ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୋଷଣା ହେଲା ୨୦୧୯ ପାଇଁ ନୋବେଲ ଶାନ୍ତି ପୁରସ୍କାର। ଚଳିତ ବର୍ଷ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ତେବେ ଅବି ଅହମ୍ମଦ ଅଲୀଙ୍କୁ କାହିଁକି ଦିଆଗଲା ନୋବେଲ ପୁରସ୍କାର? ଆସନ୍ତୁ ଜାଣିବା ତା’ଙ୍କ ବିଷୟରେ..

ଅବି ଅହମ୍ମଦ ଅଲୀ ହେଉଛନ୍ତି ଇଥିଓପିଆ ଦେଶର ଚତୁର୍ଥ ପ୍ରଧାନମନ୍ତ୍ରୀ। ୧୯୭୬ ମସିହା ଅଗଷ୍ଟ ୧୫ ତାରିଖରେ ତାଙ୍କ ଜନ୍ମ। ବର୍ତ୍ତମାନ ତାଙ୍କ ବୟସ ୪୩ ବର୍ଷ। ପଡୋଶୀ ଦେଶ ଏରିଟ୍ରିଆ ସହିତ ବହୁ ବର୍ଷ ଧରି ଚାଲି ଆସୁଥିବା ସୀମା ବିବାଦକୁ ସଠିକ ଭାବେ ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଅବି ଅହମ୍ମଦ ଅଲୀଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି।

୪୩ ବର୍ଷୀୟ ଅବି ଅହମ୍ମଦ ଅଲୀଙ୍କୁ ଇଥିଓପିଆର ନେଲସନ ମଣ୍ଡେଲା କୁହାଯାଏ। ଅବି ଅହମ୍ମଦ ୨୦୧୮ ମସିହା ଏପ୍ରିଲ ୨ରେ ଇଥିଓପିଆର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ମହିଳାମାନଙ୍କୁ ରାଜନୀତିକୁ ଆଣିବା ପାଇଁ ସେ ପ୍ରୋତ୍ସାହନ କରିଥିଲେ। ତାଙ୍କ ମନ୍ତ୍ରୀମଣ୍ଡଳର ଅଧାରୁ ଅଧିକ ମନ୍ତ୍ରୀ ହେଉଛନ୍ତି ମହିଳା।

ପ୍ରଧାନମନ୍ତ୍ରୀ ହେବା ପରେ ଅବି ଅହମ୍ମଦ ପ୍ରଥମେ ଏରିଟ୍ରିଆ ଓ ଇଥିଓପିଆ ମଧ୍ୟରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ସଂଘର୍ଷକୁ ସମାଧାନ କରିବା ପାଇଁ ପାଦ ବଢ଼େଇଥିଲେ। ଶେଷରେ ସେ ଏଥିରେ ସଫଳ ମଧ୍ୟ ହୋଇଥିଲେ। ୨୦୧୮ରେ ଇଥିଓପିଆ ଏବଂ ଏରିଟ୍ରିଆ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ହୋଇଥିଲା। ସୂଚନାଯୋଗ୍ୟ, ୧୯୯୮ରୁ ୨୦୦୦ ମସିହା ଯାଏଁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିଲା।

ଏଥିପାଇଁ ଅବି ଅହମ୍ମଦ ଅଲୀଙ୍କୁ ୨୦୧୯ ନୋବେଲ ଶାନ୍ତି ପୁରସ୍କାର ପଦାନ କରାଯିବ। ନୋବେଲ ଶାନ୍ତି ପୁରସ୍କାର ପାଇବାରେ ଅବି ଅହମ୍ମଦ ଅଲୀ ହେଉଛନ୍ତି ୧୦୦ ତମ ବ୍ୟକ୍ତି/ସଂସ୍ଥା।

Comment