ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଦାଇଲା ପିଆଜ। କିଲୋ ପିଛା ୫୦ ଡେଇଁଲା। ପିଆଜ ଦର ଆକାଶଛୁଆଁ ହେବା ବେଳେ ଚିନ୍ତାରେ ଖାଉଟି ଏବଂ ବ୍ୟବସାୟୀ। ଶନିବାର ରାଜଧାନୀ ଭୁବନେଶ୍ୱର ବଜାରରେ ପିଆଜ ଦର ୫୦ ଟଙ୍କା ପାର କରିଥିଲା। ତେବେ ଛୋଟ ଛୋଟ ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବା ମଧ୍ୟ କୁହାଯାଉଛି। ତେବେ ହଠାତ ପିଆଜ ଦରରେ ନିଆଁ ଲାଗିବା ଫଳରେ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି।

ପିଆଜ ଦରରେ ହଠାତ୍‌ ବୃଦ୍ଧିକୁ ନେଇ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି,” ନାସିକ୍‌ରେ ହୋଇଥିବା ବନ୍ୟା ପାଇଁ ବଜାରରେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। ଆମଦାନୀ କମିଥିବାରୁ ହୋଲସେଲରଙ୍କ ପାଖରେ ପିଆଜର ପରିମାଣ ମଧ୍ୟ କମିଛି। ଯାହା ଫଳରେ ପିଆଜ ଦର ବୃଦ୍ଧି ପାଇଛି।”

“ପିଆଜ ଦରର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଖୁବ୍‌ଶୀଘ୍ର ପିଆଜ ଦର ବୃଦ୍ଧିରୁ ଲୋକମାନେ ଆଶ୍ୱସ୍ତି ପାଇବେ” ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

୨୦୧୫ ମସିହାରେ ଓଡ଼ିଶାରେ ପିଆଜ ଦର ସର୍ବାଧିକ ୮୦ଟଙ୍କାକୁ ଛୁଇଁଥିଲା। ତେବେ ଚଳିତ ବର୍ଷ ମଧ୍ୟ ପିଆଜ ଦର ରେକର୍ଡ ଭାଙ୍ଗିବ ବୋଲି ବ୍ୟବସାୟୀମାନେ କହୁଛନ୍ତି। ଏହାକୁ ନେଇ ବର୍ତ୍ତମାନ ସାଧାରଣ ଖାଉଟିଙ୍କ ଛାତିରେ ଛନକା।

Comment