ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ୫ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା।

ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରେ ବୁଥ୍‌ ଆଗରେ ଭୋଟରଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। ଭୋଟ ଦେବା ପାଇଁ ମୋଟ ୨୮୫ଟି ପୁଲିଂ ବୁଥ୍‌ର ବ୍ୟବସ୍ଥା କରାଯାଇଛି। ଏଥର ବିଜେପୁରରେ ୨ ଲକ୍ଷ ୩୨ ହଜାର ୨୬୪ ପଞ୍ଜିକୃତ ଭୋଟର ମତଦାନ କରିବେ।

ବିଜେପୁର ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ। ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡାଙ୍କ ସମେତ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ଏହି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିଜେପୁରବାସୀ। ତେବେ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ହେଉଥିବା ପ୍ରଚାରରୁ ଜଣାପଡ଼ିଛି।

ମତଦାନ ସୁରଖୁରୁରେ ଚାଲିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଜେପୁରରେ ୧୨୯ଟି ସମ୍ବେଦନଶୀଳ ଓ ୬ଟି ମାଓ ପ୍ରବଣ ବୁଥ୍‌ ରହିଛି। ୧୪ଟି ସ୍ଥାନରେ ସିସିଟିଭି ଓ ୭୭ଟି ସ୍ଥାନରେ ମାଇକ୍ରୋ ଅବଜର୍‌ଭର୍‌ ମଧ୍ୟ ଲାଗିଥିବା ସୂଚନା ମିଳିଛି। ସେହିପରି ନିର୍ବାଚନ ପରିଚାଳନା ପାଇଁ ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଅନ୍ୟପକ୍ଷରେ ଆଜି ବିଜେପୁରରେ ୨୭୫୦ ଦିବ୍ୟାଙ୍ଗ ଭୋଟର ମତଦାନ କରିବେ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପ୍ରତି ବୁଥ୍‌ରେ ୨ ଜଣ ସ୍ୱେଚ୍ଛାସେବୀ ରହିଥିବା ସୂଚନା ମିଳିଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଏହା ଚାଲିବ। ଆଗାମୀ ୫ ବର୍ଷ ପାଇଁ ବିଜେପୁରବାସୀ ସେମାନଙ୍କ ନେତା ବାଛିବେ।

Comment