ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମସ୍ତଙ୍କ ଜୀବନରେ ସଂଘର୍ଷ ଆସେ। ଅସୁବିଧା ଆସେ। ସେହି ସମୟରେ ଅନେକ ଭାଙ୍ଗି ପଡ଼ନ୍ତି। ହତାଶରେ ବୁଡ଼ି ଯାଆନ୍ତି। ଭାବନ୍ତି ଆମ ଦ୍ୱାରା କିଛି ହୋଇପାରିବନି। ଭଗବାନଙ୍କୁ ଦୋଷ ଦିଅନ୍ତି, କାହିଁକି ଭଗବାନ ତାଙ୍କୁ ଏତେ କଷ୍ଟ ଦେଉଛନ୍ତି। ସେହିମାନଙ୍କ ଉଦ୍ଦେଶ୍ୟରେ ଅଭିନେତା, ନେତା ତଥା ‘ମୋ କଲେଜ’ ଅଧ୍ୟକ୍ଷ ଅକାଶ ଦାସ ନାୟକ ଆକାଶ ଇନସ୍ପାୟର୍ସରେ ମା’ ଜିରାଫ ଓ ତା’ ଛୁଆର କାହାଣୀ କହି ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି।

ସୁପରହିଟ୍‌ ଫିଲ୍ମ ‘ଆଲୋ ମୋର କଣ୍ଢେଇ’ରେ ଆକାଶ

‘‘ଜିରାଫ ଯେତେବେଳେ ତା’ ଛୁଆକୁ ଜନ୍ମ ଦିଏ ସେତେବେଳେ ଛୁଆ ଜିରାଫ୍‌ଟି ଦୁମ୍‌ କରି ମାଟିରେ ପଡ଼େ। କାରଣ ମା’ ଜିରାଫର ଉଚ୍ଚତା ବେଶୀ ଥାଏ। ଜନ୍ମ ହେଉ ହେଉ ମା’ ଜିରାଫ୍‌ ତା’ ଛୁଆକୁ ଗୋଇଠା ମାରିଥାଏ। ଛୁଆ ଜିରାଫ ଗୋଇଠା ଖାଇ ଛିଟ୍‌କିକି ଆଉ ଗୋଟିଏ ଜାଗାରେ ପଡ଼େ। ଜନ୍ମ ହେଉ ହେଉ ମା’ଠୁ ଏମିତି ମାଡ଼ ଖାଇଲା ପରେ ସେ ଭାବି ପାରେନି କାହିଁକି ସେ ଏହି ଝଟକା ଖାଇଲା। ସେତିକି ଭାବୁ ଭାବୁ ମା’ ଜୀରାଫ୍‌ ପୁଣି ଗୋଟିଏ ଗୋଇଠା ମାରେ। ତା’ ପରେ ଛୁଆ ଜିରାଫ୍‌ ଭାବେ ମତେ କିଛି ନା କିଛି କରିବାକୁ ପଡ଼ିବ। ଯଦି ମୁଁ କିଛି ନକରିବି ତାହେଲେ ଏମିତି ମାଡ଼ ଖାଉଥିବି। ତା ପରେ ଛୁଆ ଜିରାଫ୍‌ ଛିଡ଼ା ହେବାକୁ ଚେଷ୍ଟା କରେ। ଏତିକି ବେଳେ ମା’ ଜିରାଫ୍‌ ପୁଣି ତାକୁ ଆଉ ଗୋଟିଏ ଜୋରଦାର୍‌ ଗୋଇଠା ମାରେ। ତା’ ପରେ ଛୁଆ ଜିରାଫ୍‌ଟି ଦୌଡ଼ିବାକୁ ଆରମ୍ଭ କରେ’’, କହିଛନ୍ତି ଆକାଶ।

‘ସତ୍ୟମେବ ଜୟତେ’ ଫିଲ୍ମରେ ଆକାଶ

ତେବେ ମା’ ଜିରାଫ୍‌ କାହିଁକି ନିଜ ଛୁଆକୁ ଏମିତି ମାରିଥାଏ? ଏହାର କାରଣ ହେଲା ମା’କୁ ଜଣାଥାଏ ତାକୁ ଖାଦ୍ୟ ଅନ୍ୱେଷଣରେ ବାହାରକୁ ଯିବାର ଅଛି। ଯଦି ଛୁଆ ଜିରାଫ୍‌ ନିଜ ଗୋଡ଼ରେ ଛିଡ଼ା ହେବା ନଶିଖିବ, ଚାଲିବା ନ ଶିଖିବ, ଦୌଡ଼ିବା ନଶିଖିବ ତାହେଲେ ଜଙ୍ଗଲରେ ଥିବା ହିଂସ୍ର ପ୍ରାଣୀମାନେ ତାକୁ ଖାଇଦେବେ। ସେଥିପାଇଁ ସେ ତାକୁ ଗୋଇଠା ମାରି ମାରି ଛିଡ଼ା ହେବା ଶିଖାଏ।

ଆକାଶଙ୍କର ଏ କଥା କହିବାର କାରଣ, ଯେତେବେଳେ ଜୀବନରେ ଦୁଃଖ ଆସେ, ଯନ୍ତ୍ରଣା ଆସେ, ଚାଲେଞ୍ଜେସ୍‌ ଆସେ, ତାହା ଆମକୁ ଅଧିକ ଦୃଢ଼ କରେ। ସେହି ସମସ୍ୟାରୁ ବାହାରି ଆଗକୁ ଯିବା ପାଇଁ ବାଟ ଦେଖାଏ।

‘ଜଷ୍ଟ ମହବତ୍’ ଫିଲ୍ମରେ ଆକାଶ

‘‘ପଡ଼ିଯିବା ମାନେ ନୁହେଁ ହାରିଯିବା। ଯିଏ ପଡ଼ିକି ଉଠେ ଓ ଉଠିକି ଦୌଡ଼େ ସିଏ ହିଁ  ପ୍ରକୃତ ମଣିଷ’’, କହିଛନ୍ତି ଆକାଶ।

ନିକଟରେ ନେତା ଓ ଅଭିନେତାର ଭୂମିକା ସହିତ ଆକାଶ ନିଜକୁ ସମାଜସେବା କ୍ଷେତ୍ରରେ ଯୋଡ଼ିଛନ୍ତି। ଯୁବପିଢ଼ିଙ୍କ ସହ ଡିଜିଟାଲି ସିଧାସଳଖ ଯୋଡ଼ି ହେବା ପାଇଁ ଆକାଶ ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଛନ୍ତି, ଯାହାର ନାଁ ରହିଛି ‘ଆକାଶ ଇନସ୍ପାୟର୍ସ’। ଏହା ମାଧ୍ୟମରେ ସେ ଯବୁପିଢ଼ିଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ତଥା ବିଭିନ୍ନ ସମସ୍ୟାକୁ ସେମାନେ କେମିତି ସାମ୍ନା କରିବେ ସେନେଇ ଟିପ୍ସ ଦେଉଛନ୍ତି।

Comment