ଓଡ଼ିଶାଲାଇଭ୍ ବ୍ୟୁରୋ

ଦୋକାନୀ, ଖୁଚୁରା ବ୍ୟବସାୟୀ ଓ ସ୍ୱରୋଜଗାର ବ୍ୟକ୍ତିମାନଙ୍କ ପାଇଁ ଜାତୀୟ ପେନସନ୍ ଯୋଜନାର ଶୁଭରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ବର୍ଷକୁ ୧.୫କୋଟି ଟଙ୍କାରୁ କମ ବ୍ୟବସାୟ କରୁଥିବା ବ୍ୟକ୍ତି ମାନେ ଏହି ଯୋଜନା ଅନୁସାରେ ପେନ୍‌ସନ ପାଇବେ।

ଗୁରୁବାର ପ୍ରଧାନମନ୍ତ୍ରୀ ରାଞ୍ଚିଠାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ହେବା ଫଳରେ ଦେଶରେ ଥିବା ୩.୫ ଲକ୍ଷ ଯୋଗ୍ୟ ହିତାଧିକାରୀମାନେ ସାଧାରଣ ସେବା କେନ୍ଦ୍ର ଯାଇ ପଞ୍ଜୀକୃତ କରିପାରିବେ। ଏହାସହ www.maandhan.in  କିମ୍ବା vyapari ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରିପାରିବେ। ୱେବସାଇଟରେ ଏହି ପଞ୍ଜୀକରଣ ପାଇଁ ଆବେଦନକାରୀଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବନି।

ପଞ୍ଜୀକରଣ ପାଇଁ ବ୍ୟବସାୟୀଙ୍କର ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ/ଜନ ଧନ ଆକାଉଣ୍ଟ ପାସବୁକର ଆବଶ୍ୟକ। ଏଥିସହ ହିତାଧିକାରୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ହିତାଧିକାରୀ ୬୦ବର୍ଷରେ ପହଞ୍ଚିବାପରେ ତାଙ୍କୁ ଅତିକମରେ ୩ ହଜାର ଟଙ୍କାର ପେନସନ ମିଳିବ।

ଅନ୍ୟପକ୍ଷରେ ୪୦ଲକ୍ଷରୁ ଅଧିକ ଟଙ୍କା କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ଜିଏସ୍‌ଟିଆଇଏନ୍‌ ନମ୍ବର ଆବଶ୍ୟକ ପଡ଼ିବ।

ଏଥିସହ ହିତାଧିକାରୀ ଜଣେ ଆୟକର ଦାତା ହୋଇନଥିବେ ଓ ତାଙ୍କର ଇପିଏଫ୍, ଇଏସଆଇସି, ଏନପିସି (ସରକାରୀ), ପିଏମ-ଏସୱାଇଏମର ସଦସ୍ୟ ହୋଇନଥିବେ। କେନ୍ଦ୍ର ସରକାର ମାସିକ ଯୋଗଦାନ ରାଶିର ୫୦ ପ୍ରତିଶତ ପ୍ରଦାନ କରିବେ ଓ ବାକି ୫୦ ପ୍ରତିଶତ ହିତାଧିକାରୀ ପ୍ରଦାନ କରିବେ।

ସରକାର ୨୦୧୯-୨୦ ସୁଦ୍ଧା ଏହି ଯୋଜନାରେ ୨୫ ଲକ୍ଷ ଏବଂ ୨୦୨୩-୨୪ରେ ଦୁଇ କୋଟି ହିତାଧିକାରୀଙ୍କୁ ପଞ୍ଜୀକୃତ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି ପେନସନ ଯୋଜନାରେ ଦେଶର ପ୍ରାୟ ୩ କୋଟି ବ୍ୟବସାୟୀ ଲାଭ ପାଇପାରିବେ।

Comment