ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ୯ ଦିନିଆ ଏବଂ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ୪ ଦିନିଆ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍।
୯ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ। ଅକ୍ଟୋବର ୧୨ରୁ ସେ ୨୦ ତାରିଖ ଯାଏଁ ଓଡ଼ିଶାରେ ରହିବେ। ପ୍ରଥମ ଥର ପାଇଁ ଆର୍ଏସ୍ଏସ୍ ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଭୁବନେଶ୍ୱରରେ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋହନ ଭାଗବତ ଓଡ଼ିଶା ଆସୁଛନ୍ତି।
ପ୍ରଥମ ଥର ପାଇଁ ଆର୍ଏସ୍ଏସ୍ର ଏହି ବୈଠକ ଏବଂ ଏହାର ମୁଖ୍ୟ ମୋହନ ଭାଗବତ ୯ ଦିନ ଓଡ଼ିଶାରେ ରହିବା ଘଟଣାକୁ ରାଜନୀତିକ ମହଲ ଭିନ୍ନ ଦୃଷ୍ଟିରେ ଦେଖୁଛି। କେବଳ ସେତିକି ନୁହେଁ, ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ମଧ୍ୟ ଏହି ବୈଠକରେ ଯୋଗ ଦେବେ।
ମୋହନ ଭାଗବତ ଏବଂ ଜେ ପି ନଡ୍ଡାଙ୍କ ଗସ୍ତ ରାଜନୀତି ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱବହନ କରୁଛି। ସଂଘ ପରିବାର ଓଡ଼ିଶାରେ ନିଜ ସଙ୍ଗଠନ ସୁଦୃଢ଼ କରିବା ପାଇଁ ଯୋଜନା କରିଥିବା ଚର୍ଚ୍ଚା ହେଉଛି। ଏଣୁ ଓଡ଼ିଶାରେ ଚଳିତ ବର୍ଷ ଏହି ବୈଠକ କରିବା ପାଇଁ ଆର୍ଏସ୍ଏସ୍ ସ୍ଥିର କରିଛି। ଓଡ଼ିଶାରେ ତ୍ରିପୁରା ଫର୍ମୁଲା ପ୍ରୟୋଗ କରିବାକୁ ଆର୍ଏସ୍ଏସ୍ ଯୋଜନା କରୁଥିବା କୁହାଯାଉଛି।
ଆର୍ଏସ୍ଏସ୍ ସହିତ ବିଜେପିର ଯଦିଓ ପ୍ରତ୍ୟକ୍ଷ ରାଜନୀତିକ ସମ୍ପର୍କ କିଛି ନାହିଁ, ହେଲେ ଆର୍ଏସ୍ଏସ୍ ବିଚାରଧାରାରେ ବିଜେପି ପରିଚାଳିତ ହେଉଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ଜେ ପି ନଡ୍ଡା। ପୂର୍ବରୁ ଅଟଳବିହାରୀ ବାଜପେୟୀ ହୁଅନ୍ତୁ କି ସେ ଲାଲକୃଷ୍ଣ ଆଡଭାନି ଏବଂ ମୁରଲୀମନୋହର ଯୋଶୀ ହୁଅନ୍ତୁ। ଏ ସମସ୍ତେ ସଂଘର କାର୍ଯ୍ୟକର୍ତ୍ତା ଭାବେ କାମ ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଥିଲେ।
୨୦୦୯ରୁ ବ୍ଲୁ ପ୍ରିଣ୍ଟ
୨୦୦୦ରୁ ୨୦୦୯ ଯାଏଁ ଓଡ଼ିଶାରେ ଚାଲିଥିଲା ବିଜେପି-ବିଜେଡି ମେଣ୍ଟ ସରକାର। ହେଲେ ୨୦୦୮ କନ୍ଧମାଳ ଦଙ୍ଗା ପରେ ମେଣ୍ଟ ଭାଙ୍ଗି ଯାଇଥିଲା। ବିଜେପିକୁ ସାଂପ୍ରଦାୟିକ ଦଳ ଭାବେ ଆଖ୍ୟା ଦେଇ ବିଜେଡି ବିଜେପିଠାରୁ ଦୂରେଇ ଯାଇଥିଲା।
ସେବେଠାରୁ ଓଡ଼ିଶାରୁ ବିଜେଡି ସରକାର ହଟାଇବା ପାଇଁ ବିଜେପି ଯୋଜନା କରି ଆସୁଛି। ହେଲେ ତାହା ଫଳପ୍ରଦ ହୋଇପାରୁ ନଥିଲା। ୨୦୧୯ ନିର୍ବାଚନରେ ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାରେ ମିଶନ-୧୨୦ର ଟାର୍ଗେଟ ଦେଇଥିଲେ। କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ମିଶନ-୧୨୦ କାଟୁ କରି ନଥିଲା। ଫଳରେ ବିଜେପିକୁ ମାତ୍ର ୨୩ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏହାକୁ ବିଜେପିର ଶୀର୍ଷ ନେତୃବୃନ୍ଦ ଗ୍ରହଣ କରିପାରୁ ନାହାନ୍ତି। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ସଙ୍ଗଠନ ସୁଦୃଢ଼ ଉପରେ ଫୋକସ୍ ଦେବା ଆରମ୍ଭ କରିଛି ଦଳ।
କାର୍ଯ୍ୟକ୍ରମ ଚାଲିବ ୩ ଦିନ, ଭାଗବତ ରହିବେ ୯ ଦିନ
ଭୁବନେଶ୍ୱରରେ ଆର୍ଏସ୍ଏସ୍ର ଯେଉଁ ବୈଠକ ଚାଲିବ ତାହା ତିନି ଦିନିଆ କାର୍ଯ୍ୟକ୍ରମ। କିନ୍ତୁ ମୋହନ ଭାଗବତ ୯ ଦିନ ଏବଂ ଜେ ପି ନଡ୍ଡା ୪ ଦିନ ରହିବା ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି।
ଏହି ଗସ୍ତ କାଳରେ ଭାଗବତ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ତୃଣମୂଳ ସ୍ତରରୁ କେମିତି ସଙ୍ଗଠନ ସୁଦୃଢ଼ କରାଯିବ ସେନେଇ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ଏହାସହ ଭାଗବତ ଭୁବନେଶ୍ୱର ବ୍ୟତୀତ ଓଡ଼ିଶାର ଆଉ କିଛି ଅଞ୍ଚଳ ଗସ୍ତରେ ଯାଇପାରନ୍ତି। ୨୦୨୪ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ ସଙ୍ଘ କେମିତି ପ୍ରଭାବ ବିସ୍ତାର କରିବ ସେନେଇ ମାନସମନ୍ଥନ ଚାଲିବ।
ଏପଟେ ଜେ ପି ନଡ୍ଡା ସଂଘ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଜେପି ନେତୃବୃନ୍ଦଙ୍କ ସହ ମଧ୍ୟ ଆଲୋଚନା କରିବେ। ବିଜେପିରେ ଏବେ ସାଙ୍ଗଠନିକ ନିର୍ବାଚନ ଚାଲିଥିବାରୁ ନଡ୍ଡା ଏହାର ତଦାରଖ କରିବେ ବୋଲି ଆଲୋଚନା ହେଉଛି।
ତ୍ରିପୁରା ଫର୍ମୁଲା କ’ଣ?
୨୦୧୮ରେ ହୋଇଥିଲା ତ୍ରିପୁରା ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ୨୫ ବର୍ଷର ବାମପନ୍ଥୀ ଶାସନକୁ ହଟାଇ ବିଜେପି ସରକାର ଗଠନ କରିଥିଲା। ଆର୍ଏସ୍ଏସ୍ ବିଚାରଧାରାରେ ଜଡ଼ିତ ଯୁବ ନେତା ବିପ୍ଲବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି।
୨୫ ବର୍ଷର ବାମପନ୍ଥୀ ଶାସନକୁ ହଟାଇବା ଏବଂ ବିପ୍ଲବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପଛରେ ସଂଘ ପରିବାରର ବଡ଼ ଅବଦାନ ରହିଥିବା କୁହାଯାଉଛି।
ବାମପନ୍ଥୀ ଶାସନ ଯୋଗୁଁ ତ୍ରିପୁରାରେ ବିଜେପି ସଙ୍ଗଠନ ସୁଦୃଢ଼ ନଥିଲା। ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ତ୍ରିପୁରା ଉପରେ ଫୋକସ୍ କରିଥିଲା ଦଳ। ତ୍ରିପୁରାରୁ ବାମପନ୍ଥୀ ଶାସନ ହଟାଇବା ପାଇଁ ଯୋଜନା ଆରମ୍ଭ ହୋଇଥିଲା।
ମୋଦୀ ଦିଲ୍ଲୀ ସିଂହାସନରେ ବସିବା ପରେ ତ୍ରିପୁରାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ଆର୍ଏସ୍ଏସ୍। ଏହାର ଦାୟିତ୍ୱ ନେଇଥିଲେ ସଂଘ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁନିଲ ଦେଓଧର। ଦିଲ୍ଲୀରେ ଥିବା ବିପ୍ଲବ କୁମାରଙ୍କୁ ତ୍ରିପୁରା ଡକା ଯାଇଥିଲା। ଫଳରେ ବିଭିନ୍ନ କାର୍ଯ୍ୟକ୍ରମକୁ ସକ୍ରିୟ କରାଯାଇଥିଲା।
ଦୀର୍ଘ ୪ ବର୍ଷ ହେଲା ତୃଣମୂଳ ସ୍ତରର ଲୋକଙ୍କ ସହ ଯୋଡ଼ି ହୋଇ ରହିଥିଲେ ଆର୍ଏସ୍ଏସ୍ କାର୍ଯ୍ୟକର୍ତ୍ତା। ଲୋକଙ୍କ ସୁଖଦୁଃଖରେ ସାମିଲ ହେଲେ। ଧିରେ ଧିରେ ଅନ୍ୟ ଦଳ ଛାଡ଼ି ନେତା ବିଜେପି ମୁହାଁ ହୋଇଥିଲେ। ଶେଷରେ ବିଜେପିକୁ ବଡ଼ ବିଜୟ ମିଳିଥିଲା ତ୍ରିପୁରାରେ।
ଏବେ ଓଡ଼ିଶାରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ୪ ବର୍ଷ ପରେ ହେବ ନିର୍ବାଚନ। ତ୍ରିପୁରା ପରି ଓଡ଼ିଶାରେ ମଧ୍ୟ ସଙ୍ଗଠନ ସୁଦୃଢ଼ କରିବା ପାଇଁ ଆର୍ଏସ୍ଏସ୍ ଓ ବିଜେପି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଣୁ ପ୍ରତିବର୍ଷ ଦଶହରାରୁ ଦୀପାବଳି ମଧ୍ୟରେ ହେଉଥିବା ସଂଘ ପରିବାରର ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଓଡ଼ିଶାରେ କରିବାକୁ ସ୍ଥିର କରାଯାଇଛି।
୨୦୧୯ ନିର୍ବାଚନ ପୂର୍ବରୁ ଆସିଥିଲେ ଭାଗବତ
୨୦୧୯ ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ୨୦୧୭ରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଅନୁଗୁଳରେ ଅନୁଷ୍ଠିତ ଆର୍ଏସ୍ଏସ୍ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ତିନି ଦିନ ଧରି ଓଡ଼ିଶାରେ ରହିଥିଲେ। ନିର୍ବାଚନ ପୂର୍ବରୁ ମୋହନ ଭାଗବତଙ୍କ ଗସ୍ତକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ସେମିତି କିଛି ପ୍ରଭାବ ଦେଖିବାକୁ ମିଳି ନଥିଲା। କେବଳ କଂଗ୍ରେସକୁ ପଛରେ ପକାଇ ବିଜେପି ଦୁଇ ନମ୍ବର ସ୍ଥାନକୁ ଆସିବାରେ ସମର୍ଥ ହୋଇଛି। ୨୦୧୪ରେ ବିଜେପି କେମିତି ୧ ନମ୍ବରକୁ ଯିବ ତାହା ଏବେ ଉଭୟ ବିଜେପି ଏବଂ ଆର୍ଏସ୍ଏସ୍ ପାଇଁ ଚାଲେଞ୍ଜ ପାଲଟିଛି।








ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ୯ ଦିନିଆ ଏବଂ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ୪ ଦିନିଆ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍।









