ଓଡ଼ିଶାଲାଇଭ୍ ବ୍ୟୁରୋ

  • ଚାନ୍ଦି ମେଢ଼ ସଂଖ୍ୟା ୨୭ ଛୁଇଁଲା
  • ଛତ୍ରବଜାର, ବିଡ଼ାନାସୀ, ଗଙ୍ଗାମନ୍ଦିରରେ ହେବ ଚାନ୍ଦି ମେଢ଼
  • ୭ଟି ମଣ୍ଡପରେ ସୁନା ମୁକୁଟରେ ଝଲସିବେ ମା’

କଟକ : ଏଥର କଟକ ଦଶହରାରେ ଚମକିବ ଆଉ ୩ ଚାନ୍ଦି ମେଢ। ଛତ୍ରବଜାର, ବିଡ଼ାନାସୀ ଏବଂ ଗଙ୍ଗାମନ୍ଦିର ଚାନ୍ଦି ମେଢ ପରମ୍ପରାରେ ସାମିଲ୍ ହେବାକୁ ଯାଉଛନ୍ତି। ଏସବୁ କମିଟି ପକ୍ଷରୁ ଏଥର ପୂଜାମଣ୍ଡପରେ ସଂପୂର୍ଣ୍ଣ ଚାନ୍ଦି ମେଢ ପ୍ରଦର୍ଶନ ପାଇଁ ଜୋରଦାର କାମ ଆଗେଇ ଚାଲିଛି।

କେବେଠୁ ଚାନ୍ଦି ମେଢ଼?

ସୁନା-ଚାନ୍ଦିର ଚମକ୍ ହେଉଛି କଟକ ଦଶହରାର ସ୍ୱତନ୍ତ୍ରତା। ୧୯୫୬ ମସିହାରେ ଚୌଧୁରୀ ବଜାର ପଞ୍ଚାୟତ ପୂଜା କମିଟି ପ୍ରଥମେ ଚାନ୍ଦି ମେଢ ଏବଂ ସିଂହାସନ ପ୍ରସ୍ତୁତ କରି ଇତିହାସ ରଚିଥିଲା। ୧୯୯୧ରେ ଶେଖବଜାର କଟକ ସହରର ଦ୍ୱିତୀୟ ଚାନ୍ଦିମେଢ ତାଲିକାରେ ସାମିଲ ହୋଇଥିଲା।

ପରେ ଖାନନଗର-ଖପୁରିଆ, ଶଙ୍କରପୁର-ବାଦାମବାଡ଼ି, ରାଣୀହାଟ, ହରିପୁର-ଦୋଳମୁଣ୍ଡାଇ, ଚାଉଳିଆଗଞ୍ଜ, ଚାନ୍ଦିନୀଚୌକ, ଖଟବିନ୍ ସାହି, କାଜିବଜାର, ପିଠାପୁର କାଳୀୟ ଦଳନ ପୂଜା କମିଟି, ମାଛୁଆ ବଜାର, ଅଲିଶା ବଜାର, ମଙ୍ଗଳାବାଗ, ତୁଳସୀପୁର, ବୁଢୀ ଠାକୁରାଣୀ, ବାଲୁବଜାର, ଗଣେଶଘାଟ, ବାଖରାବାଦ, ନୟାସଡ଼କ, ଫିରିଙ୍ଗି ବଜାର, ଦରଘା ବଜାର, କାଠଗଡ଼ା ସାହି, ଶିଖରପୁର ଆଦି ପୂଜାମଣ୍ଡପରେ ଚାନ୍ଦି ମେଢ ସହ ପାର୍ଶ୍ୱ ଦେବ ଦେବୀଙ୍କର ଚାନ୍ଦି ଗହଣା ତିଆରି ହୋଇଥିଲା।

ଏଥର ୨୭ଟି ମଣ୍ଡପରେ ଚାନ୍ଦି ମେଢ଼

ଏହି ପରମ୍ପରାକୁ ଆଗେଇ ନେଇ ଚଳିତ ବର୍ଷ ଛତ୍ରବଜାର ପୂଜା କମିଟି ପ୍ରାୟ ଅଢେଇ କୁଇଣ୍ଟାଲ୍ ଓଜନର ଚାନ୍ଦିରେ ମେଢ ତିଆରି କରିଛନ୍ତି। ପଞ୍ଚମୀ ତିଥିରେ ଏହା ଉଦ୍‌ଘାଟନ ହେବ। ସେହିପରି ବିଡ଼ାନାସୀ ପୂଜା କମିଟି ପକ୍ଷରୁ ପ୍ରାୟ ୧ କ୍ୱିଣ୍ଟାଲ ୭୦ କିଲୋ ଓଜନର ସଂପୂର୍ଣ୍ଣ ଚାନ୍ଦି ମେଢ ପ୍ରସ୍ତୁତ କରାଯାଇଛି। ଅବଶ୍ୟ ଏହି ପୂଜା କମିଟି ପକ୍ଷରୁ ଗତବର୍ଷ ମେଢର କିଛି ଚାନ୍ଦି କଲିକା ପ୍ରଦର୍ଶନ କରାଯାଇଥିଲା।

ଏବର୍ଷ ଏହାର ପୂର୍ଣ୍ଣାଙ୍ଗ ରୂପ ମଣ୍ଡପରେ ଦେଖିବାକୁ ମିଳିବ। ସେହିପରି ଗଙ୍ଗାମନ୍ଦିର ପୂଜା କମିଟି ପକ୍ଷରୁ ପ୍ରାୟ ୧ କୁଇଣ୍ଟାଲ ୯୨ କେଜି ଚାନ୍ଦିରେ ମେଢ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଚଳିତବର୍ଷ ଏହି ୩ଟି ନୂଆ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ସହ ଚାନ୍ଦି ମେଢ ଦେଖିବାକୁ ମିଳିବ। ଏଣୁ କଟକ ସହର ଓ ଉପକଣ୍ଠ ଇଲାକାର ପ୍ରାୟ ୧୫୬ ପୂଜା ମଣ୍ଡପ ମଧ୍ୟରୁ ୨୭ଟି ମଣ୍ଡପରେ ଏଥର ଚାନ୍ଦିମେଢ ଝଲସିବ।

ଏସବୁରେ ମୋଟ ପ୍ରାୟ ୧୦୫ କୁଇଣ୍ଟାଲ୍ ଚାନ୍ଦି ବ୍ୟବହାର ହୋଇଛି। ଏହାଛଡ଼ା ସହରର ପ୍ରାୟ ୭ଟି ମଣ୍ଡପରେ ସୁନାମୁକୁଟର ଚମକ ବି ଦେଖିବାକୁ ମିଳିବ। ଏଥିରେ ଏକ କୁଇଣ୍ଟାଲ୍ ସୁନାର ବ୍ୟବହାର କରାଯାଇଛି।

Comment