ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଶ୍ୱାସରୁଦ୍ଧ ହୋଇ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଠିକ୍‍ ସମୟରେ ଇସିଜି କରାନଯିବା ଯୋଗୁଁ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଆଜି ସକାଳ ୧୦ଟା ବେଳେ ରାୟଗଡା ସହରର ରଶ୍ମିରଞ୍ଜନ ଖଟୁଆ ନାମକ ଜଣେ ବ୍ୟକ୍ତିଙ୍କ ଛାତିରେ ଯନ୍ତ୍ରଣା ସହ ନିଶ୍ଵାସ ନେବାରେ କଷ୍ଟହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର ରୋଗୀଙ୍କ ଇସିଜି କରିବା ପାଇଁ କହିଥିଲେ।

ହେଲେ ଇସିଜି ଦାୟିତ୍ୱରେ ଥିବା କର୍ମଚାରୀ ଦିନ ୨ଟା ବେଳେ ଇସିଜି ହେବ ବୋଲି କହିଥିଲେ। ଏନେଇ ରୋଗୀଙ୍କ ସଂପର୍କୀୟ ହସ୍ପିଟାଲ କତ୍ତୃର୍ପକ୍ଷଙ୍କୁ ଜଣାଇଲେ ମଧ୍ୟ ଇସିଜି ଦିଆଯାଇନଥିଲା। ଫଳରେ ଦିନ ପ୍ରାୟ ଗୋଟାଏ ବେଳେ ରୋଗୀଙ୍କ  ମୃତ୍ୟୁ ଘଟିଥିଲା।

ତେବେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସମ୍ପର୍କିୟ ଓ ପରିବାର ଲୋକ ଡାକ୍ତରଖାନାରେ ପାଟିତୁଣ୍ଡ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଜଣ ହସ୍ପିଟାଲ କର୍ମଚାରୀଙ୍କୁ ଅଟକ ରଖିଛି। ତେବେ ଘଟଣାର ତଦନ୍ତ କରାଯିବ ବୋଲି ସିଡିଏମଓ ଡକ୍ଟର ଆର୍ତ୍ତବନ୍ଧୁ କହିଛନ୍ତି।

Comment