ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ତିଗିରିଆ ବ୍ଲକ୍ ନିଜିଗଡ ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘୁଣୀର ମୃତଦେହ ଉଦ୍ଧାର କରାଯାଇଛି। ବାଘୁଣୀର ବୟସ ପ୍ରାୟ ୧୦ ବର୍ଷ। ଲମ୍ୱ ପ୍ରାୟ ୪ ଫୁଟ ଏବଂ ଓଜନ ୫୦ କେଜି ହେବ ବୋଲି କୁହାଯାଉଛି। ଶ୍ୱାସକ୍ରୀୟାରେ ତ୍ରୁଟି କିମ୍ବା ଖାଦ୍ୟ ଅଭାବରୁ ବାଘୁଣୀର ମୃତ୍ୟୁ ହୋଇଥିବା ବନବିଭାଗ ତରଫରୁ କୁହାଯାଇଛି।

କେହି ଶିକାରୀ ବିଦ୍ୟୁତ ଆଘାତ ଦେଇ କିମ୍ୱା ବାରାହା ଜାଲ ବସାଇ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବାଘୁଣୀର ମୃତଦେହକୁ ବନ ବିଭାଗ କାର୍ଯ୍ୟାଳୟରେ ଫୋପାଡ଼ି ଦିଆଯାଇଥିବା ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଛି।

ଗତ ୧୫ ତାରିଖ ଶୁକ୍ରବାର ଭୋରୁ ତିଗିରିଆ ସରଂକ୍ଷିତ ଜଙ୍ଗଲର ହରିଡାପଶି ନିକଟସ୍ଥ ବନଖଣ୍ଡରେ ଏକ କଲରାପତରିଆ ବାଘୁଣୀର ମୃତ ଦେହ ପଡିଥିଲା। ଖବରପାଇ ତିଗିରିଆ ବନପାଳ ସୁଚରିତା ସାମନ୍ତରାୟ ତଥା କର୍ମଚାରୀମାନେ ବାଘୁଣୀର ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ ବନବିଭାଗ କାର୍ଯ୍ୟାଳୟରେ ରଖି ଏ ସଂକ୍ରାନ୍ତରେ ଆଜି ଆଠଗଡ ବନବିଭାଗ ଏବଂ ଅନୁଗୁଳ ୱାଇଲ୍ଡ ଲାଇଫ୍ ସଂସ୍ଥାକୁ ସୂଚନା ଦେଇଥିଲେ।

ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କ ସମେତ ସାତକୋଶିଆ ବନ୍ୟଜନ୍ତୁ ବିଶେଷଜ୍ଞ ଡକ୍ଟର କିଶୋର ଚନ୍ଦ୍ର ସାହୁ, ପ୍ରକାକୃତିକ ପରିବେଶ ଓ ବନ୍ୟପ୍ରାଣୀ ସମାଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ପ୍ରସନ୍ନ କୁମାର ବେହେରା, ସହକାରୀ ବନ୍ୟ ସଂରକ୍ଷକ ରାଜେନ୍ଦ୍ର କୁମାର ଦାସ, କଟକ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ତିଗିରିଆ ବନବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତିଗିରିଆ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଧର୍ମାନନ୍ଦ ମହାନ୍ତିଙ୍କ ବାଘୁଣୀର ମୃତଦହ ବ୍ୟବଚ୍ଛେଦ କରାଯାଇଥିଲା।

ତେବେ ଏ ସବୁ ଘଟଣା ଭିତରେ ବନବିଭାଗ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଦୁଇ ଦିନ ବାଘୁଣୀର ମୃତଦେହକୁ ଲୁଚାଇ ରଖିବା ପରେ କାହିଁକି  ତରବରିଆ ଭାବେ ପୋଡ଼ି ଦିଆଗଲା ବୋଲି ଲୋକେ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ସାମାନ୍ୟ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ଅନ୍ୟପକ୍ଷରେ ଆଠଗଡ ଡିଏଫ୍ଓଙ୍କ ତରଫରୁ ସନ୍ଧ୍ୟାରେ ବାଘୁଣୀର ପୋଷ୍ଟମର୍ଟମ୍ ରିପୋର୍ଟ ପ୍ରକାଶ ପାଇଛି।

ଏଥିରେ ଦର୍ଶାଯାଇଛି ଯେ ବାଘୁଣୀର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ଏପରିକି ତା’ର ଶରୀରର ଭିତର ଅଙ୍ଗରେ ମଧ୍ୟ କିଛି କ୍ଷତି ହୋଇନାହିଁ। ଏହି ଅଞ୍ଚଳରେ ବାଘ ଦେଖିବାକୁ ମିଳନ୍ତିନାହିଁ।  ବାଘୁଣୀର ପେଟରେ ଖାଦ୍ୟ ନଥିଲା। ତେଣୁ ଖାଦ୍ୟ ଅନ୍ୱେଷଣରେ ବାଘୁଣୀଟି ଏଠାକୁ ଆସିଯାଇଥିବା ଅନୁମାନ କରାଯାଉଛି ବୋଲି ରିପୋର୍ଟରୁ ସୂଚନା ମିଳିଛି।

Comment