ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତାରାତି ବଦଳିଗଲା ମହାରାଷ୍ଟ୍ର ରାଜନୀତିର ସମୀକରଣ। କାଲି ଶିବସେନା-ଏନ୍‌ସିପି ସରକାର ଗଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଫଳ କିଛି ଓଲଟା ହୋଇଛି। ଶନିବାର ମହାରାଷ୍ଟ୍ରରେ ବିଜେପି ଏସିପି ସହ ମିଶି ମିଳିତ ସରକାର ଗଠନ କରିଛି, ଆଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାବିସ୍‌। ସେହିପରି ଏନ୍‌ସିପିର ଅଜିତ ପାୱାରଙ୍କୁ ମିଳିଛି ଉପ-ମୁଖ୍ୟମନ୍ତ୍ରୀ ପଦ।

ମହାରାଷ୍ଟ୍ରରେ ନୂଆ ସରକାର ସିନା ଗଠନ ହୋଇଗଲା ହେଲେ ଥମୁନି ପିଲିଟିକାଲ ଡ୍ରାମା। ନ୍ୟାସନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ବଡ଼ ବୟାନ ଦେଇଛନ୍ତି। ନିଜ ହ୍ୱାଟ୍ସଆପ୍‌ରେ ଷ୍ଟାଟସ୍‌ରେ ଲେଖି ସୁପ୍ରିୟା କହିଛନ୍ତି ଯେ, ଆଜି ପରିବାର ସହ ଦଳ ମଧ୍ୟ ଭାଙ୍ଗିଗଲା।

ଏଥିରୁ ଜଣାପଡ଼ୁଛି ଯେ, ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଦଳ ଏବଂ ପରିବାର କଥା ଅମାନ୍ୟ କରି ବିଜେପି ସହ ସାମିଲ ହୋଇଛନ୍ତି। ଏହାକୁ ନେଇ ସୁପ୍ରିଆ ପରିବାର ଭାଙ୍ଗିବା ଭଳି କଥା ଉଠାଇଛନ୍ତି। ଏହି କଥାକୁ ଆହୁରି ବଳିଷ୍ଠ କରିଛ ଶରଦ ପାୱାରଙ୍କ ମନ୍ତବ୍ୟ।

ଶରଦ ପାୱାର କହିଛନ୍ତି, ବିଜେପିକୁ ସମର୍ଥନ କରିବା ଅଜିତ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏହା ଏନ୍‌ସିପି ବିଚାରଧାରା ଓ ଆଦର୍ଶ ବିରୋଧୀ। ଅଜିତ ପାୱାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଶରଦ ପାୱାର ଏବେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ମହାରାଷ୍ଟ୍ରରେ ଏନ୍‌ସିପି ହିଁ ସରକାର ଗଢ଼ିବ। ସେ କହିଛନ୍ତି, “ଆମ ପାଖରେ ୭୦ ବିଧାୟକଙ୍କ ସମର୍ଥନ ଥିଲା। ହେଲେ ଏନସିପିର କିଛି ବିଧାୟକ ବିଜେପି ସପକ୍ଷରେ ଯାଇଛନ୍ତି। ସେମାନଙ୍କୁ ଦଳବଦଳ ଆଇନ ବୋଧେ ଜଣା ନାହିଁ। ବିଧାନସଭାରେ ସେମାନଙ୍କ ସଦସ୍ୟ ପଦ ରଦ୍ଦ ହୋଇପାରେ। ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ। କୌଣସି ଏନ୍‌ସିପି ନେତା ଦଳ ଛାଡ଼ିବେ ନାହିଁ ବୋଲି ଆଶା କରାଯାଉଛି। ବିଜେପି ଗୃହରେ ବହୁ ମତ ସାବ୍ୟସ୍ତ କରିପାରିବେନି।”

ଅନ୍ୟପକ୍ଷରେ ମହାରାଷ୍ଟ୍ର ବିଜେପିର ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଅଜିତ ପାୱାରଙ୍କ ପାଖରେ ୧୫ ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେହିପରି ଅନ୍ୟ ପାର୍ଟି ଏବଂ ନିର୍ଦଳୀୟ ବିଧାୟକମାନେ ମଧ୍ୟ ବିଜେପିକୁ ସମର୍ଥନ କରୁଛନ୍ତି। ଫଳରେ ବିଜେପି ପାଖରେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ରହିଛି।

Comment