ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ବର୍ଷ ଧରି ପୁରୀରେ ଚାଲିଆସିଥିବା ଡେପୁଟି ଅକାଉଣ୍ଟାଣ୍ଟ ଜେନେରାଲ (ଡିଏଜି) ଅଫିସକୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିବା ପାଇଁ ଉଦ୍ୟମ ଚାଲିଛି। ଏହାକୁ ପୁରୀବାସିନ୍ଦା ବିରୋଧ କରିଛନ୍ତି।

ଏହି ପଦକ୍ଷେପ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଯାଇ କେନ୍ଦ୍ର ସରକାରୀ କର୍ମଚାରୀ ଫେଡେରସନର ପୂର୍ବତନ ଆବାହକ ଗୌରାଙ୍ଗ ଚରଣ ପରିଡା କହିଛନ୍ତି ଯେ ୧୯୪୮ରେ ଏଜି ଅଫିସକୁ ରାଞ୍ଚିରୁ ଅଣାଯାଇ ପୁରୀରେ ଆରମ୍ଭ କରାଯାଇଥିଲା। ୧୯୫୬ ପର୍ଯ୍ୟନ୍ତ ଏଜି ଅଫିସ ପୁରୀରେ ଚାଲିବା ପରେ  ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିଲା।

ପୁରୀରେ ଯେଉଁ ଡିଏଜି ଅଫିସ ରହିଛି ଏବେ ସେଠାରେ ୪୬ ଜଣ ଅଡିଟ ଅଫିସର ଥିବା ବେଳେ ପ୍ରାୟ ୨୦୦ ଅନ୍ୟାନ୍ୟ କର୍ମଚାରୀ କାମ କରୁଛନ୍ତି। ରାଜ୍ୟରେ ଥିବା ସମସ୍ତ କେନ୍ଦ୍ର ସରକାରଙ୍କ ବିଭାଗର ଅଡିଟ ଓ ଆକାଉଣ୍ଟସ୍ କାର୍ଯ୍ୟ ଏଠି ହୁଏ।

ତା’ଛଡ଼ା କର୍ମଚାରୀଙ୍କ ପାଇଁ ୨୦୦ ଗୃହ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ନୂଆ ଅଫିସ ପାଇଁ ଚକ୍ରତୀର୍ଥ ରୋଡରେ ଏକ ଜମି ବି କିଣା ଯାଇଛି ବୋଲି ସେ କହିଛନ୍ତି।

ଶ୍ରୀ ପରିଡାଙ୍କ କହିବା ଅନୁଯାୟୀ ୧୯୮୦ ଓ ୧୯୯୧ରେ ମଧ୍ୟ ଡିଏଜି ଅଫିସ ଉଠାଇ ନେବା ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ତୀବ୍ର ବିରୋଧ ଯୋଗୁଁ ଏହି ପ୍ରସ୍ତାବକୁ ସ୍ଥଗିତ ରଖା ଯାଇଥିଲା। ଡିଏଜି ଅଫିସ ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ହୋଇଥିବାରୁ ଏହାକୁ ସ୍ଥାନାନ୍ତରିତ କରିବା ପାଇଁ ଆଦୌ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଏହି ପଦକ୍ଷେପକୁ ପୁରୀ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଦାସ, ସମାଜକର୍ମୀ ହେକ୍ଟର୍ ମିଶ୍ର, ଆଇନଜୀବୀ ଅଶୋକ ଦାସଙ୍କ ସମେତ ସ୍ଥାନୀୟ ପ୍ରେସ କ୍ଲବ ଓ ପୁରୀ ବାର ଆସୋସିଏସନ ମଧ୍ୟ ବିରୋଧ କରିଛନ୍ତି।

Comment