ଓଡ଼ିଶାଲାଇଭ୍ ବ୍ୟୁରୋ

ସାହି ମୁରବିଙ୍କ ନେତୃତ୍ୱରେ ଆଗକୁ ବଢୁଛି କଟକ ସହରର ଭାଇଚାରା।

(କଟକରୁ ଜୟ ମହାନ୍ତି): ନଦୀ ପଠାରେ କାଶତଣ୍ଡୀ ଦେଖିଲେ ଭାରି ଖୁସି ହୋଇଯାନ୍ତି କଟକିଆ। ଏହି ଖୁସି ପଛର ମୁଖ୍ୟ କାରଣ ହେଉଛି ଏହା ଆଗୁଆ ସୂଚନା ଦେଇଥାଏ ମା’ ଙ୍କ ଆଗମନର। କଟକି ଭାଷାରେ ଦୁର୍ଗାପୂଜା ବା ଦଶହରା ଶଦ୍ଦଟି ଯେତିକି ପରିଚିତି ଲାଭ କରିନାହିଁ ତାଠାରୁ ବେଶ ଅଧିକ ପରିଚିତ ଆଉ ଏକ ଶଦ୍ଦ ତାହା ହେଉଛି ଦଶରା। ତେବେ କଟକ ସହରର ସାହି ମୁରବିମାନଙ୍କୁ ବାଦ ଦେଇ ଏହି ଉତ୍ସବର ପରିକଳ୍ପନା ଅତୀତରେ କେବେ ହୋଇନାହିଁ କିମ୍ବା ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ।

ପିଢ଼ି ପରେ ପିଢ଼ି ବିଭିନ୍ନ ସାହିରେ ଦୁର୍ଗାପୂଜାର ଦାୟିତ୍ୱ ହସ୍ତାନ୍ତର ହୋଇଆସୁଛି ମୁରବିମାନଙ୍କ ଜରିଆରେ। ତେବେ ଦୁର୍ଗାପୂଜା ସମୟରେ କଟକ ସହରର ମୁରବିମାନଙ୍କର କିପରି ରହିଥାଏ ଭୂମିକା? ଦୁର୍ଗାପୂଜାକୁ ବାଦ ଦେଇ ଆଉ କ’ଣ କ’ଣ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାନ୍ତି କଟକ ସହରର ମୁରବିମାନେ? ଆସନ୍ତୁ  ସେ ସଂପର୍କରେ କିଛି ଜାଣିବା ଆମର ଏହି ସ୍ୱତନ୍ତ୍ର ରିପୋର୍ଟରେ।

ମୁରବିଙ୍କ ବିନା କି ପୂଜା?

ଆସୁଛି ଆମ ସାହି ମେଢ଼ ଆସୁଛି… ଆଗରେ ପଛରେ ଟୋକା ଚାଲିଛନ୍ତି… ନାଲିଆ ଗାମୁଛା ଉଡ଼ୁଛି…. ଆମ ସାହି ମେଢ଼ ଆସୁଛି… ବେଶ ଲୋକପ୍ରିୟ ଏହି ଓଡ଼ିଆ ଗୀତଟି। ତେବେ ଅସଲ କଥାଟି ହେଉଛି ସବୁଠାରୁ ଆଗରେ ଯେଉଁମାନେ ଚାଲନ୍ତି…ଯାହାସତରେ ମୁରବିମାନଙ୍କୁ ବାଦ ଦେଇ କଟକ ସହରର ପାର୍ବଣ ଋତୁ ବଢ଼ିପାରେ ନାହିଁ ପାଦଟିଏ ବି ଆଗକୁ।

ଗଣେଶ ପୂଜାଠାରୁ ସହରରେ ପାର୍ବଣର ବିଗୁଲ୍ ବାଜିଯାଏ। ଜାରି ରହେ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ। ନିକଟ ଅତୀତରେ ପ୍ରାୟ ଦେଢ଼ ହଜାର ଗଜାନନଙ୍କର ପ୍ରତିମା ବିସର୍ଜିନ କରିଛନ୍ତି କଟକ ସହରବାସୀ। ଗଣେଶ ପୂଜାରେ ମୁରବିମାନଙ୍କର ସେତେଟା ସକ୍ରିୟ ଭୂମିକା ନଥାଏ କି ପ୍ରତ୍ୟକ୍ଷ ଭାବରେ ଗଣେଶ ପୂଜା ସହିତ ଯୋଡ଼ି ହେବାର ଦେଖିବାକୁ ମିଳେନାହିଁ। ଏହି ପୂଜାରେ ଆଗରେ ରହିଥାନ୍ତି ଯୁବକମାନେ। ତେବେ ମୁରବିମାନେ ଥାନ୍ତି ପଛରେ। ପୂଜା ପରିଚାଳନାଠାରୁ ଆରମ୍ଭ କରି ଶାନ୍ତି ଶୃଙ୍ଖଳା ପର୍ଯ୍ୟନ୍ତ ସବୁ ଦିଗ ଉପରେ ନଜର ରଖିଥାନ୍ତି ମୁରବି ଶ୍ରେଣୀୟ ବ୍ୟକ୍ତି ବିଶେଷ।

କହିବାକୁ ଗଲେ ଗଣେଶ ପୂଜା ପୂର୍ବରୁ କଟକ ସହରର ସାହି ମୁରବିମାନେ ଆରମ୍ଭ କରିଦେଇଥାନ୍ତି ଦୁର୍ଗାପୂଜା ପାଇଁ ପ୍ରସ୍ତୁତି। ସେମାନଙ୍କର ଅଭିଜ୍ଞତା ବେଶ ସାହାଯ୍ୟ କରିଥାଏ ପୂଜା କମିଟିଗୁଡ଼ିକୁ ସେମାନଙ୍କର କାମକୁ ଆଗେଇନେବାରେ। ପୂଜା ଆରମ୍ଭଠାରୁ ନେଇ ଶେଷ ପର୍ଯ୍ୟନ୍ତ କାହାକୁ କେଉଁ କାମ ଦିଆଯିବ ଓ କାହାକୁ କେତେ କାମ ଦିଆଯିବ, ସେ ନିଷ୍ପତ୍ତି ନେଇଥାନ୍ତି ମୁରବିମାନେ। ଯାହାକୁ ଯେଉଁ କାମ ମୁରବି ଦେଇଥାନ୍ତି ତାକୁ ମାନି ନେଇଥାନ୍ତି ଯୁବପିଢ଼ି।

ଗତ ବର୍ଷ କେଉଁ କେଉଁ ତ୍ରୁଟି ରହିଯାଇଥିଲା ଚଳିତ ବର୍ଷ ସେଗୁଡିକୁ କିପରି ସୁଧାରି ହେବ ତା’ ଉପରେ ମଧ୍ୟ ନଜର ଦେଇଥାନ୍ତି ମୁରବିମାନେ। ଯେକୌଣସି ସୁବିଧା ଅସୁବିଧା ବା ବିବାଦ ସାମ୍ନାକୁ ଆସିଲେ ପ୍ରଶାସନ ଓ ପୂଜା କମିଟି ଭିତରେ ଆବଶ୍ୟକୀୟ ସମନ୍ୱୟ ରଖିବାରେ ସହାୟକ ହୋଇଥାନ୍ତି ମୁରବିମାନେ। ଦୁର୍ଗା ପୂଜାଠାରୁ ନେଇ କାଳୀ ପୂଜା, କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ଫୁରସତ ନଥାଏ ମୁରବିମାନଙ୍କୁ। ଥରେ ଘରୁ ବାହାରିଗଲେ ଫେରିବା ସମୟ କହିପାରନ୍ତି ନାହିଁ ପରିବାରବର୍ଗ। ମୁରବିଙ୍କ ପାଟିରୁ ବାହାରୁ ଥିବା କଥା ଟିଏ ସାରା ସାହିର କଥା ବୋଲି ଧରାଯାଏ। ରାଜବାକ୍ୟ ପରି ଏହା ଅକାଟ୍ୟ ଧରାଯାଏ। ମୁରବିଙ୍କ ନିଷ୍ପତ୍ତି ଉପରେ ଅଯଥା ଚର୍ଚ୍ଚା ଆଲୋଚନା ନକରି ଏହାକୁ ମାନି ନିଅନ୍ତି କଟକିଆମାନେ।

ମୁରବି ଥିଲେ ଥାନାକୁ ଯାଏନି ସାହି ବିବାଦ

ସାହି ଭିତରେ କୌଣସି ବିବାଦ ହେଉ ଅବା ସାହି ସାହି ବାହାରେ ବିବାଦ। ମୁରବିଙ୍କ ବିନା ବାହାରି ପାରେନାହିଁ ସମାଧାନର ସୂତ୍ର। ସେ ଭସାଣ ଶୋଭାଯାତ୍ରା ସମୟର କୌଣସି ଗଣ୍ଡୋଗୋଳ ହେଉ ଅବା ସାହି ସାହି ଭିତରେ ଦେଖା ଦେଉଥିବା ସୀମା ବିବାଦ କିମ୍ବା ପାର୍ବଣକୁ ଛାଡ଼ି ଅନ୍ୟ କୌଣସି ସମୟରେ ସୃଷ୍ଟି ହେଉଥିବା ବିବାଦ ହେଉ, ଉଭୟ ପକ୍ଷର ମୁରବିପହଞ୍ଚିଗଲେ ଥଣ୍ଡା ପଡ଼ିଯାଏ ପରିସ୍ଥିତି। ମୁରବିଙ୍କ ହସ୍ତକ୍ଷେପ ପରେ ଥାନା ଦୁଆରକୁ ବିବାଦ ଯାଏନାହିଁ।

୩୬୫ ଦିନ ବ୍ୟସ୍ତ ଥାନ୍ତି ମୁରବିମାନେ

କେବଳ ପୂଜା ପାର୍ବଣ ର ଦାୟିତ୍ୱ ନୁହେଁ, ନିଜ ଅଞ୍ଚଳର ଅନେକ ଗୁରୁ ଦାୟିତ୍ୱ ନ୍ୟସ୍ତ ଥାଏ ସାହି ମୁରବିଙ୍କ ଉପରେ। ରାସ୍ତା ଘାଟ, ପରିମଳଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଯାହା ସମସ୍ୟା ଥାଏ ତାହା ଠିକ ନହେବା ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରିଥାନ୍ତି ସାହିର ଏହି ବରିଷ୍ଠ ନାଗରିକମାନେ।

ସାହିର ଯୁବକମାନଙ୍କୁ ଉତ୍ସାହିତ କରିବା ପଛରେ ବେଶ ଭୂମିକା ରହିଥାଏ ମୁରବିମାନଙ୍କର। ସେମାନେ ପ୍ରେରଣା ଦିଅନ୍ତି ଆଗକୁ ବଢ଼ିବା ପାଇଁ ଏବଂ ବାଟ ଦେଖାନ୍ତି ମଧ୍ୟ। ସାହିରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରଠାରୁ ଆରମ୍ଭ କରି ରକ୍ତଦାନ ଶିବିର ପର୍ଯ୍ୟନ୍ତ ସମସ୍ତ କାମରେ ବର୍ଷ ତମାମ ବ୍ୟସ୍ତ ଥାନ୍ତି ମୁରବିମାନେ। କୌଣସି ଗରିବ ଝିଅର ବାହାଘରଠାରୁ ଆରମ୍ଭ କରି କୌଣସି ଅନାଥ ଶିଶୁର ଲାଳନ ପାଳନ ପର୍ଯ୍ୟନ୍ତ ସମସ୍ତ ବିଷୟ ଉପରେ ନଜର ଥାଏ ସାହି ମୁରବିମାନଙ୍କର। ନିଜର ସାମାଜିକ ମୂଲ୍ୟବୋଧ ଦାୟିତ୍ୱକୁ ନେଇ ବେଶ ସଚେତନ ଥାନ୍ତି ମୁରବିମାନେ।

ଯୁଆଡ଼େ ଯାନ୍ତୁ ଏବଂ ଯେତେ ବ୍ୟକ୍ତିଗତ କାମ ଥାଉ ପଛକେ ବର୍ଷକରେ କୌଣସି ଗୋଟିଏ ଦିନ ବି ଏପରି ବିତି ନଥିବ ଯେଉଁ ଦିନ ଏହି ବରିଷ୍ଠମାନେ ଆସି ପୂଜା ମଣ୍ଡପ ବାରଣ୍ଡାରେ କିଛି ସମୟ ନ କାଟି ନଥିବେ।

ତେବେ ମୁରବିମାନଙ୍କର ଭୂମିକାକୁ ଆଉ କଟକ ସହରରେ ପୂର୍ବ ଭଳି ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ମଧ୍ୟ କେତେକ ଦେଉଛନ୍ତି ମତ। ପଚାଶ ବର୍ଷ ତଳର କଟକ ସହର ତୁଳନାରେ ବର୍ତ୍ତମାନ ପରିସ୍ଥିତିରେ ମୁରବିମାନଙ୍କର ଭାଗୀଦାରି ଆଗ ପରି ନାହିଁ ବୋଲି ମଧ୍ୟ କେତେକ କୁହନ୍ତି। ହେଲେ ଏ କଥାକୁ ଖଣ୍ଡନ କରିଛନ୍ତି ସାହି ମୁରବିମାନେ।

ମଥାରେ ସିନ୍ଦୂର ତିଳକ। ପାଟିରେ ଥିବ ପାନ। ବେକରେ ଗାମୁଛା ସହିତ ଭଳିକି ଭଳିକି ମାଳ ପକାଇ ପାଦ ସହିତ ତାଳ ଦେଇ ଝୁଲି ଝୁଲି ଆଗକୁ ବଢ଼ୁଥିବେ ମୁରବିମାନେ। ଅଧିକ ବୟସ୍କମାନେ ଥକି ପଡ଼ିଲେ ବସି ପଡ଼ନ୍ତି ରିକ୍ସାରେ। ହେଲେ ଚାରି ଆଡ଼କୁ ରହିଥିବ ନଜର। ମା’ଙ୍କୁ ବିଦାୟ ନ ଦେବା ପର୍ଯ୍ୟନ୍ତ ନା ନିଅନ୍ତି ବିଶ୍ରାମ ନା ସେମାନଙ୍କ ଭିତରେ ଦିଶେ ଥକାପଣ?

ଦୁର୍ଗାପୂଜା ଭସାଣ ଶୋଭାଯାତ୍ରାରେ ଦେଖିବାକୁ ମିଳେ ଗୋଟିଏ ଧାଡ଼ିରେ କଟକ ସହରର ସମସ୍ତ ୧୪୦ରୁ ଅଧିକ ପୂଜା କମିଟିର ମୁରବିମାନଙ୍କୁ। କଟକ ସହରର ମୁରବିଙ୍କ ଛତ୍ରଛାୟା ତଳେ ଭାଇଚାରା ଏମିତି ଆଗକୁ ବଢ଼ି ଚାଲିଛି।

Tags: #DurgaPuja #CuttackDashara #Festival #Brotherhood #Cuttack #Odisha

Comment