ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପ୍ରଥମ ଥର ହେବାକୁ ଯାଉଛି ବିଶ୍ୱ କବି ମହାକୁମ୍ଭ। ସାମିଲ ହେବେ ୮୨ ଦେଶରୁ ହଜାରରୁ ଅଧିକ କବି।

ଅକ୍ଟୋବର ୨ରୁ କିଟ୍‌ରେ ହେବାକୁ ଯାଉଛି ୩୯ତମ ବିଶ୍ୱ କବି ମହାକୁମ୍ଭ। ୫ ଦିନ ଧରି ହେବାକୁ ଥିବା ଏହି ମହାକୁମ୍ଭରେ ଯୋଗ ଦେବେ ଓଡ଼ିଶାରୁ ୫ଶହ କବି ଓ ସାହିତ୍ୟିକଙ୍କ ବ୍ୟତୀତ ୮୨ଟି ଦେଶରୁ ୧ ହଜାର କବି ଓ ପ୍ରତିନିଧି। ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଦୃଷ୍ଟିରେ ରଖି ୩୯ ତମ ବିଶ୍ୱ କବି ମହାକୁମ୍ଭର ବିଷୟବସ୍ତୁ ରହିଛି ‘କବିତା ମାଧ୍ୟମରେ ଦୟା’।

ବିଶ୍ୱ କବି ସମ୍ମିଳନୀ ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି।

ଅକ୍ଟୋବର ୨ ତାରିଖରେ ବିଶ୍ୱ କବି ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ ସହ ଦୟା କବିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ୩ତାରିଖରେ ବୌଦ୍ଧିକ କବିତା ପାଠ ହେବାକୁ ଥିବାବେଳେ ୪ରେ କୋଣାର୍କ ପର୍ଯ୍ୟଟନ କବିତା, ୫ରେ ପୁରୀ ଆଧ୍ୟାତ୍ମିକ କବିତା ଓ ୬ରେ ପ୍ରତିଫଳନ କବିତା ଆୟୋଜନ ହେବ।

୩୯ତମ ବିଶ୍ୱ କବି ମହାକୁମ୍ଭ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ଏବଂ ଉଦ୍‌ଯାପନୀ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାଷା ଓ ସାହିତ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡବ୍ୟୁସିପି ପକ୍ଷରୁ ଡିଲିଟ୍‌ ପ୍ରଦାନ କରାଯିବ। ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୫ଜଣ ବ୍ୟକ୍ତିଙ୍କୁ ଡିପ୍ଲୋମା ସମ୍ମାନ ପ୍ରଦାନ କରାଯିବ। ଏହାସହ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତଙ୍କୁ ଗୋଲ୍‌ଡେନ୍‌ ଗ୍ୟାବେଲ ପ୍ରଦାନ କରାଯିବ। ସେହିପରି ପ୍ରଫେସର୍‌ ଆଚାର୍ଯ୍ୟ ଭାବାନନ୍ଦଙ୍କୁ ସାହିତ୍ୟ ପାଇଁ ଗାନ୍ଧୀ ପୁରସ୍କାର ପ୍ରଦାନ କରାଯିବ।

ଏହି ସମ୍ମିଳନୀର ପ୍ରଥମ ଦିନରେ ବା ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ବ୍ରୋଞ୍ଜ ପ୍ରତିମୁର୍ତ୍ତୀକୁ ୮୨ଟି ଦେଶରୁ ଆସିଥିବା ହଜାରରୁ ଅଧିକ କବି ଉନ୍ମୋଚନ କରିବେ। ଏହାସହ କବି ପ୍ରତିନିଧିମାନେ କିସ୍‌ର ଜନଜାତି ଛାତ୍ରଛାତ୍ରୀଙ୍କ ସହ ଗାନ୍ଧୀ ଜୟନ୍ତୀ ପାଳନ କରିବେ।

ବିଶ୍ୱ କବି ମହାକୁମ୍ଭ କ’ଣ?

ବିଶ୍ୱ କବି ସମ୍ମିଳନୀ ହେଉଛି କବିମାନଙ୍କର ଏକ ମହାକୁମ୍ଭ। ଏଥିରେ ବିଶ୍ୱର ବିଭିନ୍ନ କୋଣରୁ କବି, ଲେଖକ, ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗଦେଇ କବିତା ପାଠ କରିବା ସହ ତାହା ଉପରେ ଆଲୋଚନା ଓ ସମୀକ୍ଷା କରିଥା’ନ୍ତି।

୧୯୬୯ରେ ପ୍ରତିଷ୍ଠିତ ହୋଇଥିବା ବିଶ୍ୱ କବି ସମ୍ମିଳନୀ ହେଉଛି ଆମେରିକାରେ ଅବସ୍ଥିତ ଓ୍ଵାର୍ଲ୍ଡ ଏକାଡେମୀ ଅଫ୍‌ ଆର୍ଟ ଆଣ୍ଡ କଲଚର୍‌ ସହ ଅନୁବନ୍ଧିତ ଏକ ସଂଘଟନ।

ଓ୍ଵାର୍ଲ୍ଡ ଏକାଡେମୀ ଅଫ୍‌ ଆର୍ଟ ଆଣ୍ଡ କଲଚର୍‌ ହେଉଛି ୟୁନେସ୍କୋ ଦ୍ୱାରା ସ୍ଵୀକୃତିପ୍ରାପ୍ତ ଏକ ସଂସ୍ଥା। କବିତା ମାଧ୍ୟମରେ ଶାନ୍ତିର ପ୍ରଚାର ଓ ପ୍ରସାର ହେଉଛି ବିଶ୍ଵ କବି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।

ବିଶ୍ୱ କବି ସମ୍ମିଳନୀ ତୃତୀୟ ଥର ଲାଗି ଭାରତରେ ଓ ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି। ୧୯୮୬ ଓ ୨୦୦୭ରେ ବିଶ୍ୱ କବି ସମ୍ମିଳନୀ ଚେନ୍ନାଇଠାରେ ଅନୁଷ୍ଠିତ ହେଉଥିଲା।

LEAVE A REPLY

Please enter your comment!
Please enter your name here