ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: ଶନିବାର ଦୁଇ ଦିନିଆ କୋରାପୁଟ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ଏହି ଅବସରରେ ଜୟପୁରରେ ଡିଜିପିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜୟପୁର ନାଗରିକ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡିଜିପି ବି କେ ଶର୍ମାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ବିଜୟ କୁମାର ଶର୍ମାଙ୍କ କର୍ମମୟ ଜୀବନ ଜୟପୁର ସହରରେ ଆରମ୍ଭ ହୋଇଥିଲା। ୧୯୮୯ ମସିହାରେ ବି କେ ଶର୍ମା ପ୍ରଥମେ ଜୟପୁର ଏସିଡପିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୯ ରୁ ୧୯୯୦ ଯାଏଁ ତାଙ୍କ କାର୍ଯ୍ୟକଳାପ ଜୟପୁରବାସୀଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଜୟପୁରବାସୀଙ୍କ ସ୍ନେହ ଶ୍ରଦ୍ଧା ଯୋଗୁଁ ଆଜି ସେ ଏତେ ବଡ଼ ପଦବୀରେ ରହିଥିବା ଡିଜିପି ବି କେ ଶର୍ମା ଭାବ ବିହ୍ୱଳ କଣ୍ଠରେ କହିଥିଲେ।

ଆଗାମୀ ଦିନରେ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଥିଲେ। ସେହିପରି ଜୟପୁର ଥାନାରେ ଅଧିକ କର୍ମଚାରୀ ନିଯୁକ୍ତି ସହ ସହର ସାରା ସିସି କେମେରା ଲଗାଇବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଡିଜିପି ବି କେ ଶର୍ମା ସୁଚନା ଦେଇଥିଲେ।

ଏହି ଅବସରରେ ଡିଜିପିଙ୍କ ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ଡିଜିପିଙ୍କୁ ପ୍ରଶଂସା କରିବା ସହ ସହରରେ ବେଆଇନ ମଦ ବିକ୍ରି କିପରି ବନ୍ଦ କରାଯାଇପାରିବ ତାହା ପ୍ରତି ଦୃଷ୍ଟି ଆକର୍ଷଣ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ପୁର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ଜିଆଇଜି ସଫିନ ଅହମ୍ମଦ, ଏସ୍‌ପି ମୁକେଶ କୁମାର ଭାମୋ, ଏସଡିପିଓ ବରୁଣ ଗୁଣ୍ଠୁପାଲି, ନାଗରିକ କମିଟିର ସଭାପତି ମିନ କେତନ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ନାଗରିକ କମିଟିର ସମ୍ପାଦକ ଗୀତ ପ୍ରକାଶ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

Comment