର ଫାଇନ୍

ନୂଆ ମୋଟର ଯାନ ଆଇନରେ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ସହିତ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ତା’ ଭିତରେ ଗୋଟିଏ ହେଉଛି ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରୀକାଳୀନ ସେବା। ଏହିସବୁ ଗାଡ଼ିକୁ ବାଟ ନ ଛାଡ଼ିଲେ ବା ଜାଣିଶୁଣି ଏହାର ବାଟ ଅବରୋଧ କଲେ ୧୦ ହଜାର ଟଙ୍କା ଫାଇନ୍ ଲାଗିବ।

ସେହିପରି କୌଣସି ନିଷିଦ୍ଧାଞ୍ଚଳରେ ଅନାବଶ୍ୟକ ଭାବେ ବା ବାରମ୍ବାର ହର୍ଣ୍ଣ ବଜାଇଲେ ଏବେ ଟ୍ରାଫିକ୍ ପୋଲିସ୍ ଚାଲାଣ କାଟିପାରିବ। ପ୍ରଥମଥର ଭୁଲ ପାଇଁ ୧ ହଜାର ଟଙ୍କା ରହିଥିବା ବେଳେ ପରବର୍ତ୍ତୀ ଭୁଲ ପାଇଁ ପ୍ରତିଥର ଗଣିବାକୁ ପଡ଼ିବ ୨ ହଜାର ଟଙ୍କା।

ନୂଆ ମୋଟରଯାନ ଆଇନରେ ବାୟୁ ଓ ଶବ୍ଦ ପ୍ରଦୂଷଣ ଲାଗି ଟାଣୁଆ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଏଥିରେ କୌଣସି ପ୍ରକାର ଖିଲାପି କଲେ ପ୍ରତିଥର ଗଣିବାକୁ ହେବ ୧୦ ହଜାର ଟଙ୍କାର ତଣ୍ଡ। ଏହି ଟ୍ରାଫିକ୍‌ ନିୟମକୁ ସେପ୍ଟେମ୍ବର ୧ରୁ କଡ଼ାକଡ଼ି କରାଯାଇଛି।

ଏବେ ଯଦି ଜଣେ ଚାଳକ ଟ୍ରାଫିକ୍‌ରେ ରେଡ୍ ଲାଇଟ୍ ଡେଇଁ ଯାଆନ୍ତି ତେବେ ତାଙ୍କୁ ୫ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ଏହି ଭୁଲ ଦ୍ୱିତୀୟ ଥର ପାଇଁ ବା ବାରମ୍ବାର କଲେ ପ୍ରତିଥର ୧୦ ହଜାର ଟଙ୍କା ଗଣିବାକୁ ପଡ଼ିବ।

ସେହିପରି ଅଟକିବା ପାଇଁ ଟ୍ରାଫିକ୍ ଦେଉଥିବା ସଙ୍କେତ ନ ମାନିଲେ ସେଇ ଏକା ନିୟମ ପ୍ରଥମ ଭୁଲ ପାଇଁ ୫ହଜାର। ପରବର୍ତ୍ତୀ ନିୟମ ଭୁଲ ପାଇଁ ପ୍ରତିଥର ଗଣିବାକୁ ହେବ ୧୦ ହଜାର ଟଙ୍କାର ଜୋରିମନା।

Comment