ଓଡ଼ିଶାଲାଇଭ ବ୍ୟୁରୋ

ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ କିନ୍ନର ରାଣୀ। ଦେଶର ପ୍ରଥମ ଡ୍ରାଇଭର ଭାବେ ତାଙ୍କୁ ୫ ଷ୍ଟାର ରେଟିଂ ମିଳିଛି। କିନ୍ନରମାନଙ୍କ ପ୍ରତି ସମାଜର ଆକ୍ଷେପକୁ ସେ ଖାତି ନକରି ନିଜ ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଦକ୍ଷ ଗାଡ଼ି ଚାଳନା, ଉତ୍ତମ ବ୍ୟବହାର ଯୋଗୁଁ ତାଙ୍କୁ ଉବର କମ୍ପାନି ତରଫରୁ ସର୍ବଶ୍ରେଷ୍ଠ ଡ୍ରାଇଭର ଭାବେ ୫ ଷ୍ଟାର ରେଟିଂ ମିଳିଛି।

ଭୁବନେଶ୍ଵର ଖଣ୍ଡଗିରି ଛକ କଳିଙ୍ଗ ଷ୍ଟୁଡିଓ ପାଖରେ ରାଣୀଙ୍କ ଘର। ରାଣୀ ମା ଭାବେ ସେ ବେଶ ପରିଚିତ। ଦୁଇ ବର୍ଷ ହେବ ଉବେର ଗାଡ଼ି ଚଳାଇ ଲୋକଙ୍କୁ ଗନ୍ତବ୍ୟ ପଥରେ ପହଞ୍ଚାଇ ଥା’ନ୍ତି। ରାତି ହେଉ ବା ଦିନ ମୋବାଇଲ ଆପରେ ବୁକିଂ ଆସିବା ମାତ୍ରେ ଲୋକଙ୍କ ପାଖରେ ପହଞ୍ଚିଥାନ୍ତି ରାଣୀ।

ଏନେଇ ରାଣୀ କହନ୍ତି, “ସୁରକ୍ଷିତ ଯାତ୍ରା ମୋର ପ୍ରଥମ ଲକ୍ଷ୍ୟ। ସମାଜ ଆମକୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ ମଧ୍ୟ ଏଥିପ୍ରତି ମୁଁ କେବେ ନିଜକୁ ଦୁର୍ବଳ ଭାବି ନାହିଁ। ଏହି କାମରେ ମୁଁ ଆତ୍ମନିର୍ଭରଶୀଳ ହେବା ସହ ଭଲ ରୋଜଗାର ମଧ୍ୟ କରୁଛି। କିଛି ଲୋକ ଖୁସି ହୋଇ ଭଡ଼ାଠାରୁ ଅଧିକା ଟଙ୍କା ମଧ୍ୟ ଦେଇଥାନ୍ତି।”

୨୦୧୭ରେ ପୁରୀ ବଡ଼ଦାଣ୍ଡରେ ଆମ୍ଵୁଲାନ୍ସ ଚଲାଇ ଅସୁସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରି ବେଶ ପ୍ରଶଂସା ସାଉଁଟି ଥିଲେ ରାଣୀ। ବର୍ତ୍ତମାନ ରାଣୀଙ୍କ ଏଭଳି ଦକ୍ଷତା ବେଶ ଚର୍ଚ୍ଚାର ବିଷୟ ହୋଇଛି।

Comment