ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନବରଙ୍ଗପୁର ଓ କୋରାପୁଟ ପରେ ଶୁକ୍ରବାର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ବିଭିନ୍ନ ସ୍କୁଲକୁ ଯାଇ ସରପ୍ରାଇଜ୍ ଭିଜିଟ୍ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମନ୍ତ୍ରୀ।

ପ୍ରଥମେ କୁଟୁଳୀ ଓ ପରେ ଉଦୟପୁର ପ୍ରାଥମିକ ବିଦ୍ୟାଳୟକୁ ଯାଇ କାର୍ଯ୍ୟରେ ଅବହେଳା ପାଇଁ ୫ଜଣ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ସ୍କୁଲରେ ୨୯ଜଣ ଛାତ୍ରଛାତ୍ରୀ ଥିବା ବେଳେ ଦୁଇ ଜଣ ଶିକ୍ଷକ ରହିଛନ୍ତି। ତଥାପି ସ୍କୁଲରେ ଠିକ୍ ପାଠପଢା ନହେଉଥିବା ବେଳେ ପିଲାମାନେ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇପାରିନଥିବାରୁ ମନ୍ତ୍ରୀ ଖପ୍ପା ହୋଇଥିଲେ।

ଏହି ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିଭାର ଉକ୍ତ ବିଦ୍ୟାଳୟରେ ୧୦ବର୍ଷ ହେବ ରହିଥିବା ବେଳେ ଅନ୍ୟତ୍ର ବଦଳି ପାଇଁ ନୋଟିସ ଦେଇଥିଲେ। ସେହିପରି ସହକାରୀ ଶିକ୍ଷୟିତ୍ରୀ ସୁଗ୍ୟାନୀ ପ୍ରଧାନଙ୍କୁ ଶିକ୍ଷାଦାନରେ ଅବହେଳା ଯୋଗୁଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମନ୍ତ୍ରୀ।

ସେହିପରି ସିଆରସିସି କାମଦେବ ତୁର୍କୁ ଓ ରାୟଗଡ଼ା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳରାମ ତୁଇକାଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ଏକ ମାସର ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଗ୍ରାମାଞ୍ଚଳର ସ୍କୁଲ ପରିଦର୍ଶନ କରିବା ପରେ ମନ୍ତ୍ରୀ ସମୀର ରଞ୍ଜନ ଦାସ ରାୟଗଡ଼ା ସହରରେ ଥିବା ଫରେଷ୍ଟ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଶିକ୍ଷକ ଓ ପିଲାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ନିୟମିତ ଭାବେ ମଧ୍ୟାହ୍ନ ଭୋଜନ ଦିଆଯାଉଛି ନା ନାହିଁ ଓ ବିଦ୍ୟାଳୟରେ କିପରି ଶିକ୍ଷାଦାନ ଦିଆଯାଉଛି ତାହା ଉପରେ ଜାଣିବାକୁ ଚାହିଁଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

Comment