ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରେ ଜୋରଦାର ଚେକିଂ
  • ଫସିଲେ ଅଟୋ ଡ୍ରାଇଭର
  • ୫୨ ହଜାର ୫୦୦ ଟଙ୍କାର ଜରିମାନା
  • ଚିନ୍ତାରେ ଅଟୋ ଚାଳକ
  • ‘‘ଘରବାଡ଼ି ବିକିଲେ ଏତେ ଟଙ୍କା ଦେଇ ପାରିବନି’’

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଆକ୍ସନ ମୋଡ୍‌ରେ ରହିଛି ଭୁବନେଶ୍ୱର ଆର୍‌ଟିଓ। ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି। ନିୟମ ଅନୁଯାୟୀ ମୋଟା ଅଙ୍କର ଜରିମାନା ବି ଆଦାୟ କରୁଛି।

ଏମିତି ଏକ ଚିତ୍ର ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରେ ଦେଖିବାକୁ ମିଳିଛି। ନୂଆ ଟ୍ରାଫିକ ନିୟମରେ ଆଜି ଜଣେ ଅଟୋ ଡ୍ରାଇଭର ଫସିଛନ୍ତି। ଅଟୋ ଡ୍ରାଇଭରଙ୍କଠାରୁ ଆର୍‌ଟିଓ ପୋଲିସ ସହାୟତାରେ ୫୨ ହଜାର ୫୦୦ ଟଙ୍କା ଜରିମାନା କଷିଛି।

ଅଟୋ ଚାଳକ ହେଲେ ହରିବନ୍ଧୁ କହଁର। ତାଙ୍କ ଘର ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ। ଅଟୋ ନମ୍ବର 0R02AQ 2243 କୁ ହରିବନ୍ଧୁ ଭୁବନେଶ୍ୱରରେ ଚଳାଉଥିଲେ। ଏହି ଅଟୋର ପ୍ରକୃତ ମାଲିକ ହେଉଛନ୍ତି ଖଣ୍ଡୁରୀ ଖଟୁଆ। ଖଣ୍ଡୁରୀଙ୍କ ଘର ନୟାଗଡ଼ ଜିଲ୍ଲାରେ।

ଆଚାର୍ଯ୍ୟ ବିହାର ଛକରେ ଆର୍‌ଟିଓ ଚେକିଂ କରୁଥିବା ବେଳେ ହରିବନ୍ଧୁ ଚଳାଉଥିବା ଅଟୋ ହାବୁଡ଼ରେ ପଡ଼ିଥିଲା। ଡ୍ରାଇଭର ହରିବନ୍ଧୁଙ୍କୁ ଅଟୋର ସମସ୍ତ କାଗଜପତ୍ର ସମେତ ଡ୍ରାଇଭିଙ୍ଗ ଲାଇସେନ୍ସ ମାଗିଥିଲେ। ହେଲେ ଅଟୋରେ ତାହା ନଥିଲା।

ଅଟୋ ଚଳାଉଥିବା ବେଳେ ହରିବନ୍ଧୁ ନିଶା ସେବନ କରିଥିବାରୁ ଜରିମାନା ଆହୁରି ବଢ଼ାଇ ଦେଇଥିଲେ ପୋଲିସ ବାବୁ। ୫୨ ହଜାର ୫୦୦ ଟଙ୍କା ଜରିମାନା ପାଇଁ ନୋଟିସ୍‌ କରିଥିଲେ।

ମଦ ପିଇ ଗାଡ଼ି ଚଳାଉଥିବାରୁ ୧୦ ହଜାର ଟଙ୍କା, ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫ ହଜାର, ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ୧୦ ହଜାର, ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଳାଉଥିବାରୁ ୫ ହଜାର, ଅଟୋର ପରମିଟ୍‌ ନଥିବାରୁ ୧୦ ହଜାର, ଇନସ୍ୟୁରାନ୍ସ ନଥିବାରୁ ୨ ହଜାର, ଅଟୋ ଚଳାକଙ୍କ ନାଁ ପଞ୍ଜିକୃତ ହୋଇ ନଥିବାରୁ ୫ ହଜାର, ସାଧାରଣ ନିୟମ ଉଲ୍ଲଂଘନ କରିଥିବାରୁ ୫୦୦ ଟଙ୍କା ଗଣିଥିଲେ ଅଟୋ ଡ୍ରାଇଭର ହରିବନ୍ଧୁ।  ଟ୍ରାଫିକ ନିୟମ ଉଲ୍ଲଂଘନ ବାବଦରେ ପୋଲିସ ଆଉ ୫ ହଜାର ଟଙ୍କା ଆଦାୟ କରିଛି। ମୋଟ ୫୨ ହଜାର ୫୦୦ ଟଙ୍କା କଷିଦେଇଛି ଆର୍‌ଟିଓ।

ଆର୍‌ଟିଓ ମୋଟା ଅଙ୍କ ଜରିମାନା କରିବା ପରେ ଅଟୋ ଚାଳକ ହରିବନ୍ଧୁ କହଁର ଚିନ୍ତାରେ ପଡ଼ିଛନ୍ତି। ଏତେ ଗୁଡ଼ାଏ ଟଙ୍କା କେଉଁଠୁ ଆଣିବେ ବୋଲି କହିଛନ୍ତି। ପୋଲିସ ଅଟୋ ନେଇଯାଉ ଏବଂ ମତେ ଗିରଫ କରି ଜେଲ୍‌ ପଠାଇ ଦିଅନ୍ତୁ ପଛେ ୫୨ ହଜାର ଟଙ୍କା ଦେଇପାରିବି ନାହିଁ ବୋଲି କହିଛନ୍ତି ହରିବନ୍ଧୁ।

ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ ନିୟମ କଡ଼ାକଡ଼ି ଲାଗୁ କରାଯାଇଛି। ଗତକାଲି ଉତ୍ତରପ୍ରଦେଶରେ ଜଣେ ସ୍କୁଟି ଚାଳକଙ୍କଠାରୁ ଟ୍ରାଫିକ ପୋଲିସ ୨୩ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। ଆଜି ଭୁବନେଶ୍ୱରରେ ଅଟୋ ଚାଳକଙ୍କୁ ୫୨ ହଜାର ଜରିମାନା ହୋଇଛି।

Comment