ସରଳ କୁମାର ଦାସ

ତୃଣମୂଳ କଂଗ୍ରେସ ଦଳର ନବ ନିର୍ବାଚିତ ସାଂସଦ ମହୁଆ ମୈତ୍ର ସଂସଦରେ ତାଙ୍କର ପ୍ରଥମ ଭାଷଣ ପାଇଁ ବେଶ ପ୍ରଶଂସିତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକଦା ନିଉୟର୍କ ଓ ଲଣ୍ଡନଠାରେ ଉଚ୍ଚ ପଦବୀରେ ଅଧିଷ୍ଠିତ ଏହି ପ୍ରାକ୍ତନ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ତାଙ୍କ ଦଶ ମିନିଟର ଓଜସ୍ୱିନୀ ଭାଷଣରେ ପ୍ରଖ୍ୟାତ ହିନ୍ଦୀ କବି ଦିନକରଙ୍କୁ ଉଦ୍ଧାର କରି କହିଥିଲେ ଯେ ଅସହମତି ହେଉଛି ଏହି ଦେଶର ରାଷ୍ଟ୍ରୀୟ ଚରିତ୍ର ଓ କେହି ଏହାକୁ ବଦଳାଇ ପାରିବେ ନାହିଁ । ସରକାର ଫାସିବାଦ ଆଡକୁ ଅଗ୍ରସର ହେଉଛନ୍ତି ବୋଲି ସତର୍କ ବାଣୀ ଶୁଣାଇ ସେ ଯେଉଁ ସାତୋଟି ବିନ୍ଦୁ ଉପରେ ଆକ୍ରମଣ କରିଥିଲେ ସେଗୁଡିକ ହୋଲୋକଷ୍ଟ ମ୍ୟୁଜିୟମରେ ସ୍ଥାନିତ ଏକ ପୋଷ୍ଟରରେ ଉଲ୍ଲିଖିତ ଫାସିବାଦ ପୂର୍ବ ସୂଚନାର ଅଂଶ ବିଶେଷ ବୋଲି ସେ ଉଲ୍ଲେଖ କରିଥିଲେ।

ୟୁରୋପରେ ନାଜୀ ଗଣସଂହାରରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଆମେରିକାରେ ସ୍ଥାପିତ ହୋଲୋକଷ୍ଟ ମେମୋରିଆଲ ମ୍ୟୁଜିୟମର ଏକ ଉପହାର ଦୋକାନରେ ୨୦୧୭ ମସିହା ଜାନୁଆରୀ ମାସରେ ଏକ ପୋଷ୍ଟର ବିକ୍ରି ପାଇଁ ସ୍ଥାନିତ ହୋଇଥିବା ଲକ୍ଷ୍ୟ କରାଗଲା, ଯେଉଁଥିରେ ଫାସିବାଦର ଚଉଦଟି ଲକ୍ଷଣର ସତର୍କ ସୂଚନା ଉଲ୍ଲିଖିତ ଥିଲା । ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାସନରେ ଫାସିବାଦୀ ଲକ୍ଷଣ ଦେଖୁଥିବା କିଛି ଲୋକ ଏହି ପୋଷ୍ଟରର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିବାକୁ ଲାଗିଲେ । ତେବେ ଏହି ତାଲିକାରେ ଥିବା ଲକ୍ଷଣଗୁଡ଼ିକ ସର୍ବ ପ୍ରଥମେ ୨୦୦୩ ମସିହାରେ ଲରେନ୍ସ ବ୍ରିଟଙ୍କ ଲିଖିତ ଏକ ଆଲେଖ୍ୟରେ ସ୍ଥାନ ପାଇଥିଲା, ଯାହା ତତ୍‌କାଳୀନ ଜର୍ଜ ବୁଶ ପ୍ରଶାସନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଏ। ବିଂଶ ଶତାବ୍ଦୀର ବିଶ୍ୱର ସାତ ଜଣ ପ୍ରମୁଖ ଫାସିବାଦୀ ଶାସକ ଯଥା, ନାଜୀ ଜର୍ମାନୀର ହିଟଲର, ଇଟାଲିର ମୁସୋଲିନି, ସ୍ପେନର ଫ୍ରାଙ୍କୋ, ପର୍ତୁଗାଲର ସାଲାଜାର, ଗ୍ରୀସର ପାପାଦାପୋଲସ, ଚିଲିର ପିନୋଚେଟ ଓ ଇଣ୍ଡୋନେସିଆର ସୁହାର୍ତୋଙ୍କ ଶାସନକୁ ଗଭୀର ଅଧ୍ୟୟନ କଲା ପରେ ସେ ଏହି ତାଲିକାଟିକୁ ପ୍ରସ୍ତୁତ କରିଥିଲେ। କୌଣସି ଦେଶର ଶାସନରେ ଏହି ଲକ୍ଷଣଗୁଡିକର ଝଲକ ଦେଖିବାକୁ ମିଳିଲେ ସେହି ଦେଶ ଫାସିବାଦୀ ଶାସନ ଆଡକୁ ମୁହାଁଉଛି ବୋଲି ବୁଝିବାକୁ ହେବ।

ଯେଉଁ ଦେଶରେ ଏକ ଶକ୍ତିଶାଳୀ ଓ ନିରବଚ୍ଛିନ୍ନ ଜାତୀୟତାବାଦ ବିକଶିତ ହୁଏ ତାହା ଫାସିବାଦ ଆଡକୁ ଅଗ୍ରସର ହେବାର ପ୍ରଥମ ଲକ୍ଷଣ । ଫାସିବାଦୀ ସରକାରଙ୍କ ଦ୍ୱାରା ଜାତୀୟ ଲକ୍ଷ୍ୟ, ଜାତୀୟ ଚିହ୍ନ, ଜାତୀୟ ସଂଗୀତ ଆଦିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଏ ଓ ଏହା କରୁ ନଥିବା ଲୋକଙ୍କ ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଯାଇଥାଏ । ଜାତୀୟ ପତାକା ସର୍ବତ୍ର ଦେଖିବାକୁ ମିଳେ, ଏପରିକି ପୋଷାକପତ୍ରରେ ପତାକାର ଚିହ୍ନ ବହୁଳ ଭାବେ ବ୍ୟବହାର ହେବା ଆରମ୍ଭ ହୋଇଯାଏ । ଜାତୀୟତାବାଦ (ନେସନାଲିଜମ) ଦେଶପ୍ରେମ (ପେଟ୍ରିଅଟିଜମ)ର ସ୍ଥାନ ନିଏ । ଦେଶକୁ ଭଲ ପାଉଥିବା ଲୋକଟି ନିକଟରେ ଦେଶପ୍ରେମ ଭରି ରହିଥିବା ବେଳେ ଜଣେ ଉଗ୍ର ଜାତୀୟତାବାଦୀ ନିକଟରେ ଅନ୍ଧ ଦେଶାନୁରକ୍ତି ଥାଏ, ଯାହା ବିଶ୍ୱପ୍ରୀତିର ପରିପନ୍ଥୀ ହୋଇପଡେ। କ୍ରମଶଃ ଜାତୀୟତାବାଦକୁ ନେଇ ଲୋକଙ୍କଠାରେ ଉଗ୍ରତା ଦେଖା ଦେଇଥାଏ ଓ ତାହା ଭୟଙ୍କର ରୂପ ନେଇଥାଏ।

’ନିଜ ଦେଶ ସର୍ବଶ୍ରେଷ୍ଠ’, ’ନିଜ ଦେଶର ସ୍ଵାର୍ଥ ସର୍ବାଗ୍ରେ’ର ଭାବନା ଏପରି ଗ୍ରାସ କରେ ଯେ ସେଥିରେ ମାନବବାଦ, ଆନ୍ତର୍ଜାତିକତାବାଦ ବଳି ପଡିଯାଏ । ଏହି ଭାବନାର ଅହଂକାରରେ ନିମଗ୍ନ ହୋଇ ଅନ୍ୟ ଦେଶର ନାଗରିକଙ୍କୁ ତୁଚ୍ଛ ମଣିବା ଆରମ୍ଭ ହୋଇଯାଏ । ’ପ୍ରଥମେ ଆମେରିକା’ (’ଆମେରିକା ଫାର୍ଷ୍ଟ’) ଓ ଆମେରିକାକୁ ’ପୁଣି ଥରେ ମହାନ’ କରିବା (’ଗ୍ରେଟ ଏଗେନ’) ଆଦି ଟ୍ରମ୍ପଙ୍କ ବାର୍ତାମାନ ନିଶ୍ଚିତ ଭାବେ ଶକ୍ତିଶାଳୀ ଜାତୀୟତାବାଦକୁ ପ୍ରୋତ୍ସାହନ ଦେବାର ପ୍ରଚେଷ୍ଟା ମାତ୍ର । ତେବେ ଏହି ନବ-ଜାତୀୟତାବାଦର ଉନ୍ମେଷ କେବଳ ଆମେରିକା ପର୍ଯ୍ୟନ୍ତ ସୀମିତ ନୁହେଁ । ବରଂ ୟୁରୋପ ଏବଂ ଏସିଆର ଅନେକ ଦେଶ ମଧ୍ୟ ଏହାର କବଳିତ । ବାସ୍ତବ ପକ୍ଷେ, ସୋଭିଏତ ସଂଘର ବିଘଟନ ପରେ ଏହି ଧାରା ପୁଟିନଙ୍କ ଦ୍ୱାରା ପ୍ରଥମେ ପ୍ରବର୍ତ୍ତନ ହୋଇଥିଲା ରୁଷିଆରେ । ଚୀନ ରାଷ୍ଟ୍ରପତିଙ୍କ ’ଚୀନ ରାଷ୍ଟ୍ରର ମହାନ ନବଯୌବନ ହାସଲ’ ସ୍ଳୋଗାନ ହେଉ ବା ବ୍ରିଟେନର ବ୍ରେକ୍ସିଟ ମାଧ୍ୟମରେ ୟୁରୋପୀୟ ୟୁନିଅନରୁ ଓହରିଯିବା ପ୍ରସଙ୍ଗ ହେଉ, ଏ ସବୁ ପଛରେ ରହିଛି ଜାତୀୟତାବାଦର ଉଚ୍ଚାଟ ଉଚ୍ଚାରଣ ମାଧ୍ୟମରେ ଜାତୀୟ ସ୍ଵାର୍ଥକୁ ଅଗ୍ରାଧିକାର ଦେବା । ’ନିୟୁ ଇଣ୍ଡିଆ’ ସ୍ଳୋଗାନ ମଧ୍ୟ ସେହି ଧାରାର ଏକ ସମ୍ପ୍ରସାରଣ ।

ମାନବିକ ଅଧିକାର ପ୍ରତି ଅବଜ୍ଞା ପ୍ରଦର୍ଶନ ଫାସିବାଦ ଆଗମନର ଦ୍ୱିତୀୟ ଲକ୍ଷଣ । ଆତଙ୍କବାଦର ମୁକାବିଲା ପ୍ରସଙ୍ଗରେ ଟ୍ରମ୍ପଙ୍କ ଚର୍ଚ୍ଚିତ ଉକ୍ତି ’ଯନ୍ତ୍ରଣା କାମ ଦିଏ’ (ଟରଚର ଓାର୍କସ)ରୁ ମାନବିକ ଅଧିକାର ଉଲ୍ଲଂଘନକୁ ଏଇ ଧରଣର ଶାସକମାନେ କିପରି ଭ୍ରୁକ୍ଷେପ କରନ୍ତି ନାହିଁ ବା ଏଥି ନେଇ ଉଦବିଗ୍ନ ନୁହନ୍ତି, ତାହା ସୁସ୍ପଷ୍ଟ । ତୃତୀୟ ଲକ୍ଷଣଟି ହେଉଛି ଦେଶବାସୀଙ୍କୁ ବାନ୍ଧି ରଖିବା ପାଇଁ ଦେଶର ଶତ୍ରୁମାନଙ୍କୁ ଚିହ୍ନଟ କରିବା । ଆତଙ୍କବାଦୀ, ଆଇଏସଆଇଏସ, କୌଣସି ଦେଶ ବା କୌଣସି ମୌଳବାଦୀ ସଂଗଠନ ଆଡୁ ସମ୍ଭାବିତ ଆକ୍ରମଣ ଆଦିକୁ ଦର୍ଶାଇ ଲୋକଙ୍କୁ ଉଦବିଗ୍ନ କରାଇ ସେମାନଙ୍କ ମଧ୍ୟରେ ଭୟ ସଂଚାର କରାଯାଇଥାଏ । ସ୍ଥଳ ବିଶେଷରେ ଏହି ଆଶଙ୍କା ବାସ୍ତବ ହୋଇଥିଲା ବେଳେ ଅନ୍ୟ ସମୟରେ ଏହା କାଳ୍ପନିକ ହୋଇଥାଏ । ସମ୍ପୃକ୍ତ ଶାସକଙ୍କ ପରି ଜଣେ ଦୃଢ ଶାସକ ହିଁ କେବଳ ଏହାର ମୁକାବିଲା କରି ପାରିବ କହି ଦେଶବାସୀଙ୍କ ଅକୁଣ୍ଠ ସମର୍ଥନ ହାସଲ କରି ହୋଇଥାଏ । ମା’ମାନେ ଛୋଟ ପିଲାଙ୍କୁ ଖୁଆଇଲା ବେଳେ ’ଖାଇ ଦେ ନହେଲେ ବାୟା ଆସିବ’ କହିବା ଯାହା, ଇଏ ଠିକ ସେହି ଶ୍ରେଣୀର।

ଦେଶରେ ଉଗ୍ର ଲିଙ୍ଗବାଦର ପ୍ରସାର ହେବାକୁ ଚତୁର୍ଥ ଲକ୍ଷଣ ଭାବେ ଗ୍ରହଣ କରାଯାଇପାରେ । ଲିଙ୍ଗବାଦରେ ଲୋକଙ୍କୁ ଲିଙ୍ଗ ଆଧାରରେ ବିବେଚନା କରାଯାଏ ଓ ଲୋକଙ୍କୁ ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେବାକୁ ହୋଇଥାଏ । ସେହିପରି ସାମରିକ ଆଧିପତ୍ୟ ବିସ୍ତାର (ମିଲିଟାରୀ ସୁପ୍ରିମେସି) ଫାସିବାଦ ଆଗମନର ପଞ୍ଚମ ଲକ୍ଷଣ । ଗଣମାଧ୍ୟମର କଂଠରୋଧ କରି ତାକୁ ଶାସକ ନିଜ ନିୟନ୍ତ୍ରଣକୁ ଆଣିବାର ପ୍ରବୃତିରେ ବୃଦ୍ଧି ହେବାକୁ ଷଷ୍ଠ ଲକ୍ଷଣ କୁହାଯିବ ।

ଟ୍ରମ୍ପ ନିର୍ବାଚିତ ହେବାର କିଛି ଦିନ ପରେ ତାଙ୍କର ପ୍ରମୁଖ ରଣନୀତିକାର ଷ୍ଟିଫେନ ବେନନ କହିଥିଲେ ଯେ, ଏଣିକି ମିଡିଆ ମୁହଁ ବନ୍ଦ ରଖିବା ଉଚିତ । ସାମ୍ବାଦିକଙ୍କ ଅସହଜ ପ୍ରଶ୍ନରେ ଉତକ୍ଷିପ୍ତ ହେବା, ତାକୁ ଏଡାଇବା ପାଇଁ ସାମ୍ବାଦିକ ସମ୍ମିଳନୀର ସମ୍ମୁଖୀନ ନ ହେବାର ମାନସିକତା ଶାସକଠାରେ ଦେଖା ଦେଇଥାଏ । ଏଣେ ନିୟମିତ ଭାବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ମହିମାମଣ୍ଡିତ ହେବାର ଲୋଭ ମଧ୍ୟ ତା’ଠାରେ ଥାଏ । ତେଣୁ ଅନୁଗୃହୀତ କରି ହେଉ ବା ସରକାରୀ କଳକୌଶଳର ପ୍ରୟୋଗ ମାଧ୍ୟମରେ ଭୟଭୀତ କରାଇ ହେଉ ମିଡିଆକୁ ନିଜ ସପକ୍ଷରେ ନେବାର ଉଦ୍ୟମ ଆରମ୍ଭ ହୋଇଯାଏ, କାରଣ ମିଡିଆ ସରକାରଙ୍କ ସପକ୍ଷରେ ରହିଲେ ହିଟଲରଙ୍କ ପ୍ରଚାର ମନ୍ତ୍ରୀ ଗବେଲଙ୍କ ସିଦ୍ଧାନ୍ତ ଅନୁଯାୟୀ ଗୋଟିଏ ମିଛକୁ ବାରମ୍ବାର କହି ତାକୁ ସତର ଭ୍ରମ ସୃଷ୍ଟି କରିବା ସହଜ ହୋଇଥାଏ।

କ୍ରମଶଃ ମିଡିଆର କେତେକ ସରକାରଙ୍କ ପ୍ରଚାର ଅଙ୍ଗ ଭଳି ଆଚରଣ କରିବା ଆରମ୍ଭ କରିଦିଅନ୍ତିା ସରକାରଙ୍କର, ବିଶେଷ କରି ଶାସନ ମୁଖ୍ୟଙ୍କର ସ୍ତୁତିଗାନ କରିବା ଏହି ଧରଣର ମିଡିଆର ଏକମାତ୍ର ଲକ୍ଷ୍ୟ ହୋଇପଡେ । ଜନତାଙ୍କ ନିକଟରେ ଉତରଦାୟୀ ନିର୍ବାଚିତ ସରକାରଙ୍କୁ ତାଙ୍କ ଦାୟିତ୍ୱ ନିର୍ବାହରେ ହେଉଥିବା ଭୁଲଭଟକା ପାଇଁ ପ୍ରଶ୍ନ ନ ପଚାରି ଧ୍ୟାନ ବିକେନ୍ଦ୍ରିତ କରିବା ପାଇଁ ବିରୋଧୀ ଦଳକୁ ତାର ଅତୀତର କାର୍ଯ୍ୟକଳାପ ପାଇଁ ବାରମ୍ବାର କାଠଗଡାରେ ଠିଆ କରିବାର ଉଦ୍ୟମ ଜାରି ରହେ । ଏହି ଧରଣର ମିଡିଆକୁ ହିନ୍ଦୀରେ ‘ଗୋଦି ମିଡିଆ’ କୁହାଯାଉଥିବା ବେଳେ ଓଡିଆରେ ‘ପୋଷା ମିଡିଆ’ର ଆଖ୍ୟା ଦିଆଯାଇପାରେ । ଭାରତରେ ମଧ୍ୟ ଗଣମାଧ୍ୟମର ସିଂହଭାଗ ଏବେ କର୍ପୋରେଟ ହାଉସ ନିୟନ୍ତ୍ରଣରେ ଥିବା ବେଳେ ଇତି ମଧ୍ୟରେ ସରକାରଙ୍କୁ ସମାଲୋଚନା କରୁଥିବା ବା ଅସହଜ ପ୍ରଶ୍ନ ପଚାରି ଅସୁବିଧାରେ ପକାଉଥିବା ସାମ୍ବାଦିକଙ୍କୁ ଚାକିରି ହରାଇବାକୁ ପଡିଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ।

ଜାତୀୟ ସୁରକ୍ଷା ପ୍ରତି ଅତ୍ୟଧିକ ଆବେଶ ସପ୍ତମ ଲକ୍ଷଣ ଭାବେ ଗୋଟିଏ ଦେଶକୁ ଫାସିବାଦର ନିକଟତର କରିଥାଏ । ଏ ଭଳି ଦେଶମାନଙ୍କ ପାଇଁ ଜାତୀୟ ସୁରକ୍ଷାର ସଂଜ୍ଞା ଆଉ କେବଳ ଭୌଗୋଳିକ ସୀମାର ସୁରକ୍ଷା ଭିତରେ ଆବଦ୍ଧ ହୋଇ ନରହି ତାହା ତାକୁ ଡେଇଁ ବିଶ୍ୱର ଯେ କୌଣସି ସ୍ଥାନରେ ଦେଶର ଯେ କୌଣସି ରାଜନୈତିକ, ଅର୍ଥନୈତିକ, ସାମରିକ ସ୍ଵାର୍ଥର ସୁରକ୍ଷା ଦେବା ଯାଏଁ ପରିବ୍ୟାପ୍ତ ହୋଇଥାଏ । ଏଥିପାଇଁ ଅନ୍ୟ ଦେଶ ଭିତରକୁ ଅନୁପ୍ରବେଶ କରିବା ପାଇଁ ମଧ୍ୟ କୁଣ୍ଠା ପ୍ରକାଶ ପାଇ ନଥାଏ । ଜାତୀୟ ସୁରକ୍ଷାର ଏ ଭଳି ବ୍ୟାଖ୍ୟା ବିଶ୍ୱ ଶାନ୍ତିପାଇଁ ବିପଜ୍ଜନକ ହୋଇଥାଏ । ସେହିପରି ଧର୍ମ ଓ ସରକାର ପରସ୍ପରଠାରୁ ଦୂରତା ବଜାୟ ରଖିବା ଉଚିତ । ଏ ଦୁହେଁ  ପରସ୍ପର ସହ ବିଜଡିତ ହେବା ବା ନିକଟତର ହେବା ଫାସିବାଦ ଆଗମନର ଅଷ୍ଟମ ଲକ୍ଷଣ ।

ସରକାରଙ୍କ ଦ୍ୱାରା କର୍ପୋରେଟମାନଙ୍କ ସ୍ଵାର୍ଥ ଅଧିକ ସୁରକ୍ଷିତ ହେବା ଫାସିବାଦ ସଂକ୍ରମଣର ନବମ ଲକ୍ଷଣ । ସରକାର ଓ କର୍ପୋରେଟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇ କର୍ପୋରେଟଙ୍କୁ ସୁହାଇଲା ଭଳି ଦେଶର ନୀତି ନିର୍ଦ୍ଧାରଣ ହେବାକୁ ଲାଗେ । ସେଥିରେ ପ୍ରତିଦ୍ୱନ୍ଦ୍ୱୀ ସରକାରୀ ସଂସ୍ଥାର କ୍ଷତି ହେଲେ ମଧ୍ୟ ତାକୁ ଅଣଦେଖା କରାଯାଏ । ଏହାର ତାର୍କିକ ବିସ୍ତାର ହେଉଛି ଶ୍ରମଶକ୍ତିର ଦମନ, ଯାହା ଦଶମ ଲକ୍ଷଣ ଭାବେ ଉଭା ହୋଇଥାଏ। ଏହାଦ୍ୱାରା କମ୍ପାନିମାନେ ସିଧାସଳଖ ଲାଭବାନ ହୋଇଥାନ୍ତିା ବସ୍ତୁତଃ, ସଂଗଠିତ ଶ୍ରମଶକ୍ତି ଫାସିବାଦୀ ସରକାର ପ୍ରତି ଏକମାତ୍ର ବିପଦ ହୋଇଥିବାରୁ ତାକୁ ଦମନ କରିବାର ସମସ୍ତ ଉଦ୍ୟମ କରାଯାଇଥାଏ । ଶ୍ରମ ସଂଗଠନଗୁଡିକୁ ନିଶ୍ଟିହ୍ନ କରି ଦିଆଯାଏ ବା ଏପରି ନିଷ୍କ୍ରିୟ କରି ଦିଆଯାଏ ଯଦ୍ୱାରା ସେମାନେ ସ୍ଥାଣୁ ପାଲଟି ଯାଆନ୍ତିା

ବୁଦ୍ଧିଜୀବୀ ଓ କଳାକାରଙ୍କୁ ସମ୍ମାନ ନ ଦେବା ଓ ସେମାନଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରିବା ଫାସିବାଦ ଆଗମନର ଏକାଦଶ ଲକ୍ଷଣ । ଏ ଭଳି ସ୍ଥିତିରେ କାହାକୁ ତାର ଲେଖା ପାଇଁ ତ କାହାକୁ କାର୍ଟୁନ, ଅଭିନୟ, ଗୀତ ବା ସିନେମା ପାଇଁ ଶାସକୀୟ ଆକ୍ରୋଶର ଶିକାର ହେବାକୁ ହୋଇଥାଏ । ଅପରାଧ ଓ ଦଣ୍ଡ ପ୍ରତି ଅତ୍ୟଧିକ ଆବେଶ ସୃଷ୍ଟି ହେଲେ ତାହା ଦ୍ୱାଦଶ ଲକ୍ଷଣ ଭାବେ ଫାସିବାଦ ଆଡକୁ ମୁହାଁଇଥାଏ । ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ନାଁରେ ପୋଲିସ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇପଡେ । କିଛି ଫାସିବାଦ ସମର୍ଥକ ଦେଶପ୍ରେମ ନାଁରେ ପୋଲିସ ଅତ୍ୟାଚାରକୁ ଅଣ ଦେଖା କରିବା ସହ ନାଗରିକ ସ୍ଵାଧୀନତାକୁ ଜଳାଂଜଳି ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଯାନ୍ତିା ବିଶେଷ କରି ଦଣ୍ଡ ପ୍ରଦାନ ବେଳେ ଦୋହରା ମାପଦଣ୍ଡ ଅନୁସୃତ ହୋଇ ଫାସିବାଦ ସପକ୍ଷରେ ଥିବା ଲୋକଙ୍କୁ ଆଇନର ଊର୍ଦ୍ଧ୍ୱରେ ଥିବା ପରି ବ୍ୟବହାର କରାଯାଉଥିବା ବେଳେ ବିରୋଧୀମାନଙ୍କୁ ଆଇନଗତ ସମସ୍ତ ଅଧିକାରରୁ ବଂଚିତ କରାଯାଏ । ନିଜ ବନ୍ଧୁବାନ୍ଧବ ଓ ଅନ୍ତରଙ୍ଗଙ୍କୁ ଲାଭ ପହଂଚାଇବା ଓ ଦୁର୍ନୀତିର ମାତ୍ରା ଅତ୍ୟଧିକ ହେବା ହେଉଛି ଫାସିବାଦ ସଂକ୍ରମଣର ତ୍ରୟୋଦଶ ଲକ୍ଷଣ । ଫଳରେ ସମଗ୍ର ଶାସନ ବ୍ୟବସ୍ଥାରେ ଦୁର୍ନୀତି ସଂଚରି ଯାଏ । ସେତେବେଳେ ଦେଶର ସ୍ଵାର୍ଥରକ୍ଷା ଅପେକ୍ଷା ମୁଷ୍ଟିମେୟ ଅନ୍ତରଙ୍ଗଙ୍କୁ ଲାଭାନ୍ୱିତ କରିବା ପ୍ରାଥମିକତା ହାସଲ କରେ । ଫାସିବାଦ ଆଗମନର ଅନ୍ତିମ ଲକ୍ଷଣଟି ହେଉଛି ଦେଶରେ ଏକ ପ୍ରତାରଣାମୂଳକ ନିର୍ବାଚନ ଅନୁଷ୍ଠିତ କରାଇ ଶାସନ ଦଖଲ କରିବା । ନିର୍ବାଚନ ଶାସକକୁ ବୈଧତା ପ୍ରଦାନ କରୁଥିବାରୁ ନିର୍ବାଚନ ପ୍ରକ୍ରିୟାରେ ଚଂଚକତା କରି ଶାସନକୁ ଆସିବା ଏହି ଧରଣର ଶାସକଙ୍କ ଲକ୍ଷ୍ୟ ହୋଇପଡେ, ଯାହା ଗଣତନ୍ତ୍ର ପାଇଁ ବିପଜ୍ଜନକ ।

ବର୍ତମାନ ବିଶ୍ୱର କେତେକ ଦେଶରେ ଉପରୋକ୍ତ ଲକ୍ଷଣଗୁଡିକ ଦୃଷ୍ଟିଗୋଚର ହେଉଥିବାରୁ ସେ ସବୁ ଦେଶ ଫାସିବାଦର ନିକଟତର ହେଉଥିବା ଆଶଙ୍କା ପ୍ରକାଶ ପାଉଛି । ଏ ପରିପ୍ରେକ୍ଷୀରେ ମହୁଆ ମୈତ୍ରଙ୍କ ଦୃଢ ବିଶ୍ୱାସ ଯେ ଭାରତରେ ଉପରୋକ୍ତ ଲକ୍ଷଣ ମଧ୍ୟରୁ ସାତୋଟି ଲକ୍ଷଣ (ପ୍ରଥମ, ଦ୍ୱିତୀୟ, ଷଷ୍ଠ, ସପ୍ତମ, ଅଷ୍ଟମ, ଏକାଦଶ ଓ ଚତୁର୍ଦ୍ଦଶ) ଦେଖା ଦେଇଥିବାରୁ ଦେଶ ଫାସିବାଦ ଆଡକୁ  ଅଗ୍ରସର ହେଉଛି । ତାଙ୍କର ଏହି ବିଶ୍ୱାସ ସହ କିଛି ଲୋକ ସହମତ ହୋଇପାରନ୍ତିଓ ଆଉ କିଛି ଲୋକ ଅସହମତ । ତେବେ ଦେଶ ଯେପରି କେବେ ବି ଫାସିବାଦ କବଳିତ ନହୁଏ ସେଥିପାଇଁ ଉପରୋକ୍ତ ଲକ୍ଷଣଗୁଡିକୁ ଦୃଷ୍ଟିରେ ରଖି ସଚେତନ ନାଗରିକମାନେ ସଦା ସର୍ବଦା ସତର୍କତା ଅବଲମ୍ବନ କରିବା ଉଚିତ । କାରଣ ନାଗରିକଙ୍କ ନିରବଚ୍ଛିନ୍ନ ସତର୍କତା ହିଁ ଗଣତନ୍ତ୍ରକୁ ଦୀର୍ଘଜୀବୀ କରିଥାଏ ।

(ସରଳ କୁମାର ଦାସ ହେଉଛନ୍ତି ଜଣେ ବିଶିଷ୍ଟ ଲେଖକ ଏବଂ ସ୍ତମ୍ଭକାର)

ମୋବାଇଲ ନଂ – ୯୪୩୭୦୩୮୦୧୫

Comment