ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ମଠ ଉଚ୍ଛେଦରେ ସରକାରଙ୍କୁ ବିଜୟ ମାରିଲେ ବାଣ।

ପୁରୀରେ ଚାଲିଥିବା ମଠ ଉଚ୍ଛେଦକୁ ବିରୋଧ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଶଙ୍କରାଚାର୍ଯ୍ୟଙ୍କ ପରେ ବିଜୟ ମୁହଁ ଖୋଲି ସରକାରଙ୍କ ଉପରେ ବର୍ଷିଛନ୍ତି। ଏହାସହ ବି ପି ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ବିଜୟ।

ବିଜୟ କହିଛନ୍ତି, ‘‘ ବି ପି ଦାସ କମିଶନ ଚୂଡ଼ାନ୍ତ ରିପୋର୍ଟ ଦେଇ ନାହାନ୍ତି। ସେ ଅନ୍ତରୀଣ ରିପୋର୍ଟ ଦେଇଥିଲେ। ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ କରିଦେଲେ ସରକାର। ଏହି ଅନ୍ତରୀଣ ରିପୋର୍ଟରେ ସେ କ’ଣ ସୁପାରିଶ କରିଥିଲେ ତାହା କେହି ଜାଣିପାରିଲେ ନାହିଁ। ବିଧାନସଭାରେ ମଧ୍ୟ ଏହି ରିପୋର୍ଟ ଉପସ୍ଥାପନ କରାଯାଇ ନାହିଁ। ବି ପି ଦାସ କମିଶନଙ୍କ ରିପୋର୍ଟ ଆଧାରରେ ଯଦି ସରକାର ପୁରୀରେ ଉଚ୍ଛେଦ କରୁଥାନ୍ତି ତାହାଲେ ସେଇଟା ବେଆଇନ୍’’, କହିଛନ୍ତି ବିଜୟ ମହାପାତ୍ର।

ପୋଲିସ ଫୋର୍ସ ଏବଂ ବୁଲ୍‌ ଡୋଜର ଲଗାଇ ସରକାର ମଠ ଉଚ୍ଛେଦ କରୁଛନ୍ତି। ଏହା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କଲା ଭଳି ମନେହେଉଛି। ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ କରି ସରକାର କ’ଣ କରିବେ ସ୍ପଷ୍ଟ କରନ୍ତୁ ବୋଲି ବିଜୟ ଦାବି କରିଛନ୍ତି।

ବିଜୟ ଆହୁରି କହିଥିଲେ ଯେ ନବକଳେବର ବେଳେ ସରକାର ୫୦୦ କୋଟି ଖର୍ଚ୍ଚ କରିଥିଲେ। ଯଦି ପ୍ରକୃତରେ ୫୦୦ କୋଟି ଖର୍ଚ୍ଚ ହୋଇଥାନ୍ତା ତାହାଲେ ବଡ଼ଦାଣ୍ଡ ଭାସୁ ନଥାନ୍ତା।

ପୁରୀରେ ଶ୍ରୀମନ୍ଦିର ଚାରିପଟୁ ରାଜ୍ୟ ସରକାର ୭୫ ମିଟର ଉଚ୍ଛେଦ କରୁଛନ୍ତି। ବିଭିନ୍ନ ମଠ ଉଚ୍ଛେଦ କରାଯାଉଛି। ଲଙ୍ଗୁଳି, ମଙ୍ଗୁ ମଠ ଉଚ୍ଛେଦ କରିବା ପରେ ପ୍ରଶାସନ ବୁଲ୍‌ଡୋଜର ମାଡ଼ରେ ରଘୁନନ୍ଦନ ପାଠାଗାର ଧୂଳିସାତ୍‌ କରିଥିଲା। ହେଲେ ଏମାର ମଠ ମହନ୍ତ ଗାଦି ନଛାଡ଼ିବାରୁ ପ୍ରଶାସନ ଏମାର ମଠରୁ ନଜର ହଟାଇ ବଡ଼ ଆଖଡ଼ା ମଠ ଉଚ୍ଛେଦ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ହେଲେ ମଠ ମହନ୍ତ ଏବଂ ସହଯୋଗୀ ଜୋରଦାର ବିରୋଧ କରିବାରୁ ପ୍ରଶାସନ ପାଦେ ହଟିଛି। ଉଚ୍ଛେଦ କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖିଛି।

Comment