ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଥିଲା ୩୯ତମ ବିଶ୍ୱ କବି ସମ୍ମିଳନୀର ତୃତୀୟ ଦିନ। ‘କୋଣାର୍କ: ଜଣା ଅଜଣା’ ଉପରେ ମତ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଶଦାତା ଆର ବାଲକ୍ରିଷ୍ଣନ୍‍ କହିଥିଲେ ଯେ ଓଡ଼ିଶା ହେଉଛି ବିବିଧତାର ସୁନ୍ଦର ପ୍ରଦେଶ।

ଶୁକ୍ରବାର କୋଣାର୍କଠାରେ ୩୯ତମ ବିଶ୍ୱ କବି ସମ୍ମିଳନୀର ପର୍ଯ୍ୟଟନ କବିତା ଅଧିବେଶନରେ ଯୋଗ ଦେଇଥିଲେ ଆର୍‌ ବାଲ୍‍କ୍ରିଷ୍ଣନ୍‍। ସେ କହିଥିଲେ, ‘‘ଓଡ଼ିଶା ହେଉଛି ବିବିଧତାର ରାଜ୍ୟ। ଏହା ଆମର ବିଭିନ୍ନ ପୁରାଣରେ ବର୍ଣ୍ଣିତ ହୋଇଛି। କୋଣାର୍କ ହେଉଛି ବିଶ୍ୱର ସବୁଠାରୁ ସୁନ୍ଦର ଓ ଆଶ୍ଚର୍ଯ୍ୟଜନକ ଭାସ୍କର୍ଯ୍ୟ।’’

ସେ କୋଣାର୍କ ମନ୍ଦିରର ଇତିହାସ ଓ ସୂର୍ଯ୍ୟ ଉପାସନାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ତଥା ଭାସ୍କର୍ଯ୍ୟ ହେଉଛି ସମୃଦ୍ଧଶାଳୀ। ଏସବୁର ପ୍ରଚାର ଓ ପ୍ରସାର ପାଇଁ କବିତା ଗୋଟିଏ ମାଧ୍ୟମ। ଏହି ଅବସରରେ ଶ୍ରୀ ବାଲକ୍ରିଷ୍ଣନ୍‍ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ତଥା ଭାସ୍କର୍ଯ୍ୟକୁ ସେମାନଙ୍କ କବିତା ମାଧ୍ୟମରେ ପ୍ରଚାର ଓ ପ୍ରସାର କରିବା ପାଇଁ ଉପସ୍ଥିତ ବିଭିନ୍ନ ଦେଶର କବିମାନଙ୍କୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ବିଶ୍ୱବାସୀ ଓଡ଼ିଶା ସମୃଦ୍ଧଶାଳୀ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ବିଷୟରେ ଜାଣିବାର ସୁଯୋଗ ପାଇ ପାରିବେ ବୋଲି ସେ କହିଥିଲେ।

ଓଡ଼ିଶାରେ ଅନେକ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ରହିଛି। ସେସବୁର ବ୍ୟାପକ ପ୍ରଚାର ଓ ପ୍ରସାରର ଆବଶ୍ୟକ ରହିଛି। ଏଥିପାଇଁ କବିମାନେ ସେମାନଙ୍କ କବିତା ମାଧ୍ୟମରେ ଏ ଦିଗରେ ସହଯୋଗ କରିପାରିବେ ବୋଲି ଶ୍ରୀ ବାଲ୍‍କ୍ରିଷ୍ଣନ୍‍ କହିଥିଲେ।

ୱାର୍ଲ୍ଡ ଏକାଡେମୀ ଅଫ୍‍ ଆର୍ଟ୍ସ ଆଣ୍ଡ କଲ୍‍ଚର୍‍ (ୱାକ୍‍)ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ୱାକ୍‍ର ସାଧାରଣ ସଂପାଦିକା ଡକ୍ଟର ମାରିଆ ଇଉଜେନିଆ ସୋବେରନିସ୍‍ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ପର୍ଯ୍ୟଟନ ଉପରେ ଇଂରାଜୀ, ଚୀନ୍‍, ସ୍ପେନ୍‍ ଓ ହିନ୍ଦୀ ଭାଷାରେ ସମାନ୍ତରାଳ କବିତା ପାଠ ଅନୁଷ୍ଠିତ ହୋଇଥିଲା। ପରେ ୮୨ଟି ଦେଶର କବି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ଏହାର କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।

Comment